ଭାରତର ପ୍ରଦର୍ଶନରେ ହକି ଇଣ୍ଡିଆ ସଭାପତି ମର୍ମାହତ, ହର୍ମନପ୍ରୀତଙ୍କ ଦୁର୍ବଳ ଫର୍ମ ପରାଜୟର କାରଣ

ଭୁବନେଶ୍ୱର,୨୪/୦୧: କ୍ରସଓଭରରେ ଦୁର୍ବଳ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବା ପରେ ଭାରତର ବିଶ୍ୱକପ୍ ଅଭିଯାନ ଶେଷ ହୋଇଥିଲା । ଦଳର ଏଭଳି ପରାଜୟ ନେଇ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମର୍ମାହତ ହୋଇଛନ୍ତି । ଅଧିନାୟକ ହର୍ମନପ୍ରୀତ୍ ସିଂ ଫର୍ମ ହରାଇବା ଦଳ ପରାଜୟର କାରଣ ବୋଲି ଦିଲ୍ଲୀପ କହିଛନ୍ତି ।
ଜାତୀୟ ଗଣମାଧ୍ୟମକୁ ସେ କହିଛନ୍ତି, ହଠାତ ଅଧିନାୟକ ହର୍ମନପ୍ରୀତ ଫର୍ମ ହରାଇବା ଦଳ ପାଇଁ ସମସ୍ୟା ସୃଷ୍ଟି କଲା । ସେ ଗତ ପ୍ରୋ ଲିଗ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ କରିଥିଲେ । ତାଙ୍କ ଠାରୁ ବହୁତ କିଛି ଆଶା ରହିଥିଲା । କିନ୍ତୁ ସେ ଫର୍ମ ହରାଇବା ଦଳ ପାଇଁ ଚିନ୍ତାର କାରଣ ଥିଲା । ଆଧୁନିକ ହକିରେ ଡ୍ରାଗ୍ ଫ୍ଲିକର୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ହର୍ମନପ୍ରୀତ ଫର୍ମ ହରାଇବା ପରେ ଦଳ ସେ ଦିଗରେ ପୂରା ଦୁର୍ବଳ ହୋଇଗଲା । ଦେଢ଼ ବର୍ଷ ପୂର୍ବେ ଆମେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲୁ । କିନ୍ତୁ ଏବେ ଆମେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଲୁ ନାହିଁ । ଯାହା ମର୍ମାହତ କରିଛି ।’
ବିଶ୍ୱକପ୍ରେ ଭାରତ ପୁଲରୁ କ୍ରସଓଭର ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳିଥିଲା । ଦଳକୁ ମୋଟ୍ ୨୬ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ସେଥିରୁ ମାତ୍ର ୫ଟି ଗୋଲ ମିଳିଥିଲା । ‘ପୂର୍ବରୁ ମୁଁ କହିଥିଲି ଯଦି ଆମେ ପେନାଲ୍ଟି କର୍ଣ୍ଣରରୁ ଅଧିକ ଗୋଲ ବାହାର କରି ନପାରିଲୁ ତେବେ ତାହା ଆମ ପାଇଁ ସମସ୍ୟା ସୃଷ୍ଟି କରିବ । ଗତକାଲି ତାହା ହିଁ ଘଟିଲା । ଆମ ଦଳର ସବୁଠୁ ବଡ଼ ଶକ୍ତିଥିଲା ପେନାଲ୍ଟି କର୍ଣ୍ଣର ଗୋଲ । ତେଣୁ ହର୍ମନପ୍ରୀତଙ୍କ ଠାରୁ ବହୁ ବଡ଼ ଆଶା ଥିଲା । କିନ୍ତୁ ସେ ଯେଉଁ ଫ୍ଲିକ୍ କଲେ ସେଥିରୁ ଗୋଲ ବାହାରିଲା ନାହିଁ । ପ୍ରଥମ ମ୍ୟାଚ୍ରୁ ଶେଷ ମ୍ୟାଚ୍ ଯାଏ ସେ ସେମିତି ବାରମ୍ବାର ବିଫଳ ହେଲେ । ଯାହା ଦଳ ପାଇଁ ପ୍ରମୁଖ ସମସ୍ୟା ପାଲଟିଥିଲା । ନ୍ୟୁଜିଲାଣ୍ଡକୁ ଭାରତ ବିଜୟ ଏକ ପ୍ରକାର ଉପହାର ଦେଲା ଭଳି ଲାଗିଲା ବୋଲି ଦିଲ୍ଲୀପ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷରେ ଆମକୁ ବହୁ ସୁଯୋଗ ମିଳିଥିଲା । ୪୦ ମିନିଟ ପର୍ଯ୍ୟନ୍ତ ୩-୧ରେ ଆଗୁଆ ରହିଥିଲୁ । ସେ ପର୍ଯ୍ୟନ୍ତ ଆମ ରକ୍ଷଣଭାଗ ଭଲ ପ୍ରଦର୍ଶନ କରିଥିଲା । ସୁଟ ଆଉଟ୍ରେ ଆମର ଦୁଇ ଗୋଲକିପର ଭଲ ପ୍ରଦର୍ଶନ କରି ଆମକୁ ମ୍ୟାଚ୍ ଜିତିବାର ସୁଯୋଗ ଦେଇଥିଲେ । କିନ୍ତୁ ଆମେ ସୁଯୋଗ ହରାଇ ମ୍ୟାଚ୍ ହାତଛଡ଼ା କଲୁ ।
ହର୍ମନପ୍ରୀତ୍ ସଡନଡେଥ୍ରେ ଆମକୁ ମ୍ୟାଚ୍ ଜିତାଇ ପାରିଥାନ୍ତେ କିନ୍ତୁ ସେ ସୁଯୋଗ ହାତଛଡ଼ା କଲେ । ଯଦି ରକ୍ଷଣଭାଗ କଥା କହିବି ସେମାନେ ବି ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁଭଳି ପ୍ରଦର୍ଶନ ଦେବା କଥା ଦେଇପାରିଲେ ନାହିଁ । ହାର୍ଦ୍ଦିକ ସିଂଙ୍କ ଅନୁପସ୍ଥିତି ଦଳ ଅନୁଭବ କଲା । ତାଙ୍କ ଅନୁପସ୍ଥିତିରେ ଦଳ ଜିତିଲା ଭଳି ଖେଳାଳି ଦଳରେ ଅଛନ୍ତି । କିନ୍ତୁ ଆମେ ମ୍ୟାଚ୍କୁ ନିଜ ଆଡ଼କୁ ନେଇପାରିଲୁ ନାହିଁ ।
ଯାହାବି ହେଲା ଏଥର ଆମକୁ ଏସୀୟ କ୍ରୀଡ଼ା ଉପରେ ଅଧିକ ଧ୍ୟାନ ଦେବାକୁ ହେବ । କାରଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିବୁ ।’ ଭାରତ ପରାଜିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କୋଚ୍ ଗ୍ରାହାମ ରିଡ୍ କହିଥିଲେ, ଦଳରେ ଖେଳାଳିଙ୍କ ମାନସିକ ସନ୍ତୁଳନରେ ସ୍ଥିରତା ଏବଂ ଚାପରୁ ମୁକ୍ତ ରଖିବା ପାଇଁ ଜଣେ କୋଚଙ୍କର ଆବଶ୍ୟକତା ରହିଛି ।’