ନୂଆଦିଲ୍ଲୀ,୧୫/୦୮: ପଶ୍ଚିମବଙ୍ଗର ବର୍ଦ୍ଦମାନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍। ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଏକ ଯାତ୍ରୀବାହୀ ଘରୋଇ ବସ୍ ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ବସ୍ର ସମ୍ମୁଖ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଯାତ୍ରୀ ଏଥିରେ ଫସି ରହିଥିଲେ। ଏନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସମସ୍ତ ଯାତ୍ରୀ ବିହାରର ବୋଲି ଜଣାପଡ଼ିଛି. ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେପଟେ ଘଟଣାର ସୂଚନା ପାଇବା ମାତ୍ରେ ବର୍ଦ୍ଧମାନ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ କ୍ରେନ୍ ସାହାଯ୍ୟରେ ବସ୍କୁ ଟ୍ରକ୍ରୁ ଅଲଗା କରାଯାଇଥିଲା ଏବଂ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।