ନୂଆଦିଲ୍ଲୀ, ୧୩/୦୬ : ସ୍ପେସଏକ୍ସର ସେୟାର ବଜାରରେ ଡେବ୍ୟୁ ପରେ ଏଲନ ମସ୍କ ଦୁନିଆର ପ୍ରଥମ ଟ୍ରିଲିଓନେୟର ହୋଇଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧.୧ ଟ୍ରିଲିୟନ ଡଲାର ପାଖାପାଖି ପହଞ୍ଚିଛି। ଯାହାକି ଜଣେ ସାଧାରଣ ଲୋକର କଳ୍ପନା ବାହାରେ। ତେବେ ଆପଣ କେବେ ଭାବିଛନ୍ତି କି... ଯଦି ମସ୍କଙ୍କ ସମ୍ପତ୍ତି ଦୁନିଆର ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ବଣ୍ଟାଯାଏ ତାହେଲେ ସମସ୍ତଙ୍କ ଭାଗରେ କେତେ ପଡ଼ିବ ? ଏହାର ଉତ୍ତର ହେଲା ମସ୍କଙ୍କ ସମ୍ପତ୍ତି ପ୍ରତି ବ୍ୟକ୍ତିଙ୍କ ଭାଗରେ ୧୦ ହଜାର ୩୦୦ ଟଙ୍କା ପଡ଼ିପାରେ।
ଫୋର୍ବସ୍ ରିପୋର୍ଟ ଅନୁସାରେ, ଶୁକ୍ରବାର ଏଲନ ମସ୍କଙ୍କ ରକେଟ୍ କମ୍ପାନୀ ସ୍ପେସଏକ୍ସ ସେୟାର ବଜାରରେ ଧମାକେଦାର୍ ଡେବ୍ୟୁ କରିବା ପରେ ତାଙ୍କ ସମ୍ପତ୍ତି ୧.୧ ଟ୍ରିଲିୟନ ଡଲାର ପାଖାପାଖି ପହଞ୍ଚିଛି। ଏହା ସହ ସେ ଦୁନିଆର ପ୍ରଥମ ଟ୍ରିଲିଓନେୟର ହୋଇଛନ୍ତି। ତେବେ ଏକ ଟ୍ରିଲିୟନ ବା ୧00,000 କୋଟି ଜଣେ ସାଧାରଣ ମଣିଷର ବୁଝିବା ବାହାରେ। ତେବେ ଏକ ଟ୍ରିଲିୟନ ଡଲାର ଏକ ବିଲିୟନ ଡଲାର ଅପେକ୍ଷା ହଜାର ଗୁଣ ବଡ଼। ଏବଂ ଦଶ ଲକ୍ଷ ଡଲାର ତୁଳନାରେ, ଏହି ପରିମାଣ ଦଶ ଲକ୍ଷ ଗୁଣ ବଡ଼। ଯେଉଁ ଅକଳ୍ପନୀୟ ଆର୍ଥିକ ଶକ୍ତିର ଅଧିକାରୀ ଏବେ ମସ୍କ ହୋଇଛନ୍ତି।
ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ମଧ୍ୟ ନିଅଣ୍ଟିଆ ହେବ
ଯଦି ଏକ ଟ୍ରିଲିୟନ ଡଲାର ନଗଦ ନୋଟ୍ କୁ କ୍ରମିକ ଭାବରେ ମାଟିରେ ରଖିଲେ ସୂର୍ଯ୍ୟ ଏବଂ ଚନ୍ଦ୍ରର ଦୂରତା ନିଅଣ୍ଟ ପଡ଼ିଯିବ। ଏହି ନୋଟକୁ ଧାଡ଼ି କରି ସଜାଡ଼ି ରଖିଲେ ଏହା ପ୍ରାୟ ୯.୭ କୋଟି ମାଇଲ୍ ବା ୧୫.୬ କୋଟି କିଲୋମିଟରର ଅବିଶ୍ଵସନୀୟ ଦୂରତା ଯାଏଁ ରଖାଯାଇପାରିବ। ଏହି ଦୂରତା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଥିବା ପ୍ରାୟ ୯.୩ କୋଟି ମାଇଲ୍ ଦୂରତା ଠାରୁ ବି ଢେର୍ ଅଧିକ। କେବଳ ସେତିକି ନୁହେଁ ନାସା ଅନୁସାରେ ପୃଥିବୀରୁ ଚନ୍ଦ୍ରମାର ଦୂରତା ମାପକୁ ନେଲେ ଏହି ନୋଟ୍ ଚନ୍ଦ୍ରର ୨୦୦ରୁ ଅଧିକ ଥର ଚକ୍କର ଲଗାଇପାରିବ।
ମସ୍କଙ୍କ ସମ୍ପତ୍ତି ପ୍ରତି ବ୍ୟକ୍ତିଙ୍କ ଭାଗରେ କେତେ ପଡ଼ିବ ?
ଆମେରିକାର ଜନଗଣନା ବ୍ୟୁରୋର ସଦ୍ୟତମ ତଥ୍ୟ ଅନୁଯାୟୀ, ଏବେ ପୃଥିବୀରେ ପ୍ରାୟ ୮.୨ ବିଲିୟନ ଲୋକ ଅଛନ୍ତି। ଯଦି ସମଗ୍ର ଜନସଂଖ୍ୟା ମଧ୍ୟରେ ୧ ଟ୍ରିଲିୟନ ଆମେରିକୀୟ ଡଲାର ବଣ୍ଟନ କରାଯାଏ, ତେବେ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ୧୨୨ ଆମେରିକୀୟ ଡଲାର (୧୦ ହଜାର ୩୦୦ ଟଙ୍କା) ପାଇବେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ର ୨୦୨୬ ତଥ୍ୟ ଅନୁଯାୟୀ, ମସ୍କଙ୍କ ଜନ୍ମସ୍ଥାନ ଦକ୍ଷିଣ ଆଫ୍ରିକାର ମୋଟ ବାର୍ଷିକ GDP ପ୍ରାୟ ୪୮୦ ବିଲିୟନ। ମସ୍କଙ୍କ ୧ ଟ୍ରିଲିୟନ ଡଲାର ସମ୍ପତ୍ତି ଏହି ସମଗ୍ର ଦେଶରେ ସାମଗ୍ରୀ ଏବଂ ସେବାର ମୋଟ ଉତ୍ପାଦନର ଦୁଇଗୁଣରୁ ଅଧିକ।
ମସ୍କଙ୍କ ସମ୍ପତ୍ତିରେ ୟୁଏସ୍ ରେ କିଣାହୋଇପାରିବ ୨୫ ଲକ୍ଷ ଘର
ସେଣ୍ଟ ଲୁଇସର ଫେଡେରାଲ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଆମେରିକାରେ ବିକ୍ରି ହେଉଥିବା ଘରର ହାରାହାରି ମୂଲ୍ୟ ପ୍ରାୟ ୪୦୩,୨୦୦ ଡଲାର। ମସ୍କଙ୍କ ୧ ଟ୍ରିଲିୟନ ସମ୍ପତ୍ତିରେ, ଯେକେହିବି ଆମେରିକାରେ ପ୍ରାୟ ୨୫ ଲକ୍ଷ ବିଳାସପୂର୍ଣ୍ଣ ଘର କିଣିପାରିବେ। ଏହି ସଂଖ୍ୟା କେବଳ ଯେକୌଣସି ଦେଶର ସମ୍ପୂର୍ଣ୍ଣ ରିଅଲ୍ ଇଷ୍ଟେଟ୍ ଆବଶ୍ୟକତା ପୂରଣ କରିପାରିବ।
ଫୋର୍ବସ୍ ଅନୁଯାୟୀ, ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ଗୁଗୁଲ୍ ସହ-ପ୍ରତିଷ୍ଠାତା ଲାରି ପେଜ୍। ଯାହାଙ୍କ ସମ୍ପତ୍ତି ମୂଲ୍ୟ ୨୯୫ ବିଲିୟନ। ସେ ମସ୍କଙ୍କଠାରୁ ୭୦୫ ବିଲିୟନ ପଛରେ ଅଛନ୍ତି। ଯଦି ବିଶ୍ୱର ପରବର୍ତ୍ତୀ ଚାରି ଜଣ ଧନୀ ବ୍ୟକ୍ତି - ଲାରି ପେଜ୍, ସେର୍ଗେଇ ବ୍ରିନ୍ (୨୭୨ ବିଲିୟନ), ଜେଫ୍ ବେଜୋସ୍ (୨୪୭ ବିଲିୟନ) ଏବଂ ଲାରି ଏଲିସନ (୨୨୮ ବିଲିୟନ) ଙ୍କ ମିଳିତ ସମ୍ପତ୍ତିକୁ ମିଶାଇ ଦିଆଯାଏ, ତାହେଲେ ଏହା ମସ୍କଙ୍କ ସମ୍ପତ୍ତି ସହିତ ସମାନ ହେବ।
ଆହୁରି ପଢନ୍ତୁ- ଦୁନିଆର ପ୍ରଥମ ଖରବପତି ହେବା ସହ ରଚିଲେ ସବୁଠାରୁ ବଡ଼ ରେକର୍ଡ, ତାଇୱାନର GDPକୁ ଟପିଲା ମୋଟ ସମ୍ପତ୍ତି
ରବିବାରରେ କାମ କଲେ ଉଠାଇନେବ ପୋଲିସ, ଟିଭି ଲଗାଇଲେ ଜରିମାନା ଓ ଡ୍ରେସ ସଫା କଲେ ଜେଲ!