ଉଦୟଗିରି, ୭/୩: ରାଇକିଆ ମୂଖ୍ୟ ରାସ୍ତାର ଶ୍ରୀକଲା ଘାଟିର ଦାରାମାହା ଠାରେ ଏକ କାର ସହିତ ବାଇକ ମୁହାଁମୁହିଁ ହେବା ଫଳରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ କଳିଙ୍ଗାର ଶୁଭମ ନାୟକ, ଗଦିଙ୍ଗିଆର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ। ସୂଚନା ଅନୁଯାୟୀ, ତିନି ଯୁବକ ଏକ ବାଇକ (ଓଡି ୧୯ ଏଚ ୪୨୯୫) ଯୋଗେ କୌଣସି କାମରେ ରାଇକିଆ ଯାଇ ଗାଁ କୁ ଫେରୁଥିଲେ। ଶ୍ରୀକଲା ଘାଟିଠାରେ ବ୍ରହ୍ମପୁରରୁ ରାଇକିଆ ଅଭିମୁଖେ ଯାଉଥିବା ଏକ କାର (ଓଡି ୧୨ ୭୩୭୪) ସହ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ଜଣ ଯୁବକ ଗାଡିରୁ ଛିଟିକି ପଡିଥିବା ବେଳେ ଅନ୍ୟ ଜଣେ ଯୁବକ କାରର ଆଗ ଚକା ତଳେ ଚାପି ହୋଇ ଯାଇଥିଲେ। ତିନି ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। କାରରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି।
ଖବର ପାଇ ଜି ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଏବଂ ଦମକଳ ବାହିନୀ ପହଞ୍ଚି ମୃତ ଯୁବକ ମାନଙ୍କ ଶବ ଉଦ୍ଧାର କରି ଜି ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।