ବିର୍ସା ମୁଣ୍ଡାରେ ପୋଜିସନ ମ୍ୟାଚ୍: ଆଜି ଜାପାନକୁ ଭେଟିବ ଭାରତ

ଭୁବନେଶ୍ୱର ୨୬/୦୧: କ୍ରସଓଭରରେ ନ୍ୟୁଜିଲାଣ୍ଡ ଠାରୁ ସଡନଡେଥରେ ପରାଜିତ ହୋଇ ଭାରତ ଚଳିତ ବିଶ୍ୱକପ୍ରେ ଟାଇଟଲ ଅଭିଯାନ ଶେଷ କରିଥିଲା। ତେବେ ଗୁରୁବାର ୯ରୁ୧୬ତମ ସ୍ଥାନ ମଧ୍ୟରେ ଖେଳାଯିବାକୁ ଥିବା ପୋଜିସନ ମ୍ୟାଚ୍ରେ ଜାପାନକୁ ଭେଟିବ ଭାରତ । ଏହି ମ୍ୟାଚ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ମୋଟ୍ ୪ଟି ମ୍ୟାଚ୍ ରାଉରକେଲାରେ ଖେଳାଯିବ ।
ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା-ମାଲେସିଆ, ୱେଲ୍ସ-ଫ୍ରାନ୍ସ, ଚିଲି-ଆର୍ଜେଣ୍ଟିନା ଏବଂ ଭାରତ ଓ ଜାପାନ ମଧ୍ୟରେ ଶେଷ ମ୍ୟାଚ୍ ରହିଛି । ପୁଣି ୨୮ ତାରିଖରେ ବିର୍ସା ମୁଣ୍ଡାରେ ଆଉ ୨ଟି ପୋଜିସନ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ୱକପ୍ରେ ଭାରତ ପୁଲ ଡି’ରେ ରହିଥିଲା । ୩ଟି ମ୍ୟାଚ୍ରୁ ଦଳ ୨ଟିରେ ବିଜୟ ଏବଂ ଇଂଲଣ୍ଡ ସହ ଡ୍ର’ ରଖିଥିଲା । କିନ୍ତୁ ଗୋଲ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହି ସିଧାସଳଖ କ୍ୱାର୍ଟର ଫାଇନାକୁ ଉନ୍ନୀତ ହୋଇପାରି ନଥିଲା । ଫଳରେ ଦଳକୁ କ୍ରସ ଓଭର ଖେଳିବାକୁ ପଡ଼ିଥିଲା ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସବୁ ବିଭାଗରେ ବିଫଳ ହୋଇଥିଲା । ପେନାଲ୍ଟି କର୍ଣ୍ଣର ମିସ୍ ସାଙ୍ଗକୁ ଦଳର ରକ୍ଷଣଭାଗ ମଧ୍ୟ ଦୁର୍ବଳ ପ୍ରଦର୍ଶନ କରିଥିଲେ । ଫଳରେ ଦଳକୁ ବିଶ୍ୱକପ୍ ଟାଇଟଲ୍ ଦୌଡ଼ରୁ ବିଦାୟ ନେବାକୁ ପଡ଼ିଥିଲା । ଜାପାନ ବିପକ୍ଷରେ ମ୍ୟାଚ୍ ଫଳାଫଳରୁ ଦଳ ସେମିତି କିଛି ହାସଲ କରିବ ନାହିଁ । ମାର୍ଚ୍ଚ ମାସରେ ପ୍ରୋ ଲିଗ ରହିଛି । ତା’ପୂର୍ବରୁ ବିର୍ସା ମୁଣ୍ଡାରେ ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ ସହ ସବୁ ବିଭାଗରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି ।