ନୂଆଦିଲ୍ଲୀ – ଫରିଦାବାଦରେ ବହୁ ପରିମାଣରେ ମିଳିଥିବା ବିସ୍ଫୋରକ ସାମଗ୍ରୀ ଏକ ବଡ଼ ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍ କରିଛି। ସୋମବାର ସକାଳେ ହିଁ ଏସବୁ ଜବତ ହୋଇଥିଲା ଏବଂ ବିଳମ୍ୱିତ ସନ୍ଧ୍ୟାରେ ଦିଲ୍ଲୀରେ କାର୍ ବିସ୍ଫୋରଣ ହୋଇଥିଲା। ଏବେ ଏହି ମାମଲାରେ ଯାଞ୍ଚ ଜୋରଦାର ହୋଇଛି ଏବଂ ଏହି ମଧ୍ୟରେ ଲକ୍ଷ୍ନୌ ସ୍ଥିତ ଜଣେ ମହିଳା ଡାକ୍ତର ଶାହିନ ଶାହିଦଙ୍କୁ ଆରେଷ୍ଟ କରାଯାଇଛି। ସୂଚନା ମିଳିଛି ଯେ, ସେ ଜୈସ-ଏ-ମହମ୍ମଦଙ୍କ ସହ ଜଡ଼ିତ ଥିଲେ ଏବଂ ତାଙ୍କୁ ମହିଳା ଆତଙ୍କୀଙ୍କ ନିଯୁକ୍ତି ନେଇ ଦାୟିତ୍ୱ ମିଳି ଥିଲା। ଦିଲ୍ଲୀ ପୁଲିସର ସୂତ୍ରାନୁସାରେ ଏନଡିଟିଭି ଏକ ରିପୋର୍ଟରେ ଏହି ଦାବି କରିଛି। ଏହି ସୂଚନା ପୂର୍ବରୁ ହିଁ ଆସିଥିଲା ଯେ, ଜୈଶ-ଏ-ମହମ୍ମଦ ମହିଳାଙ୍କୁ ଆତଙ୍କୀ ରାସ୍ତାରେ ଆଣିବାକୁ ଚେଷ୍ଟାରେ ଲାଗି ଥିଲା।

ଏଥିପାଇଁ ଜୈଶ୍ ଏକ ଅଲଗା ୱିଙ୍ଗ୍ ହିଁ ଗଠନ କରିଛି, ଯାହାର ନାଁ ଜମାତ୍ ଉଲ୍-ମୋମିନାତ୍ ରଖା ଯାଇଛି। ଏହାର ନେତୃତ୍ୱ ପାକିସ୍ତାନରେ ବସିଥିବା ଦୁର୍ଦ୍ଦାନ୍ତ ଆତଙ୍କୀ ମସୁଦ ଅଜହରର ଭଉଣୀ ସାଦିଆ ଅଜହର କରିଥାଏ। ସାଦିଆ ଅଜହରର ସ୍ୱାମୀ ୟୁସୁଫ୍ ଅଜହରକୁ ଭାରତୀୟ ସେନା ଅପରେସନ ସିନ୍ଦୂର ବେଳେ ପାକିସ୍ତାନୀ ପଞ୍ଜାବ ଭିତରେ କରାଯାଇ ଥିବା ହମଲାରେ ମାରିଦେଇ ଥିଲା। ୟୁସୁଫ୍ ଅଜହର ବିଷୟରେ କୁହାଯାଏ କି , ସେ କାନ୍ଦାହାର ବିମାନ ଅପହରଣ କାଣ୍ଡରେ ମଧ୍ୟ ସାମିଲ ଥିଲା। ଏବେ ତାର ପତ୍ନୀ ସାରା ଦୁନିଆରେ ଆତଙ୍କୀର ମଞ୍ଜି ପୋତିବାରେ ଲାଗିଛି। ଏବେ କଥା ହେବା ଫରିଦାବାଦ ମଡ୍ୟୁଲରେ ଧରାଯାଇ ଥିବା ଶାହିନ ଶାହିଦର। ଶାହିନ ଶାହିଦର କାରରୁ ଏକ ଏକେ-୪୭ ରାଇଫଲ ମଧ୍ୟ ଜବତ ହୋଇଛି। ସେ ଲକ୍ଷ୍ନୌର ଲାଲ ବାଗ୍ରେ ରୁହେ।

ଅଭିଯୋଗ ମୁତାବିକ , ଶାହିନ୍ ଅଲ୍-ଫଲାହ ୟୁନିଭର୍ସିଟିର ସଦସ୍ୟ। ତାର କଶ୍ମୀରୀ ଡାକ୍ତର ମୁଜମ୍ମିଲ ଗନଇ ଓରଫ ମିସୈବ ସହ ଘନିଷ୍ଠ ସଂପର୍କ ଭାବେ ମନେକରାଯାଏ। ମୁଜମ୍ମିଲଙ୍କୁ ଫରିଦାବାଦରେ ତାଙ୍କର ଦୁଇଟି ଭଡ଼ା ରୁମ୍ରୁ ୨,୯୦୦ କିଲୋଗ୍ରାମ୍ ବିସ୍ଫୋରକ ଓ ଜ୍ୱଳନଶୀଳ ସାମଗ୍ରୀ ଜବତ ହେବା ପରେ ଗିରଫ କରାଯାଇ ଥିଲା। ଜମ୍ମୁ-କଶ୍ମୀରର ପୁନୱାମାର କୋଇଲାର ମୂଳ ନିବାସୀ ମୁଜମ୍ମିଲ ଦିଲ୍ଲୀ ଠାରୁ ପାଖାପାଖି ୪୫ କିଲୋମିଟର ଦୂର ଧୌଜ ସ୍ଥିତ ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ। ମୁଜମ୍ମିଲଙ୍କୁ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ଶ୍ରୀନଗରରେ ଜୈଶ୍-ଏ-ମହମ୍ମଦର ସମର୍ଥନରେ ପୋଷ୍ଟର ଲଗାଇବାର ଏକ ମାମଲାରେ ୱାଣ୍ଟେଡ୍ ବ୍ୟକ୍ତି ଘୋଷିତ କରାଯିବା ପରେ ଗିରଫ କରାଯାଇ ଥିଲା।

ଯାଞ୍ଚରେ ଜଣାପଡ଼ିଛି ଯେ, ରାଇଫଲ, ପିସ୍ତଲ ଓ ଗୋଳା –ବାରୁଦ ରଖିବା ପାଇଁ ବ୍ଯବହାର କରାଯାଇ ଥିବା କାର ଶାହିନ ଶାହିଦଙ୍କର। ପୁଲିସ ଦ୍ୱାରା ମୁଜମ୍ମିଲ ଠାରୁ ପଚରାପଚରି ପରେ ମାରୁତି ସୁଜୁକି ସ୍ୱିଫ୍ଟର ତଲାସୀ ନିଆଯାଇଛି। ଯାହାର ନମ୍ୱର ଫରିଦାବାଦର କୋଡ୍ ଏଚଆର୍ ୫୧ ରୁ ଆରମ୍ଭ ହୋଇଥାଏ। ଶାହିନ ଶାହିଦ କେତେ ବିପଜ୍ଜନକ ତାକୁ ଏମିତି ବୁଝାଯାଇ ପାରେ ଯେ,ତାକୁ ଜୈଶ୍ ଭାରତରେ ମହିଳାଙ୍କ ଆତଙ୍କୀ ଫୌଜ ଠିଆ କରିବା ପାଇଁ ଚୟନ କରିଛି। ପାକିସ୍ତାନର ବହାବଲପୁରରେ ୮ ଅକ୍ଟୋବରରେ ମହିଳାଙ୍କ ଭର୍ତ୍ତିର ଘୋଷଣା କରାଯାଇ ଥିଲା ଏବଂ ଦାୟିତ୍ୱ ଶାହିନ ଶାହିଦକୁ ମିଳିଥିଲା।