ନୂଆଦିଲ୍ଲୀ,୨୪/୦୨; ମେକ୍ସିକୋ ସେନା ଏକ ଅପରେସନ ଜରିଆରେ ଦେଶର ସବୁଠାରୁ ବଡ ଡ୍ରଗ ସୌଦାଗର ଏଲ୍. ମେଞ୍ଚୋ (ନେମେସିଓ ରୁବେନ ଓସେଗୁଏରା ସର୍ଭାଣ୍ଟିସ୍)କୁ ନିପାତ କରିଛି । ଏହାକୁ କେନ୍ଦ୍ର କରି ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୪ଟି ରାଜ୍ୟରେ ହିଂସାକାଣ୍ଡ ଘଟିଛି । ମେଞ୍ଚୋର ସମର୍ଥକମାନେ ଯାନବାହନ, ବିମାନବନ୍ଦର ଓ ମଲ୍ରେ ନିଆଁ ଲଗାଇ ଦେଇଛନ୍ତି । ମେକ୍ସିକୋର ଅନେର ରାଜ୍ୟରେ ବ୍ୟାପକ ହିଂସା ପୋଡ଼ାଜଳା ଦେଖିବାକୁ ମିଳିଛି । ଏହି ହିଂସାରେ ନ୍ୟାସନାଲ ଗାର୍ଡର ୨୫ ଯବାନ ଶହୀଦ ହୋଇଛନ୍ତି । ଏହା ସହି କାର୍ଟେଲର ଅନେକ ସଦସ୍ୟଙ୍କର ମୃତ୍ୟୁ ହୋଇଛି ।
ଗର୍ଲଫ୍ରେଣ୍ଡ ପିଛା କରି ମିଳିଲା ସୁରାଗ- ଆମେରିକାରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କୁ ଚିରନିଦ୍ରାରେ ଶୁଆଉଥିବା ଫେଣ୍ଟାନିଲ ଡ୍ରଗ୍ସ ସୌଦାଗର ଥିଲା ୫୯ ବର୍ଷୀୟ ମେଞ୍ଚୋ । ତାର ଡ୍ରଗ ନେଟୱାର୍କର ନାମ ଥିଲା ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ (ସିଜେଏନ୍ଜି) । ୨୦୦୯ରେ ଏହା ପ୍ରତିଷ୍ଠା ହୋଇଥିଲା । ଏହି କାର୍ଟେଲ ମେକ୍ସିକୋରେ ଡ୍ରଗ ପ୍ରସ୍ତୁତ କରି ବିକ୍ରି କରିବା, ସ୍ଥାନୀୟ ବ୍ୟବସାୟୀଙ୍କୁ ଧମକାଇ ଟଙ୍କା ଆଦାୟ କରିବା ଓ ଲୋକମାନଙ୍କୁ ଭୟଭୀତ କରି ରଖିବା ଭଳି ଡ୍ରଗ୍ ସୌଦାଗରର ମୃତ୍ୟୁରେ ମେକ୍ସିକୋ ଅଶାନ୍ତ ହୋଇଛି । ମେକ୍ସିକୋ ରକ୍ଷା ମନ୍ତ୍ରୀଙ୍କ ଅନୁସାରେ, ଗୁଇନ୍ଦା ଏଜେନ୍ସି ଏଲ. ମେଞ୍ଚୋର ପାର୍ଟନର (ଗର୍ଲଫ୍ରେଣ୍ଡ) ଜଣେ ବିଶ୍ୱସ୍ତ ସହଯୋଗୀଙ୍କୁ ଚିହ୍ନଟ କରିଥିଲା । ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲେ । ଉକ୍ତ ବ୍ୟକ୍ତି ଜଣକ ଏଲ୍ ମେଞ୍ଚୋଙ୍କ ପ୍ରେମିକାଙ୍କୁ ଜାଲିସ୍କୋର ତାପାଲପା ସହ ନିକଟସ୍ଥ ଏକ କୋଠାକୁ ନେଇଥିଲା । ତାଙ୍କ ପଛେ ପଛେ ସେନା ସେଠାକୁ ଯାଇଇଥିଲା । ସେଠାରେ ପହଞ୍ଚିବା ପରେ ତୁରନ୍ତ ଅଭିଯାନ ଆରମ୍ଭ କରିଥିଲେ । ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ଏହି ସମୟରେ ଓସେଗୁଏରାଙ୍କ ପ୍ରତି ବିଶ୍ୱସ୍ତ ବନ୍ଧୁକଧାରୀ ସେନା ଉପରକୁ ଗୁଳି ଚଳାଇ ଜଙ୍ଗଲକୁ ଚାଲି ଯାଇଥିଲେ । କିଛି ସମୟର ସଂଘର୍ଷ ପରେ ସେନା ଏଲ୍ ମାଞ୍ଚୋ ଏବଂ ତାଙ୍କ ନିକଟତରଙ୍କୁ ପାଇଥିଲେ । ଆହତ ଡ୍ରଗ୍ସ ମାଫିଆଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏହି ସମୟରେ ତାର ମୃତ୍ୟୁ ହୋଇଥିଲା । ଏହାର ତୁରନ୍ତ ପରେ ସିଜେଏନଜି ସଦସ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିଲେ । ରାସ୍ତା ଅବରୋଧ କରିଥିଲେ, ଯାନବାହନ ପୋଡ଼ାଜଳା ସହ ସୁରକ୍ଷାକର୍ମୀ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ।
ଏହା ବି ପଢନ୍ତୁ...ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ନିହତ ପରେ ଜଳୁଛି ମେକ୍ସିକୋ, ଭାରତୀୟ ଦୂତାବାସ ପକ୍ଷରୁ ଆଡ୍ଭାଇଜାରି ଜାରି
ମେକ୍ସିକୋରେ ଗୃହଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର କାନାଡା ଓ ଅନ୍ୟ କେତେକ ଦେଶ ସେଠାକୁ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ଭାରତ, ଆମେରିକା ଓ କାନାଡା ସମେତ ଅନ୍ୟ କେତେକ ଦେଶ ନିଜ ନିଜର ନାଗରିକଙ୍କ ଲାଗି ଜରୁରି ଆଡଭାଇଜରି ଜାରି କରିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଘରେ ରହିବା ସହ ହିଂସା ଘଟିଥିବା ସ୍ଥାନ କିମ୍ବା ଗହଳିକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି ।