ବିଶାଖାପାଟଣା, ୩୦।୩: ସାରା ଦେଶକୁ ସ୍ତବ୍ଧ କରିଦେଲା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଜଣେ ବିବାହିତ ନେଭି ଟେକ୍ନିସିଆନ୍ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିବା ପରେ ଶବକୁ ତିନି ଖଣ୍ଡ କରି ଫ୍ରିଜ୍ ଏବଂ ବେଡ୍ ତଳେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ନୌ-ସେନା କର୍ମଚାରୀ ଚିନ୍ତଦା ରବୀନ୍ଦ୍ରକୁ ପୋଲିସ ଗିରଫ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡ ହଠାତ୍ ଘଟି ନଥିଲା, ବରଂ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । ରବୀନ୍ଦ୍ର ହତ୍ୟା କରିବା ପୂର୍ବରୁ ବଜାରକୁ ଛୁରୀ କିଣିବାକୁ ଯାଇଥିଲା, କିନ୍ତୁ ସେଠାରେ ନପାଇବାରୁ ସେ ଅନଲାଇନ୍ରେ ଛୁରୀ ଅର୍ଡର କରିଥିଲା । ରବୀନ୍ଦ୍ରର ସ୍ତ୍ରୀଙ୍କର ନିକଟରେ ସନ୍ତାନ ପ୍ରସବ କରିଥିବାରୁ ସେ ନିଜ ବାପଘରକୁ ଯାଇଥିଲେ । ଘର ଖାଲି ଥିବାର ସୁଯୋଗ ନେଇ ରବୀନ୍ଦ୍ର ନିଜ ପ୍ରେମିକା ମୋନିକାକୁ ଗାଜୁୱାକାସ୍ଥିତ ନିଜ ଭଡ଼ା ଘରକୁ ଡାକିଥିଲା ।
ଏହା ବି ପଢ଼ନ୍ତୁ... କେରଳରୁ ଭାରତକୁ ଆସିଥିଲା ଇସଲାମ ଓ ଖ୍ରୀଷ୍ଟ ଧର୍ମ ! ଗଢ଼ି ଉଠିଥିଲା ଦେଶର ପ୍ରଥମ ମସଜିଦ୍
ଶବକୁ ୩ ଖଣ୍ଡ କରି ଫ୍ରିଜ୍ରେ ରଖିଲା:
ଘରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ପରେ ରବୀନ୍ଦ୍ର ଉଗ୍ର ହୋଇ ମୋନିକାକୁ ହତ୍ୟା କରିଥିଲା । ହତ୍ୟା ପରେ ସେ ଅତି ଅମାନୁଷିକ ଭାବେ ଶବକୁ ୩ ଭାଗରେ କାଟି ଦେଇଥିଲା । ଶରୀରର ଗୋଟିଏ ଅଂଶ ଏକ ରୁମ୍ ଭିତରେ ଥିବା ଫ୍ରିଜ୍ ମଧ୍ୟରେ ଲୁଚାଇଥିଲା, ଆଉ ଗୋଟିଏ ଅଂଶ ଏକ ବସ୍ତାରେ ଭର୍ତ୍ତି କରି ଶୋଇବା ବେଡ୍ ତଳେ ରଖିଥିଲା ଏବଂ ମୁଣ୍ଡଟିକୁ ଅଦାଭିଭରମ ନାମକ ଏକ ନିଛାଟିଆ ସ୍ଥାନକୁ ନେଇ ପୋଡ଼ି ଦେଇଥିଲା ।
ସାଙ୍ଗର ପରାମର୍ଶରେ କଲା ଆତ୍ମସମର୍ପଣ:
ଏହି ଭୟଙ୍କର କାଣ୍ଡ ଭିଆଇବା ପରେ ରବୀନ୍ଦ୍ର ଖସି ପଳାଇବା ପରିବର୍ତ୍ତେ ନିଜର ଜଣେ ବନ୍ଧୁଙ୍କୁ ଫୋନ୍ କରି ସମସ୍ତ କଥା ଜଣାଇଥିଲା । ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ନିଜେ ଗାଜୁୱାକା ପୁଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିବା ସହ ନିଜର ଅପରାଧ ସ୍ୱୀକାର କରିଥିଲା । ପୁଲିସ ଘଟଣାସ୍ଥଳକୁ ଯାଇ ରକ୍ତଭିଜା ଶବର ଅଂଶବିଶେଷ ଜବତ କରିବା ସହ ଫରେନସିକ ଯାଞ୍ଚ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ସମସ୍ତଙ୍କୁ ଭୟଭୀତ କରିଦେଇଛି । ଜଣେ ଶୃଙ୍ଖଳିତ ବାହିନୀର କର୍ମଚାରୀ କିପରି ଏତେ ବୀଭତ୍ସ ହୋଇପାରେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।