ନୂଆଦିଲ୍ଲୀ : ପାକିସ୍ତାନରେ ହ୍ୟୁମନ ଇମ୍ୟୁନୋଡେଫିସିଏନ୍ସି ଭାଇରସ (ଏଚଆଇଭି)ର ସଂକ୍ରମଣ ଏବେ ମହାମାରୀ ରୂପ ନେଇ ସାରିଛି। ଗତ ୧୫ ବର୍ଷରେ ପାକିସ୍ତାନରେ ଏଚଆଇଭିର ମାମଲାରେ ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ଅର୍ଥାତ୍ ପାକିସ୍ତାନରେ ମାମଲା ତିନି ଗୁଣା ହୋଇ ଯାଇଛି। ରିପୋର୍ଟ ଅନୁସାରେ , ୨୦୧୦ ମସିହାରେ ଯେଉଁଠି ମୋଟ୍ ମାମଲା ୧୬୦୦୦ ଥିଲା , ସେଠାରେ ୨୦୨୪ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇଁ ୪୮୦୦୦ ହୋଇ ଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଅନୁସାରେ , ପାକିସ୍ତାନ ପୂର୍ବୀୟ ଭୂମଧ୍ୟସାଗରୀୟ ଅଞ୍ଚଳ ଏଚଆଇଭିର ଦ୍ରୁତ ଭାବେ ବ୍ୟାପୁ ଥିବା ମହାମାରୀର ସାମ୍ନା କରୁଛି।

ପାକିସ୍ତାନୀ ଖବର କାଗଜ ଡନ୍ର ରିପୋର୍ଟ ଅନୁସାରେ , ଏହି ସୂଚନା ବିଶ୍ୱ ଏଡସ ଦିବସର ଅବସରରେ WHO ଓ UNAIDS ଦ୍ୱାରା ଆୟୋଜିତ ସଚେତନତା ୱାକ୍ରେ ସେୟାର କରାଯାଇଛି।ସବୁଠୁ ଚିନ୍ତାଜନକ କଥା ଏହା ଯେ, ପ୍ରଥମେ ଏଚଆଇଭି ମୁଖ୍ୟ ରୂପେ ଉଚ୍ଚ ବିପଦପୂର୍ଣ୍ଣ ଗ୍ରୁପ୍ ଯାଏ ସୀମିତ ଥିଲା, କିନ୍ତୁ ଏବେ ଏହା ଶିଶୁ ,ଜୀବନସାଥୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି। 

HIV ବ୍ୟାପିବାର ମୁଖ୍ୟ କାରଣ କଣ ?

-ଅସୁରକ୍ଷିତ ରକ୍ତଦାନ

-ଦୂଷିତ ଛୁଞ୍ଚି / ଇଞ୍ଜେକ୍ସନର ବାରମ୍ୱାର ବ୍ୟବହାର

- ସଂକ୍ରମଣ ନିୟନ୍ତ୍ରଣରେ ଗୁରୁତର ହ୍ରାସ

-ପ୍ରସବ ପୂର୍ବର ଦେଖାଶୁଣାରେ ଏଚଆଇଭି ପରୀକ୍ଷାରେ ଅଭାବ

-ଅସୁରକ୍ଷିତ ଯୌନ ସମ୍ୱନ୍ଧ

-ଏଚଆଇଭି ସହ ଜଡ଼ିତ ସାମାଜିକ କଳଙ୍କ

ରିପୋର୍ଟ ଅନୁସାରେ, ଏହା ଅନୁମାନ କରାଯାଉଛି ଯେ, ପାକିସ୍ତାନରେ ବାସ୍ତବିକ ଭାବେ ପାଖାପାଖି ୩.୫ ଲକ୍ଷ ଲୋକ ଏଚଆଇଭି ସଂକ୍ରମିତ, କିନ୍ତୁ ଏଥିରୁ ପାଖାପାଖି ୮୦ ପ୍ରତିଶତ ଲୋକ ନିଜ ସ୍ଥିତି ସହ ସଂପୂର୍ଣ୍ଣ ଅଜ୍ଞ। ପିଲାଙ୍କ ଉପରେ ଏହାର ପ୍ରଭାବ ବିଶେଷ ଭାବେ ଭୟାବହ। ୦-୧୪ ବର୍ଷର ପିଲାଙ୍କ ଠାରେ ନୂଆ ଏଚଆଇଭି ମାମଲା ୨୦୧୦ରେ ୫୩୦ ଥିଲା , ଯାହା ୨୦୨୩ ଯାଏ ବୃଦ୍ଧି ପାଇଁ ୧୮୦୦ ହୋଇ ଯାଇଛି। ଗତ ଦଶନ୍ଧିରେ ଆଣ୍ଟିରେଟ୍ରୋଭାଇରାଲ ଥେରାପୀ (ART) ନେଉଥିବା ରୋଗୀଙ୍କ ସଂଖ୍ୟାରେ ୮ ଗୁଣା ବୃଦ୍ଧି ହୋଇଛି। ୨୦୧୩ରେ ୬୫୦୦ରୁ ବଢି ୨୦୨୪ରେ ୫୫୫୦୦ ହୋଇଯାଇଛି। ଏହିପରି ART କେନ୍ଦ୍ର ଗୁଡ଼ିକର ସଂଖ୍ୟା ୨୦୧୦ରେ ୧୩ରୁ ବଢି ୨୦୨୫ରେ ୯୫ ହୋଇ ଯାଇଛି।

ରିପୋର୍ଟ ଅନୁସାରେ , ୨୦୨୪ରେ କେବଳ ୨୧ ପ୍ରତିଶତ ସଂକ୍ରମିତଙ୍କୁ ନିଜର ରୋଗ ବିଷୟରେ ଜଣା ଥିଲା। ଆଶ୍ଚର୍ଯ୍ୟକର କଥା ଏହା ଯେ, ଏଥିରୁ କେବଳ ୧୬ ପ୍ରତିଶତ ଚିକିତ୍ସା କରୁଥିଲେ,ଏବଂ ମାତ୍ର ୭ ପ୍ରତିଶତ ଭାଇରଲ ଲୋଡ୍କୁ ହ୍ରାସ କରି ପାରିଥିଲେ। ରିପୋର୍ଟରେ କୁହାଯାଇଛି ଯେ, ୨୦୨୪ରେ ଏଡସ୍ରୁ ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଡନ୍ର ରିପୋର୍ଟ ଅନୁସାରେ, ଅନେକ ମାମଲାରେ ୮୦ ପ୍ରତିଶତରୁ ଅଧିକ ମାମଲା ପିଲାଙ୍କର ଥିଲା। ସବୁଠୁ ଦୁଃଖର କଥା ଏହା ଯେ,୦-୧୪ ବର୍ଷ ବୟସର ଏଚଆଇଭି ପଜିଟିଭ ପିଲାଙ୍କ ମଧ୍ୟରୁ କେବଳ ୩୮ ପ୍ରତିଶତ ପିଲାଙ୍କୁ ବିଁ ଚିକିତ୍ସା ମିଳି ପାରୁଛି।