ହାଟଡିହି,୨୦/୭: ସାଳନ୍ଦୀ ନଦୀ ତା’ର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଛି । ଗ୍ରାମରେ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା ହେଉ ନଥିବାରୁ ନଦୀରେ ଲୀନ ହେବାକୁ ବସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗ୍ରାମ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏନେଇ ଗତ ୧୦ବର୍ଷ ହେଲା ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ଜଳ ସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉନି । ପୂର୍ବରୁ ନଦୀର ଜଳସ୍ରୋତ ନଦୀ ମଝିରେ ଯାଉଥିବା ବେଳେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଏହାର ଗତିପଥ ପରିବର୍ତନ ହୋଇଛି । କାନପୁର ଗାଁ ପାଖଦେଇ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଏହା ଗାଁ ପାଇଁ ବିପଦ ସୃଷ୍ଟି କରିଛି । ପ୍ରତିବର୍ଷ ୨/୩ ଫୁଟ୍ କୂଳ ଖାଉଥିବା ବେଳେ ଭୂସ୍ଖଳନ ଘଟି ଅନେକ କ୍ଷୟକ୍ଷତି ହେଉଛି । ଗତ ୨୦୧୪/୧୫ରୁ ଏହି ଭୂସ୍ଖଳନ ଆରମ୍ଭ ହୋଇ ଅନେକ ଲୋକଙ୍କ ଘର ଭାଙ୍ଗି ପଡିଥିବା ବେଳେ ଅନେକ ଲୋକଙ୍କ ଘରବାଡ଼ିରୁ ଗଛ ଉପୁଡ଼ି ମାଟି ସବୁ ନଦୀ ମଧ୍ୟକୁ ଖସି ପଡ଼ିଛି । ଅନେକ ଲୋକଙ୍କ ପକ୍କା ଘରରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଏହା ଘଟିବା ପରେ ତତ୍କାଳୀନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରତିକାର ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି । ପ୍ରତିବର୍ଷ ଗାଁର କିଛି କିଛି ଅଂଶ ନଦୀରେ ମିଶୁଛି ।
ରବିବାର ରାତିରେ ଗ୍ରାମର ପ୍ରହ୍ଲାଦ ବେହେରାଙ୍କ ଆବାସ ଯୋଜନାରେ କରିଥିବା ପକ୍କା ଘରଟି ଭିତରକୁ ଧସି ଧସି ଯାଉଛି । ପତ୍ନୀ ଅନିମା ବେହେରା ଘରେ ରୋଷେଇ କରୁଥିବା ବେଳେ ହଠାତ୍ କଟ କଟ ଶବ୍ଦ ହେବାରୁ ଉଭୟ ଘରୁ ବାହାରକୁ ଚାଲି ଆସିଥିଲେ । ତା ପରେ ପରେ ଘରର ପକ୍କା ଚଟାଣ ଟି ୨/୩ ଫୁଟ ତଳକୁ ଧସି ଯାଇଥିଲା । ଏପରିକି ଘରର ଗ୍ରେଟ ବିମ୍ ସହିତ ୨/୩ ଫୁଟ ତଳକୁ ଧସି ଯାଇ ବିପଦସଂକୁଳ ହୋଇ ପଡିଥିବାରୁ ପ୍ରହ୍ଲାଦଙ୍କ ପରିବାର ଲୋକେ ଘର ଭିତରକୁ ଯିବାକୁ ଭୟ କରୁଛନ୍ତି । ଖବର ପାଇ ସୋସୋ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ଗାଁର ହରିହର ବେହେରା, ବିଶ୍ୱନାଥ ବେହେରା, ପଦ୍ମନାଭ ବେହେରା, କହ୍ନେଇ ଚରଣ ଜେନା, ସୁଦାମ ଜେନା, ଶଶଧର ବେହେରା, ସର୍ବେଶ୍ୱର ବେହେରା, ଅମୂଲ୍ୟ ଜେନା, ନରହରି ଖମାରୀ, ନରେନ୍ଦ୍ର ସେଣ, ଉପେନ୍ଦ୍ର ସେଣ, ଜୟୀରାମ ସେଣ, ପ୍ରସାନ୍ତ ସେଣ, ରାମ ସେଣ, ଭାସ୍କର ସେଣ, ବାବାଜୀ ବେହେରା, ଜଗବନ୍ଧୁ ଜେନା ପ୍ରମୁଖ ଅନେକ ଲୋକଙ୍କ କ୍ଷୟକ୍ଷତି ହୋଇଛି । କାହାର ପାଇଖାନା ନଦୀ ଗର୍ଭକୁ ଯାଇଛି ତ କାହାର ଗୁହାଳ ଘର ମାଟିରେ ମିଶିଛି । ଆଉ କାହାର କୋଠା ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି । ଅନେକ ଲୋକଙ୍କ ବାଡ଼ିରେ ଥିବା ବିରାଟ ବିରାଟ ଗଛ ସବୁ ନଦୀ ଗର୍ଭକୁ ଚାଲି ଯାଇଛି ।
ଗ୍ରାମବାସୀଙ୍କ ଅଭିଯୋଗ ଯେ, ଯେଉଁ ସମୟରେ ଲଗାଣ ବର୍ଷା ହେଉଛି ସେ ସମୟରେ ଏପରି ଘଟୁଛି । ଗାଁରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ମାଟି ତଳେ ତଳେ ନଦୀକୁ ଯିବାବେଳେ ତଳ ମାଟିକୁ ନଦୀ ଗର୍ଭକୁ ଧୋଇ ନେଇ ଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ଅନୁଧ୍ୟାନ କରାଯାଇ ଗାଁକୁ ରକ୍ଷା କରିବା ପାଇଁ ନଦୀ କଡେ କଡେ କଂକ୍ରିଟ୍ ବନ୍ଧ ନିର୍ମାଣ କରିବା ସହିତ ଗାଁ ଭିତରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ବୃନ୍ଦାବନ ବେହେରା, ସନାତନ ମହାପାତ୍ର, ଶତ୍ରୁଘ୍ନ ରାଉତ, ନିୟତି ରାଉତ, ଚୈତନ ମହାପାତ୍ର, ଅକ୍ଷୟ ବେହେରା, ମୁକ୍ତିକାନ୍ତ ରାଉତ, କହ୍ନେଇ ଜେନା, ବିଜୟ ସାମଲ, ଭରତ ରାଉତ, ରବୀନ୍ଦ୍ର ରାଉତ, ଅକ୍ଷୟ ବାରିକ, ଗୌରାଙ୍ଗ ବାରିକ, ଜଗନ୍ନାଥ ମହାରଣା, ଶରତ ରାଉତ, ସୀତା ମହାରଣା ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଅଳ୍ପ ଦିନ ଭିତରେ ଗାଁର ନଦୀ କୂଳେ କୂଳେ ଥିବା ଘର ଗୁଡିକ ସାଳନ୍ଦୀ ନଦୀରେ ଲୀନ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।
ଅଧିକ ପଢ଼ନ୍ତୁ-ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା, ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତିପୂରଣ