ନୂଆଦିଲ୍ଲୀ: ନାଟୋ ଏବଂ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ଯୋଗୁଁ ଆଜି ନାଟୋ ଅସ୍ତିତ୍ୱ ପାଇଛି, ଏହା ସହିତ ସେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ପାଇଁ ତାଙ୍କର ଇଚ୍ଛାକୁ ମଧ୍ୟ ଦୋହରାଇଛନ୍ତି।
"ନାଟୋକୁ ରକ୍ଷା କରିଥିବା ବ୍ୟକ୍ତି ମୁଁ"
ଡୋନାଲ୍ଡ ଟ୍ରମ୍ପ ନାଟୋ ବିଷୟରେ କହିଛନ୍ତି ଯେ, ତାଙ୍କ ବିନା, ଏହି ସଂଗଠନ ଭୁଶୁଡ଼ି ପଡ଼ିଥାନ୍ତା। ଟ୍ରମ୍ପ ଦାବି କରିଛନ୍ତି କି, ତାଙ୍କ ଯୋଗୁଁ, ନାଟୋ ସଦସ୍ୟ ଦେଶ ମାନେ ସେମାନଙ୍କର ପ୍ରତିରକ୍ଷା ଖର୍ଚ୍ଚ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ନାଟୋକୁ ରକ୍ଷା କରିଥିବା ବ୍ୟକ୍ତି ମୁଁ ନୁହେଁ । ମୁଁ ସେମାନଙ୍କୁ GDPର ୫.୫% ଯୋଗଦାନ କରିବାକୁ ରାଜି କରାଇଥିଲି। ପୂର୍ବରୁ, ଏହା ୨% ଥିଲା, ଏବଂ ଆଉ ସେମାନେ ଅଧିକ ଦେଉନଥିଲେ । ବର୍ତ୍ତମାନ ସେମାନେ ୫% ଯୋଗଦାନ କରୁଛନ୍ତି। ମୁଁ ହିଁ… ନାଟୋକୁ ରକ୍ଷା କରିଥିବା ବ୍ୟକ୍ତି।"
ସେ ଆହୁରି କହିଛନ୍ତି ଯେ, "ଯଦି ମୁଁ ରାଷ୍ଟ୍ରପତି ନଥାନ୍ତି, ତେବେ ନାଟୋର ଅସ୍ତିତ୍ୱ ନଥାନ୍ତା। ଯଦି ମୁଁ ଆମେରିକାକୁ ନାଟୋରୁ ବାହାର କରିଦିଏ ତେବେ ନାଟୋ ଅସ୍ତିତ୍ବ ହରାଇପାରେ । ହୁଏତ …ନାଟୋ ବହୁତ ଟଙ୍କା ସଞ୍ଚୟ କରିପାରେ। ମୁଁ ନାଟୋକୁ ପସନ୍ଦ କରେ। ମୁଁ କେବଳ ଭାବୁଛି, ଯଦି ଆମକୁ ନାଟୋର ଆବଶ୍ୟକତା ପଡେ, ତାହାଲେ କଣ ସେମାନେ ଆମ ପାଇଁ ସେଠାରେ ରହିହେ କି ? ମୁଁ ନିଶ୍ଚିତ ନୁହେଁ ଯେ ସେମାନେ ରହିବେ । ଆମେ ନାଟୋ ଉପରେ ବହୁତ ଟଙ୍କା ଖର୍ଚ୍ଚ କରିଛୁ।"
"ଯଦି ମୁଁ ଗ୍ରୀନଲ୍ୟାଣ୍ଡ ନ ନେବି..."
ଅନ୍ୟପକ୍ଷରେ ଗ୍ରୀନଲ୍ୟାଣ୍ଡ ଉପରେ ଟ୍ରମ୍ପଙ୍କ ମତ ବହୁତ ଆକ୍ରମଣାତ୍ମକ ଥିଲା। ସେ ଯୁକ୍ତି ଦେଇଥିଲେ ଯେ, ଯଦି ଆମେରିକା ଗ୍ରୀନଲ୍ୟାଣ୍ଡ ନ ନେବ, ତେବେ ରୁଷ କିମ୍ବା ଚୀନ୍ ଏହାକୁ ନେଇଯିବ। ସେ କହିଛନ୍ତି କି, "ମୁଁ ଏହା ହେବାକୁ ଦେବି ନାହିଁ। ମୁଁ ସେମାନଙ୍କ (ଗ୍ରୀନଲ୍ୟାଣ୍ଡ) ସହିତ ଏକ ଚୁକ୍ତି କରିବାକୁ ପସନ୍ଦ କରିବି। ତାହା ସହଜ ହେବ। କିନ୍ତୁ କୌଣସି ପ୍ରକାରେ ଆମକୁ ଗ୍ରୀନଲ୍ୟାଣ୍ଡ ପାଇବାକୁ ପଡିବ।"