ନୂଆଦିଲ୍ଲୀ : ସେଓକୁ ନେଇ ଗୋଟେ କଥା ଅଛି - "ପ୍ରତିଦିନ ଗୋଟିଏ ସେଓ ଖାଆନ୍ତୁ ଏବଂ ଡାକ୍ତରଙ୍କ ଠାରୁ ଦୂରେଇ ରୁହନ୍ତୁ"। କିନ୍ତୁ ଏବେ ଲାଗୁଛି, ବଜାରରେ ଆଉ ସେଓ ହିଁ ମିଳିବ ନାହିଁ। ଆମେ ଏହା କହୁ ନାହୁଁ, ବରଂ ସରକାରୀ ରିପୋର୍ଟ ଏଭଳି ଏକ ଚିନ୍ତା ଜନକ ଚିତ୍ର ସାମ୍ନାକୁ ଆଣିଛି। ପାଣିପାଗର ବଦଳୁ ଥିବା ଚିତ୍ର ଯୋଗୁଁ ଚଳିତ ବର୍ଷ ହିମାଚଳ ପ୍ରଦେଶରେ ସେଓ ଉତ୍ପାଦନ ପ୍ରାୟ ୪୦ ପ୍ରତିଶତ କମି ଯିବାର ଆଶଙ୍କା ଦେଖା ଦେଇଛି। ଏହାଦ୍ୱାରା କେବଳ ଚାଷୀ ନୁହନ୍ତି, ବରଂ ୫,୦୦୦ କୋଟି ଟଙ୍କାର ଆପଲ୍ ଇକୋନୋମି (Apple Economy) ବଡ଼ ସଙ୍କଟରେ ପଡ଼ିଛି। ବିଜେନେସ ଟୁଡେରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ହିମାଚଳ ପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଯେଉଁ ସେଓ ସାରା ଦେଶକୁ ମିଠା ସ୍ୱାଦ ଦେଇଥାଏ, ତାହା ଏବେ ନିଜେ ସଙ୍କଟରେ। ରିପୋର୍ଟ ଅନୁସାରେ, ଚଳିତ ୨୦୨୬ ବର୍ଷରେ ହିମାଚଳରେ ସେଓ ଉତ୍ପାଦନ ଗତବର୍ଷ ତୁଳନାରେ ପ୍ରାୟ ୪୦% କମି ପାରେ। ସରକାରୀ ଆକଳନ ଅନୁଯାୟୀ, ୨୦୨୫ରେ ଯେଉଁଠି ୬.୯୯ ଲକ୍ଷ ମେଟ୍ରିକ୍ ଟନ୍ ସେଓ ଉତ୍ପାଦନ ହୋଇଥିଲା, ଏବେ ତାହା ହ୍ରାସ ପାଇ ପ୍ରାୟ ୪.୩୬ ଲକ୍ଷ ମେଟ୍ରିକ୍ ଟନ୍କୁ ଖସି ଆସିବ। ଏହି କାରଣରୁ ରାଜ୍ୟର ପ୍ରାୟ ୨୫ ଲକ୍ଷ ଚାଷୀ ପରିବାରଙ୍କ ଜୀବିକା ବିପନ୍ନ ହୋଇ ପଡ଼ିଛି।
କିନ୍ତୁ ଏହି ସେଓ ଚାଷ ଉଜାଡ଼ିବା ପଛର ଅସଲ 'ଖଳନାୟକ' କିଏ ? ଉତ୍ତର ହେଉଛି- ପ୍ରକୃତିର କୋପ ଏବଂ ଜଳବାୟୁ ପରିବର୍ତ୍ତନ। ଶୀତଦିନେ ଆବଶ୍ୟକ ମୁତାବକ ବରଫପାତ ନହେବା, ଅଦିନିଆ ବର୍ଷା, ଏବଂ ପ୍ରବଳ କୁଆପଥର ମାଡ଼ ଯୋଗୁଁ ସେଓ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। କେବଳ ସେତିକି ନୁହେଁ, କୀଟନାଶକ ଓ ଚାଷ ସାମଗ୍ରୀର ଦାମ ବଢ଼ୁ ଥିବାରୁ ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏଥିପାଇଁ ଚାଷୀମାନେ ଏବେ ସରକାରଙ୍କୁ ବୀମା ସହାୟତା ପାଇଁ ଗୁହାରି କରିଛନ୍ତି।
ପ୍ରତିକୂଳ ପାଣିପାଗର ଏହି ପ୍ରଭାବ କେବଳ ସେଓ ମଧ୍ୟରେ ସୀମିତ ନାହିଁ। ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ, ଏବେ ଭାରତୀୟ ବଜାରରେ ମହଙ୍ଗା ମାଡ଼ର ସବୁଠାରୁ ବଡ଼ କାରଣ ଅଶୋଧିତ ତେଲ (Crude Oil) ନୁହେଁ, ବରଂ ଅନିୟମିତ ମୌସୁମୀ ଓ ପାଣିପାଗ ସାଜିଛି। ଭାରତର ଅଧାରୁ ଅଧିକ ଚାଷ ଜମି ବର୍ଷା ଉପରେ ନିର୍ଭର କରୁ ଥିବାରୁ, ପାଣିପାଗ ବିଗିଡ଼ିଲେ ଖାଦ୍ୟଶସ୍ୟ, ପନିପରିବା ଏବଂ ଫଳର ଦାମ୍ ଆକାଶଛୁଆଁ ହୋଇଥାଏ। ଯାହା ସାଧାରଣ ଜନତାଙ୍କ ରୋଷେଇ ଘରର ବଜେଟ୍କୁ ସମ୍ପୂର୍ଣ୍ଣ ବିଗାଡ଼ି ଦିଏ।
ଆହୁରି ମଧ୍ୟ ପଢନ୍ତୁ : Antarctic Sea Ice Mystery: ଭୟଙ୍କର ବିପଦ ! ଆଣ୍ଟାର୍କଟିକାରୁ ବରଫ ପାହାଡ଼ ଉଭାନ, ବୈଜ୍ଞାନିକ ଦେଲେ ସତର୍କ ଘଣ୍ଟି
ତେବେ ହିମାଚଳର ଏହି ସେଓ ସଙ୍କଟର ସିଧାସଳଖ ପ୍ରଭାବ ଆଗାମୀ ଦିନରେ ସାରା ଦେଶର ଖାଉଟିଙ୍କ ଉପରେ ପଡ଼ିବାକୁ ଯାଉଛି। ବଜାରରେ ସେଓର ଯୋଗାଣ କମିଲେ ଏହାର କିଲୋ ପ୍ରତି ଦର ବହୁତ ବଢ଼ି ଯିବାର ଆଶଙ୍କା ରହିଛି। ଅର୍ଥାତ୍, ଏବେ ସେଓ ଖାଇ ନିଜକୁ ସୁସ୍ଥ ରଖିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ।