ନୂଆଦିଲ୍ଲୀ ୨୮/୦୭: ଚିକିତ୍ସାରେ ଅବହେଳାର ଏକ ମାମଲା ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ହରିୟାଣା ପାନିପତର ଜିଟି ରୋଡ୍ ସ୍ଥିତ ପାର୍କ ହସ୍ପିଟାଲର । ପରିବାର ଦାବି କରିଛନ୍ତି, ସଡ଼କ ଦୁର୍ଘଟଣାରେ ଆହତ ମହିଳାଙ୍କୁ କେବଳ ଗୋଡ଼ ହାଡ଼ର ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପର ଦିନ କୌଣସି ସୂଚନା ଓ ସହମତି ବିନା ତାଙ୍କ ହୃତ୍ପିଣ୍ଡ ଅପରେସନ୍ କରାଇ ଦିଆଗଲା । ମହିଳାଙ୍କ ହୃତ୍ପିଣ୍ଡରେ ଷ୍ଟେଣ୍ଟ ଲଗାଇବା ସହିତ ସହମତି ପତ୍ରରେ ନକଲି ହସ୍ତାକ୍ଷର କରାଯାଇଥିଲା । ଚିକିତ୍ସା ସମୟରେ ମହିଳାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ଅଭିଯୋଗକର୍ତ୍ତା କୁଲଦୀପ କହିଛନ୍ତି, ଗତ ୨୪ ତାରିଖ ତାଙ୍କ ପତ୍ନୀ ଗୁଡ୍ଡୀ ଦେବୀ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଘଟଣାରେ ତାଙ୍କର ଗୋଡ଼ ହାଡ଼ ଭାଙ୍ଗିଥିଲା । ଚିକିତ୍ସା ପାଇଁ ତାଙ୍କୁ ପାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୋଡ଼ର ଚିକିତ୍ସା ପରେ ପୀଡ଼ିତା ଖୁବ୍ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୨୫ ତାରିଖ ଡାକ୍ତର ପରିବାରକୁ ନ ଜଣାଇ ମହିଳାଙ୍କର ଆଞ୍ଜିଓପ୍ଲାଷ୍ଟି କରିଦେଲେ । ଅନାବଶ୍ୟକ ଚିକିତ୍ସା ପ୍ରକ୍ରିୟା ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା ଏବଂ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପରେ ଏହି ପ୍ରକ୍ରିୟା ବିଷୟରେ ସେମାନେ ଜାଣିବାକୁ ପାଇଲେ । ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଯାଞ୍ଚ ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ...World Bank Freshwater Data: ବିଶ୍ୱ ବ୍ୟାଙ୍କର ନୂଆ ତଥ୍ୟ, ଏ ଦେଶରେ ନାହିଁ ଟୋପାଏ ବି ମଧୁର ଜଳ