ମୁମ୍ବାଇ ୧୧/୦୧: ଟିଭି-ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ଏବେ କର୍କଟ ସହ ଲଢୁଛନ୍ତି । ଚିକିତ୍ସା ଯୋଗୁ ସ୍ୱାସ୍ଥ୍ୟର ଯତ୍ନ ନେବାରେ ତାଙ୍କର ଅଧିକାଂଶ ସମୟ ବିତୁଛି । ଫ୍ୟାନ୍‌ଙ୍କ ପାଇଁ ହିନା ଖୁସି ଖବର ଆଣିଛନ୍ତି । ଲମ୍ବା ବ୍ରେକ୍‌ ପରେ ସେ ପରଦାକୁ ଫେରୁଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ବ୍ରେକ୍‌ ନେବାକୁ ପଡ଼ିଲା । କିନ୍ତୁ ଯେତେବେଳେ ଜଣେ କଳାକାର ପରଦାଠୁ ଦୂରରେ ରହେ, ଲୋକେ ତାକୁ ଭୁଲିଯାଆନ୍ତି । ଆପଣ ଯେତେ ବଡ଼ ସେଲିବ୍ରିଟି ହେଲେ ବି କିଛି ଫରକ ପଡ଼ିବ ନାହିଁ ବୋଲି ହିନା ସ୍ୱୀକାର କରିଛନ୍ତି । ମନୋରଞ୍ଜନ ଉଦ୍ୟୋଗର ଏହା ଅପ୍ରିୟ ସତ । ତଥାପି ସ୍ୱାସ୍ଥ୍ୟଠୁ ବଳି ତାଙ୍କ ପାଇଁ ଆଉ କିଛି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେଥିପାଇଁ ସେ କ୍ୟାରିଅର୍‌କୁ ଭୁଲି ଚିକିତ୍ସା ଉପରେ ଫୋକସ୍‌ କଲେ । 

ହିନା କହିଛନ୍ତି, ମଣିଷ ପାଇଁ ସ୍ୱାସ୍ଥ୍ୟ ସର୍ବପ୍ରଥମ ପ୍ରାଥମିକତା । ଜଟିଳ ସମୟରେ ତାଙ୍କ ପାଖରେ କିଛି ପ୍ରୋଜେକ୍ଟ ଥିଲା । ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । କାମ ଆରମ୍ଭ ହେବାକୁ ଯାଉଥିଲା । କର୍କଟ ଚିକିତ୍ସା ଲାଗି ତାଙ୍କୁ ତାହା ଛାଡ଼ିବାକୁ ପଡ଼ିଲା । ସେମାନେ ତାଙ୍କ ଲାଗି ଅପେକ୍ଷା କରିବା ବି ଠିକ୍‌ ନ ଥିଲା । ଏବେ କିନ୍ତୁ କାମ କରିବାକୁ ପ୍ରସ୍ତୁତ ବୋଲି ହିନା ସ୍ପଷ୍ଟ କରିଛନ୍ତି । ତାଙ୍କର ଏକ ନୂଆ ଶୋ’ ଆସୁଛି ଯାହାର ଟାଇଟଲ୍‌ ‘ଗୃହଲକ୍ଷ୍ମୀ’ । ଆସନ୍ତା ୧୬ ତାରିଖରୁ ଏହା ପ୍ରସାରିତ ହେଉଛି । ଆଗକୁ ଭଲ ପ୍ରୋଜେକ୍ଟ ଓ ଭଲ ଚରିତ୍ର ମିଳିବ ବୋଲି ସେ ଆଶା କରୁଛନ୍ତି । ବ୍ରେକ୍‌ ପରେ ହିନା ଭିନ୍ନ ପ୍ରକାର ଭୂମିକା ନିର୍ବାହ କରିବାକୁ ଚାହୁଁଛନ୍ତି । ଫିଲ୍ମ ନିର୍ମାତାଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ‘ହିନା ଖାନ୍‌ ପରଦାକୁ ଓହ୍ଲାଇବାକୁ ପ୍ରସ୍ତୁତ । ସବୁ ପ୍ରକାର କାମ ପାଇଁ ତା’ ପାଖରେ ତାରିଖ ଅଛି ।’