ନୂଆଦିଲ୍ଲୀ,୨୩/୦୨; ମେକ୍ସିକୋ ଏକ ବଡ଼ ସଫଳତା ହାସଲ କରିଛି । ଦେଶର ସେନା ଦ୍ୱାରା ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ନିହତ ହୋଇଛି । ବଡ ଅପରେସନ କରି ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲର ନେତା ଡ୍ରଗ୍ସ ଚାଲାଣକାରୀ ଏଲ୍ ମେଞ୍ଚୋ ଭାବରେ ଜଣାଶୁଣା ନେମେସିଓ ରୁବେନ୍ ଓସେଗୁଏରା ସର୍ଭାଣ୍ଟେସ୍ ନେତା ନିପାତ ହୋଇଛି । ଏହା ପରେ ମେକ୍ସିକୋରେ ହିଂସା ଦେଖିବାକୁ ମିଳିଛି । ପୋଡାଜଳ ସହ ଭଙ୍ଗାରୁଜା ହୋଇଛି । ଏହି ବଡ଼ ସାମରିକ ଆକ୍ସନ ପଶ୍ଚିମ ରାଜ୍ୟ ଜାଲିସ୍କୋରେ ମେକ୍ସିକୋ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିଲା । ଏହି ସାମରିକ କାର୍ଯ୍ୟନୁଷ୍ଠାନରେ ୫୯ ବର୍ଷୀୟ ଡ୍ରଗ୍ସ ମାଫିଆର ମୃତ୍ୟୁ ହୋଇଛି । ଯାହାକୁ ବିଶ୍ୱରେ ଖୋଜା ପଡିଥିଲା । ବିଶ୍ୱରେ ଡ୍ରଗ୍ସ ବ୍ୟବସାୟ ଚଳାଇଥିଲା ଏଲ୍ ମେଞ୍ଚୋ । ୨୦୦୯ରେ ସିଜେଏନଜେ ଗଠିତ ହୋଇଥିଲା । ଏଲ୍ ମାଞ୍ଚୋର ମୃତ୍ୟୁ ପରେ ମେକ୍ସିକୋରେ ଅରାଜକତା ଦେଖା ଦେଇଛି ।  

​​​​​​​ମେକ୍ସିକୋର ବଡ଼ ନିଶା କାରବାର ସଂଗଠନ ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ ନେତା ଥିଲା ଏଲ୍ ମେଞ୍ଚୋ । ଗୁଳିମାଡ଼ ପରେ ଚିକିତ୍ସା ପାଇଁ ମେକ୍ସିକୋ ସିଟିକୁ ଏୟାରଲିଫ୍ଟ କରାଯାଉଥିବା ସମୟରେ ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ହୋଇଛି । ଆମେରିକା ଏଲ ମେଞ୍ଚୋକୁ ବିଶ୍ୱର ସବୁଠାରୁ ବିପଦଜନକ ଡ୍ରଗ୍ସ ମାଫିଆ ଭାବେ ତାଲିକାଭୁକ୍ତ କରିଥିଲା ।  ତାକୁ ଧରାଇଦେବାକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ମେକ୍ସିକୋ ମଧ୍ୟ ୨୦୧୮ରେ ୧.୭ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା । ଅପରେସନ୍ ସମୟରେ ଅତି କମରେ ଚାରି ଜଣ ସିଜେଏନଜି ସଦସ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏଲ୍ ମେନଚୋଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସିଜେଏନଜି ସଦସ୍ୟମାନେ ପ୍ରତିବାଦ କରିଥିଲେ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । କାର୍ଟେଲ ସମର୍ଥକମାନେ ରାସ୍ତା ଅବରୋଧ କରିବା ସହ ବସ୍ ଏବଂ କିଛି ଦୋକାନ ପୋଡ଼ି ଦେଇଛନ୍ତି । ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଯାହାକୁ ନେଇ ମେକ୍ସିକୋର ଅନେକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

ଏହା ବି ପଢନ୍ତୁ...ଯେପର୍ଯ୍ୟନ୍ତ ଟ୍ରମ୍ପ କ୍ଷମତାରେ ଅଛନ୍ତି ଆମେରିକା ଯାଅ ନାହିଁ : ବ୍ରିଟେନର ଜଣେ ମହିଳା ICE ର କଲେ ବଡ଼ ଖୁଲାସା

ଭାରତୀୟ ଦୂତାବାସର ଆଡଭାଇଜାରି - ମେକ୍ସିକୋରେ ଉତ୍ତେଜନା, ପୋଡ଼ାଜଳା ଓ ହିଂସାରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତାପ୍ରକାଶ କରିଛି ଇଣ୍ଡିଆନ ଦୂତାବାସ । ଏ ନେଇ ଆଡଭାଇଜାରି ଜାରି କରିଛି । ମେକ୍ସିକୋରେ ଥିବା ସବୁ ଭାରତୀୟଙ୍କୁ ପରାମର୍ଶ ଦେଇଛି ଦୂତାବାସ । ନିଜ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛି । ଅପରାଧିକ କାର୍ଯ୍ୟକଳାପଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଅନାବଶ୍ୟକ ଚଳପ୍ରଚଳ ନ କରିବାକୁ ବିଶେଷ ଅନୁରୋଧ କରିଛି । ମେକ୍ସିକୋରେ ସୁରକ୍ଷା ଅଭିଯାନ ଏବଂ ସମ୍ପୃକ୍ତ ରାସ୍ତା ଅବରୋଧ ଏବଂ ଅପରାଧିକ କାର୍ଯ୍ୟକଳାପ ଜାରି ରହିଛି । ଭାରତୀୟ ନାଗରିକମାନେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସେଠାରେ ନିଜ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଦୂତାବାସ କହିଛି ।