ନୂଆଦିଲ୍ଲୀ: ଭେନେଜୁଏଲାର ତେଲକୁ ନେଇ ଆମେରିକାର କାର୍ଯ୍ୟାନୁଷ୍ଠାନ ହିମାଚଳ ପ୍ରଦେଶର ଏକ ପରିବାରକୁ ଏବେ ବ୍ୟସ୍ତ ବିବ୍ରତ କରି ପକାଇଛି। ଏହି ପରିବାର ଏତେ ମାତ୍ରାରେ ଭାଙ୍ଗି ପଡିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ସୂଚନାଥାଉକି, ନିକଟରେ ଆମେରିକା ଏକ ରୁଷିଆ ପତାକା ଥିବା ଟ୍ୟାଙ୍କରକୁ ଜବତ କରିଛି। ଏହି ଟ୍ୟାଙ୍କରର କର୍ମଚାରୀଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ବାସିନ୍ଦା ରକ୍ଷିତ ଚୌହ୍ବାନ । ଯାହାଙ୍କ ବୟସ ୨୬ ବର୍ଷ । ସେ ଏହି ଜାହାଜରେ ବାଣିଜ୍ୟ ନୌସେନା ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି। ଏହି ସମୟରେ ତାଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁହାରୀ କରିଛନ୍ତି କି, ତାଙ୍କ ପୁଅକୁ ଭାରତକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସରକାର ହସ୍ତକ୍ଷେପ କରନ୍ତୁ।

ପରିବାର ସଦସ୍ୟଙ୍କ ଅନୁଯାୟୀ, ରକ୍ଷିତ ଚୌହାନଙ୍କୁ ତାଙ୍କ ରୁଷିଆ ନିଯୁକ୍ତିଦାତାଙ୍କ ଦ୍ୱାରା ତାଙ୍କର ପ୍ରଥମ ସାମୁଦ୍ରିକ କାର୍ଯ୍ୟରେ ଭେନେଜୁଏଲା ପଠାଯାଇଥିଲା। ସେ ଜାନୁଆରୀ ୭ ତାରିଖରେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଆମେରିକା ତଟରକ୍ଷୀ ବାହିନୀ ଦ୍ୱାରା ଜବତ କରାଯାଇଥିବା ୨୮ ଜଣ କର୍ମଚାରୀଙ୍କ ସହିତ ଟ୍ୟାଙ୍କର "ମାରିନେରା" ରେ ଥିଲେ।

ଫେବୃଆରୀ ୧୯ ରେ ବିବାହ…

ରକ୍ଷିତଙ୍କ ମାଆ ରୀତା ଦେବୀ ରବିବାର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରି କହିଛନ୍ତି, "ଦୟାକରି ମୋ ପୁଅ ରକ୍ଷିତଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣନ୍ତୁ।" କାଙ୍ଗଡ଼ା ଜିଲ୍ଲାର ପାଲମପୁରରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା କରି ରୀତା ଦେବୀ କହିଛନ୍ତି ଯେ ରକ୍ଷିତଙ୍କ ବିବାହ ଫେବୃଆରୀ ୧୯ ତାରିଖରେ ସ୍ଥିର ହୋଇଛି। "ଆମେ ଶେଷ ଥର ପାଇଁ ଜାନୁଆରୀ ୭ ତାରିଖରେ ରକ୍ଷିତଙ୍କ ସହ କଥା ହୋଇଥିଲୁ ଏବଂ ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ,"। ସେ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ଗୋଆ ଏବଂ କେରଳର ଅନ୍ୟ ଦୁଇ ଭାରତୀୟ କ୍ରୁ ସଦସ୍ୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି।

କେବେ ଏହି ଚାକିରିରେ ଯୋଗ ଦେଇଥିଲେ ରକ୍ଷିତ ?

ରକ୍ଷିତଙ୍କ ପରିବାର କହିଛନ୍ତି ଯେ, ରକ୍ଷିତ ଅଗଷ୍ଟ ୧, ୨୦୨୫ ରେ ମର୍ଚ୍ଚାଣ୍ଟ ନେଭିରେ ଯୋଗ ଦେଇଥିଲେ। ତାଙ୍କ ପିତା ରଞ୍ଜିତ ସିଂହ ଚୌହାନଙ୍କ ଅନୁଯାୟୀ, ଏକ ରୁଷୀୟ କମ୍ପାନୀ ପ୍ରଥମେ ରକ୍ଷିତଙ୍କୁ ଏକ ସାମୁଦ୍ରିକ କାର୍ଯ୍ୟର ଅଂଶ ଭାବରେ ତେଲ ସଂଗ୍ରହ କରିବାକୁ ଭେନେଜୁଏଲା ପଠାଇଥିଲା, କିନ୍ତୁ ଜାହାଜକୁ ସୀମାରେ ଅଟକାଇ ଦିଆଯାଇଥିଲା। ସେ କହିଛନ୍ତି ଯେ ସୀମାରେ ୧୦ ଦିନ ଅପେକ୍ଷା କରିବା ପରେ, କମ୍ପାନୀ ଜାହାଜକୁ ଫେରାଇ ଆଣିଥିଲା, କିନ୍ତୁ ଏହାକୁ ଆମେରିକୀୟ କର୍ତ୍ତୃପକ୍ଷ ଜବତ କରିଛନ୍ତି। ସମସ୍ତ କ୍ରୁ ସଦସ୍ୟଙ୍କୁ ହେପାଜତରେ ରଖାଯାଇଛି । 

ଏହା ସହ ପଢନ୍ତୁ : ‘ମୁଁ ଯଦି ରାଷ୍ଟ୍ରପତି ନଥାନ୍ତି…ଆଜି ନାଟୋ ଅସ୍ତିତ୍ବ ହରାଇ ସାରନ୍ତାଣି’…