ନୂଆଦିଲ୍ଲୀ, ୧୨।୬: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ସେ ଖୁବଶୀଘ୍ର ଦୁନିଆର ପ୍ରଥମ ‘ଟ୍ରିଲିୟନେୟାର’ ହେବାର ଗୌରବ ହାସଲ କରିବେ । ମସ୍କଙ୍କ ଏରୋସ୍ପେସ୍ କମ୍ପାନୀ ‘ସ୍ପେସ୍ଏକ୍ସ’ ସବୁଠାରୁ ବଡ଼ ଆଇପିଓ ଲଞ୍ଚ କରିବା ପରେ ତାଙ୍କ ସମ୍ପତ୍ତିରେ ଏହି ବିପୁଳ ବୃଦ୍ଧି ଘଟିଛି । ଆଇପିଓ ଆସିବା ମାତ୍ରେ ମସ୍କଙ୍କ ନେଟ୍ୱର୍ଥ ୨୭୪ ଅରବ ଡଲାର ବଢ଼ିଯାଇଛି, ଯାହାଫଳରେ ତାଙ୍କର ମୋଟ୍ ସମ୍ପତ୍ତି ପ୍ରାୟ ତାଇୱାନର ଜିଡିପି ସହ ସମାନ ହୋଇଯାଇଛି । ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ ଆମେରିକା ବଜାରରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଇନିସିଆଲ୍ ପବ୍ଲିକ୍ ଅଫର (IPO) ଆଣିଛି । ଏହାର ପ୍ରାଇସ୍ ବ୍ୟାଣ୍ଡ ପ୍ରତି ସେୟାର ୧୩୫ ଡଲାର ଧାର୍ଯ୍ୟ କରାଯାଇଛି । ଏହି ଲଞ୍ଚିଂ ସହ ସ୍ପେସ୍ଏକ୍ସର ମାର୍କେଟ ଭାଲ୍ୟୁଏସନ ୧.୭୭ ଟ୍ରିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି । ସ୍ପେସ୍ଏକ୍ସର ସେୟାର କାରବାର ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହେଲେ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୧.୧ ଟ୍ରିଲିୟନ ଡଲାର ଅତିକ୍ରମ କରିଯିବ । ଏହା ସହ ସେ ବିଶ୍ୱର ପ୍ରଥମ ଟ୍ରିଲିୟନେୟାର ବନିଯିବେ ।
କେତେ ରହିଛି ମସ୍କଙ୍କ ସମ୍ପତ୍ତି ?
ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ବର୍ତ୍ତମାନ ଏଲନ ମସ୍କଙ୍କ ନେଟ୍ୱର୍ଥ ୯୭୧ ଅରବ ଡଲାରରେ ପହଞ୍ଚିଛି । ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି ତଥା ଗୁଗଲ ଆଲଫାବେଟ୍ର କୋ-ଫାଉଣ୍ଡର ଲ୍ୟାରୀ ପେଜ୍ଙ୍କଠାରୁ ମସ୍କ ଏବେ ୩ ଗୁଣରୁ ଅଧିକ ଧନୀ । ଚଳିତ ବର୍ଷ ୨୦୨୬ରେ ମସ୍କଙ୍କ ସମ୍ପତ୍ତିରେ ୩୫୧ ଅରବ ଡଲାର ବୃଦ୍ଧି ଘଟିଛି ।
କେତେକ ଦେଶର ଅର୍ଥବ୍ୟବସ୍ଥାଠାରୁ ବି ବଡ଼ ମସ୍କଙ୍କ ସାମ୍ରାଜ୍ୟ:
ମସ୍କଙ୍କ ୯୭୧ ଅରବ ଡଲାରର ସମ୍ପତ୍ତି ଏବେ ତାଇୱାନର ବାର୍ଷିକ ଜିଡିପି ୯୭୬ ଅରବ ଡଲାର ପାଖାପାଖି ହୋଇଛି । କେବଳ ସେତିକି ନୁହେଁ, ମସ୍କଙ୍କ ମୋଟ ସମ୍ପତ୍ତି ଏବେ ଭାରତର ମୋଟ ଜିଡିପିର ପ୍ରାୟ ୪.୧୫ ଟ୍ରିଲିୟନ ଡଲାର ଅର୍ଥାତ୍ ଏକ ଚତୁର୍ଥାଂଶ । ୧୯୭୧ ମସିହାରେ ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିବା ଏଲନ ମସ୍କ ଆଜି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟବସାୟୀ । ସେ ନିଜର ଦୂରଦୃଷ୍ଟି ସମ୍ପନ୍ନ କମ୍ପାନୀଗୁଡ଼ିକ ପାଇଁ ସାରା ବିଶ୍ୱରେ ପରିଚିତ । ୨୦୦୮ରେ ସିଇଓ ଭାବେ ଯୋଗ ଦେଇ ଟେସଲା ଇଲେକ୍ଟ୍ରିକ ଭେହିକିଲ୍ (EV) ଦୁନିଆରେ ବିପ୍ଳବ ଆଣିଲେ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଘରୋଇ କମ୍ପାନୀ ଭାବେ ସ୍ପେସ୍ଏକ୍ସ ଗଢ଼ି ଇତିହାସ ରଚିଲେ । ଏଥିସହ ବ୍ରେନ୍-ଇମ୍ପ୍ଲାଣ୍ଟ ଷ୍ଟାର୍ଟଅପ୍ ‘ନ୍ୟୁରାଲିଙ୍କ’, ଅଣ୍ଡରଗ୍ରାଉଣ୍ଡ ଟ୍ରାନ୍ସପୋର୍ଟେସନ କମ୍ପାନୀ ‘ଦି ବୋରିଂ କମ୍ପାନୀ’ ଏବଂ ୨୦୨୨ରେ ୪୪ ଅରବ ଡଲାରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ କୁ ସେ କିଣିଥିଲେ । ଆଧୁନିକ ଇତିହାସରେ କୌଣସି ଜଣେ ବ୍ୟକ୍ତି ଏତେ କମ୍ ସମୟ ମଧ୍ୟରେ ଏତେ ବଡ଼ ଆର୍ଥିକ ସାମ୍ରାଜ୍ୟ ଗଢ଼ିବାରେ ପୂର୍ବରୁ କେବେ ସକ୍ଷମ ହୋଇନଥିଲେ ।
ଆହୁରି ପଢ଼ନ୍ତୁ... Employee scolded for working too much: ଅଫିସ୍ରେ ଅଧିକ କାମ କରି ଗାଳି ଶୁଣିଲେ କର୍ମଚାରୀ, ମ୍ୟାନେଜର୍ କହିଲେ ଏମିତି କିଛି