ଭୋପାଳ, ୩୦।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମାତ୍ର ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ‘ପୁଅ’ ବୋଲି ସମ୍ବୋଧନ କରି ସମଝାଇବା ଜଣେ ହୋଟେଲ ମାଲିକଙ୍କ ପାଇଁ କାଳ ସାଜିଛି । ମୃତ ଯୁବକଙ୍କ ପରିଚୟ ସୁଭାଷ କଲୋନୀ ବାସିନ୍ଦା ବିଜୟ ମେୱାଡ଼ା ବୋଲି ଜଣାପଡ଼ିଛି । ବିଜୟଙ୍କର ଅଶୋକା ଗାର୍ଡେନ ଏବଂ କୋଲାର ଅଞ୍ଚଳରେ ଚା’ ହୋଟେଲ ବ୍ୟବସାୟ ରହିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧ ଟା ୩୦ ସମୟରେ ବିଜୟ ନିଜ ହୋଟେଲ ବନ୍ଦ କରି କର୍ମଚାରୀମାନଙ୍କୁ ଛାଡ଼ିବା ପାଇଁ ପ୍ରଗତି ନଗର ଯାଇଥିଲେ ।
ଏହା ବି ପଢ଼ନ୍ତୁ... ନୌ-ସେନା କର୍ମଚାରୀଙ୍କ ସଇତାନି କାଣ୍ଡ: ପ୍ରେମିକାର ଶବକୁ ୩ ଖଣ୍ଡ କରି ଫ୍ରିଜ୍ରେ ରଖିଲା ବିବାହିତ ପ୍ରେମିକ
ସୂଚନା ଅନୁଯାୟୀ, ସେଠାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଆସିଫ ଓରଫ୍ ବମ୍ ନିଜ ସହଯୋଗୀଙ୍କ ସହ ଉପସ୍ଥିତ ଥିଲା । ଅଭିଯୁକ୍ତମାନେ ହୋଟେଲ କର୍ମଚାରୀମାନଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ସେମାନଙ୍କୁ ନିଜ ସହ ଯିବା ପାଇଁ ବାଧ୍ୟ କରିଥିଲେ । କାମ ଥିବା କହି କର୍ମଚାରୀମାନେ ମନା କରିବାରୁ ଆସିଫ ଓ ତାର ସାଙ୍ଗମାନେ ଗାଳିଗୁଲଜ କରିବା ସହ ଅଭଦ୍ର ଆଚରଣ କରିଥିଲେ । ଏହି ସମୟରେ ବିଜୟ ମଧ୍ୟସ୍ଥତା କରିବାକୁ ଯାଇ ଆସିଫକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ, "ଯାଆ ପୁଅ ଘରକୁ ଯା..." । ଏହି ‘ପୁଅ’ ଶବ୍ଦ ଶୁଣି ଆସିଫ୍ ଉତ୍ୟକ୍ତ ହୋଇପଡ଼ିଥିଲା । ରାଗ ଜର୍ଜରିତ ହୋଇ ସେ ଏକ ଧାରୁଆ ଅସ୍ତ୍ରରେ ବିଜୟଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା ।
ରକ୍ତାକ୍ତ ଅବସ୍ଥାରେ ବିଜୟଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ହିନ୍ଦୁ ସଂଗଠନର ଶତାଧିକ କର୍ମକର୍ତ୍ତା ଅଶୋକା ଗାର୍ଡେନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରେ ବସି ହନୁମାନ ଚାଳିଶା ପାଠ କରିଥିଲେ । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଲାଇବାକୁ ଦାବି କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଆସିଫ ଏବେ ମଧ୍ୟ ଫେରାର ଅଛି । ଆସିଫ୍ ବିଷୟରେ ସୂଚନା ଦେଲେ ୩୦,୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।