ଭୁବନେଶ୍ଵର, ୦୯/୦୫ : ୟୁରାନିୟମ ହେଉଛି ଏକ ଭାରୀ ଧାତୁ ଯାହାକୁ ପରମାଣୁ ରିଆକ୍ଟର ଏବଂ ଅସ୍ତ୍ରଶସ୍ତ୍ରରେ ଇନ୍ଧନ ଭାବେ ବ୍ୟବହାର କରାଯାଏ । ଏହାକୁ ଇନ୍ଧନ ଭାବେ ବ୍ୟବହାର କରିବା ପୂର୍ବରୁ ଏହାକୁ ବିଭିନ୍ନ ପ୍ରକାର ଉପାଦାନରେ ପରିଣତ କରିବାକୁ ପଡ଼ିଥାଏ । ପ୍ରଥମେ ୟୁରାନିୟମ ଥିବା ପଥରକୁ ଖନନ କରାଯାଇ ବାହାର କରାଯାଏ । ଏହାପରେ ଏହି ଓର୍‌କୁ ଗୁଣ୍ଡ କରାଯାଇ କେମିକାଲରେ ପ୍ରକ୍ରିୟା କରାଯାଏ, ଫଳରେ ଏହା ଏକ ପାଉଡରରେ ପରିଣତ ହୋଇପାରିବ । ଏହାକୁ ୟେଲୋକେକ୍‌ କୁହାଯାଏ । ପରେ ଏହାକୁ ହାଇଡ୍ରୋଜେନ ଫ୍ଲୋରାଇଡ ଗ୍ୟାସ ସହ ପ୍ରତିକ୍ରିୟା କରାଯାଇ ଏହାକୁ ଏକ ସବୁଜ କ୍ରିଷ୍ଟାଲାଇନ ପାଉଡରରେ ପରିଣତ କରାଯାଏ, ଯାହାକୁ ୟୁରାନିୟମ ଟେଟ୍ରାଫ୍ଲୋରାଇଡ ବା ଗ୍ରୀନ ସଲ୍‌ଟ କୁହାଯାଏ । ପୁଣି ଏହାକୁ ଫ୍ଲୋରିନେଟ କରାଯାଇ କଠିନ ଧଳା କ୍ରିଷ୍ଟାଲ ପ୍ରସ୍ତୁତ କରାଯାଏ । ଗରମ କରାଯିବା ବେଳେ ଏହା ଏକ ଗ୍ୟାସରେ ପରିଣତ ହୋଇଯାଏ । ଏହା ୟୁରାନିୟମ ହେକ୍ସାଫ୍ଲୋରାଡ ହୋଇଥାଏ । ଏହାକୁ ସେଣ୍ଟ୍ରିଫ୍ୟୁଜରେ ଘୂରାଯାଏ ଏବଂ ଉତ୍କୃଷ୍ଟ କଳା ପାଉଡରରେ ରୂପାନ୍ତରିତ କରାଯାଏ । ଏହାକୁ ୟୁରାନିୟମ ଡାଇଅକ୍ସାଇଡ କୁହାଯାଏ । ଏହାକୁ ଆହୁରି ଜୋରରେ ଚପାଯାଇ କଳା ସେରାମିକ ପେଲେଟରେ ପରିଣତ କରାଯାଏ, ଯାହାକୁ ଆଣବିକ ରିଆକ୍ଟରରେ ବ୍ୟବହାର କରାଯାଇଥାଏ । ଏହାକୁ ଫୁଏଲ୍‌ ପେଲେଟ କୁହାଯାଏ ।

ୟେଲୋକେକ୍‌: ଖାଦାନରୁ ବାହାର କରାଯାଇଥିବା ଓର୍‌କୁ ପେଷାଯାଇଥାଏ । ପରେ ତାହା ବିଭିନ୍ନ ରାସାୟନିକ ପ୍ରକ୍ରିୟା ଦେଇ ଗତି କରିଥାଏ । ଯାହାଦ୍ୱାରା ଏକ ମୋଟା ପାଉଡର ପ୍ରସ୍ତୁତ ହୋଇଥାଏ । ଏହାକୁ ୟେଲୋକେକ୍‌ କୁହାଯାଏ । ୟେଲୋକେକ୍‌ ହୋଇଥିଲେ ହେଁ ଏହାର ରଙ୍ଗ ହଳଦିଆ ନୁହେଁ । ବରଂ ଏହା ଘନ ସବୁଜ ବା ଚାର୍‌କୋଲ୍‌ ରଙ୍ଗର ହୋଇଥାଏ । ଏଥିରୁ କଳ୍ପନା କରାଯାଇପାରେ ଯେ ଏହାକୁ କେତେ ମାତ୍ରାରେ ଉତ୍ତପ୍ତ କରାଯାଇଛି । 
ୟୁରାନିୟମ ଟେଟ୍ରାଫ୍ଲୋରାଇଡ: ଏହାପରେ ୟେଲୋକେକ୍‌କୁ ହାଇଡ୍ରୋଜେନ ଫ୍ଲୋରାଇଡ ଗ୍ୟାସ ଦ୍ୱାରା ବିଶୋଧନ କରାଯାଏ, ଯଦ୍ଦ୍ୱାରା ଏହା ଏମେରାଲ୍ଡ-ଗ୍ରୀନ୍‌ କ୍ରିଷ୍ଟାଲରେ ପରିଣତ ହୋଇଯାଏ । ଏହାକୁ ୟୁରାନିୟମ ଟେଟ୍ରାଫ୍ଲୋରାଇଡ ବା ଗ୍ରୀନ ସଲ୍‌ଟ କୁହାଯାଏ । 
ୟୁରାନିୟମ ହେକ୍ସାଫ୍ଲୋରାଇଡ: ଗ୍ରୀନ୍‌ ସଲ୍‌ଟକୁ ଆହୁରି ଫ୍ଲୋରିନେଟ୍‌ କରାଯାଇ ଏକ ଘନ ଧଳା କ୍ରିଷ୍ଟାଲ୍‌ ବନାଯାଏ, ଯାହାକୁ ୟୁରାନିୟମ ହେକ୍ସାଫ୍ଲୋରାଇଡ କୁହାଯାଏ । ଯେତେବେଳେ ଏହାକୁ ହାଲୁକା ଭାବେ ଗରମ କରାଯାଏ ଏହା କ୍ରିଷ୍ଟାଲ ଗ୍ୟାସରେ ପରିଣତ ହୁଏ, ଯାହାଦ୍ୱାରା ଏହା ଏନ୍‌ରିଚ୍‌ମେଣ୍ଟ ବା ସମୃଦ୍ଧିକରଣ ନିମନ୍ତେ ପ୍ରସ୍ତୁତ ହୋଇଯାଏ । 
ୟୁରାନିୟମ ଡାଇଅକ୍ସାଇଡ: ଏହି ଗ୍ୟାସକୁ ଏକ ସେଣ୍ଟ୍ରିଫ୍ୟୁଜ ମେସିନରେ ଘୂରାଯାଇଥାଏ, ଯାହା ଏହାକୁ ରାସାୟନିକ ଭାବେ ଏକ ଉତ୍କୃଷ୍ଟ କଳା ପାଉଡରରେ ପରିଣତ କରିଦେଇଥାଏ । 
ଫୁଏଲ୍‌ ପେଲେଟ୍‌: ଏହି କଳା ପାଉଡରକୁ ଚପାଯାଇ କଳା ସେରାମିକ ପେଲେଟ୍‌ ପ୍ରସ୍ତୁତ କରାଯାଏ, ଯାହାର ବ୍ୟବହାର ପୁଣି ଏକ ପରମାଣୁ ରିଆକ୍ଟରରେ କରାଯାଇ ପାରିବ । 

ୟୁରାନିୟମ ସମୃଦ୍ଧିକରଣ ପ୍ରକ୍ରିୟା

ପ୍ରାକୃତିକ ୟୁରାନିୟମ ତିନୋଟି ରୂପରେ ଉପଲବ୍ଧ ହୋଇଥାଏ, ଯାହାକୁ ଆଇସୋଟୋପ୍‌ କୁହାଯାଏ । ଏହା ଗୋଟିଏ ତତ୍ତ୍ୱ ହୋଇଥାଏ, ଯେଉଁଥିରେ ପ୍ରୋଟନର ସଂଖ୍ୟା ସମାନ ହୋଇଥାଏ । କିନ୍ତୁ ନ୍ୟୁଟ୍ରନର ସଂଖ୍ୟା ଭିନ୍ନ ଭିନ୍ନ ହୁଏ । ପରମାଣୁ ଶକ୍ତି ଉତ୍ପନ ଲାଗି ୟୁରାନିୟମ ସମୃଦ୍ଧିକରଣ ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରକୃତିରେ ମିଳୁଥିବା ୟୁରାନିୟମର ଦୁଇଟି ମୁଖ୍ୟ ଆଇସୋଟୋପ୍‌ ହେଲା ୟୁ-୨୩୮ (୯୯.୨୯%) ଏବଂ ୟୁ୨୩୫(୦.୭%) । ୟୁ-୨୩୮ ସବୁଠୁ ଭାରୀ ଏବଂ ଅଧିକ ମାତ୍ରାରେ ମିଳେ । କିନ୍ତୁ ଏଥିରୁ ପରମାଣୁ ଶକ୍ତି ବାହାର କରିବା ସହଜ ନୁହେଁ । ଏହା କମ୍‌ ରେଡିଓଆକ୍ଟିଭ । ୟୁ-୨୩୫ ହାଲୁକା ଏବଂ ଅଧିକ ରେଡିଓଆକ୍ଟିଭ । ଏହା ନ୍ୟୁକ୍ଲିୟର ଚେନ୍‌ ରିଆକ୍ସନକୁ ବଜାୟ ରଖିବାରେ ସକ୍ଷମ । ଶକ୍ତି ଉତ୍ପାଦନ ପାଇଁ ବୈଜ୍ଞାନିକମାନେ ହାଲୁକା ଏବଂ ଅଧିକ ରେଡିଓଆକ୍ଟିଭ୍‌ ୟୁ-୨୩୫କୁ ୟୁ-୨୩୮ରୁ ଅଲଗା କରିଥାନ୍ତି । ଏହି ପ୍ରକ୍ରିୟାକୁ ୟୁରାନିୟମ ଏନ୍‌ରିଚ୍‌ମେଣ୍ଟ ବା ୟୁରାନିୟମ ସମୃଦ୍ଧିକରଣ କୁହାଯାଏ ।  ଦୁଇଟି ଭିନ୍ନ ଆଇସୋଟୋପର ଓଜନ ସାମାନ୍ୟ ଭିନ୍ନ ହୋଇଥିବାବେଳେ ହାଇସ୍ପିଡ୍‌ ସେଣ୍ଟ୍ରିଫ୍ୟୁଜ୍‌ ମେସିନ ଦ୍ୱାରା ୟୁରାନିୟମକୁ ଅଲଗା କରାଯାଇଥାଏ । ପ୍ରଥମେ ୟୁରାନିୟମକୁ ମେସିନ ଭିତରକୁ ଛଡ଼ାଯାଏ । ଇଲେକ୍ଟ୍ରିକ ମୋଟର ଦ୍ୱାରା ତାହାକୁ ହାଇସ୍ପିଡ୍‌ରେ ଘୂର୍ଣ୍ଣନ କରାଯାଏ । ମେସିନ୍‌ର ମଧ୍ୟଭାଗ ଆଡ଼କୁ ୟୁ-୨୩୫ ଚାଲିଆସିଥାଏ । ୟୁ-୨୩୮ ବାହାର କାନ୍ଥ ଆଡ଼କୁ ଲାଗିଯାଇଥାଏ । ମଝିଭାଗରେ ଥିବା ଗ୍ୟାସ୍‌, ଯେଉଁଥିରେ ୟୁ-୨୩୫ର ମାତ୍ରା ଅଧିକ ଥାଏ, ତାହାକୁ ବାହାର କରି ଅନ୍ୟ ଏକ ସେଣ୍ଟ୍ରିଫ୍ୟୁଜ୍‌କୁ ପଠାଯାଏ । ଆବଶ୍ୟକ ସାନ୍ଦ୍ରତା ବା କନ୍‌ସେନ୍‌ଟ୍ରେସନ ନ ମିଳିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ବାରମ୍ବାର ଦୋହରା ଯାଇଥାଏ । ବଳକା ରହିଥିବା ଅବଶିଷ୍ଟ ୟୁରାନିୟମକୁ ଅଲଗା ବାହାର କରି ଦିଆଯାଏ ।

ସମୃଦ୍ଧିକରଣକୁ କେତେ ସମୟ ଲାଗେ?

ୟୁରାନିୟମ ସମୃଦ୍ଧିକରଣ ଏକ ଜଟିଳ ପ୍ରକ୍ରିୟା । ୦.୭ ପ୍ରତିଶତ ପ୍ରାକୃତିକ ୟୁରାନିୟମରୁ ୨୦ ପ୍ରତିଶତ (ଏଲ୍‌ଇୟୁ)ରେ ପହଞ୍ଚିବା ବେଶ୍‌ କଷ୍ଟକର । କିନ୍ତୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧିକରଣ ହୋଇସାରିଥିବା ୟୁରାନିୟମରୁ ୯୦ ପ୍ରତିଶତ(ଏଚ୍‌ଇୟୁ)ରେ ପହଞ୍ଚିବା ଅନେକ ଗୁଣ ସହଜ । ଥରେ ୟୁରାନିୟମ ୨୦ ପ୍ରତିଶତ ସମୃଦ୍ଧ ହୋଇଗଲେ, ଏହାକୁ ୯୦ ପ୍ରତିଶତ ବା ଅସ୍ତ୍ରଶସ୍ତ୍ର ନିର୍ମାଣ ଯୋଗ୍ୟ ସ୍ତରରେ ପହଞ୍ଚାଇବା ପାଇଁ କମ୍‌ ସମୟ ଲାଗିଥାଏ । ୟୁରାନିୟମ ସମୃଦ୍ଧ କରିବା ଲାଗି ଆବଶ୍ୟକ ପ୍ରୟାସକୁ ସେପାରେଟିଭ୍‌ ୱାର୍କ ୟୁନିଟ୍‌ (ଏସ୍‌ଡବ୍ଲ୍ୟୁୟୁ)ରେ ମପାଯାଇଥାଏ ।

ଏଚ୍‌ଇୟୁ-ଏଲ୍‌ଇୟୁ କ’ଣ ?

ୟୁରାନିୟମରେ ୟୁ-୨୩୫ର ମାତ୍ରା ଯେତେ ଅଧିକ ରହିବ ତାହା ସେତେ ସମୃଦ୍ଧ ବା ଏନ୍‌ରିଚ୍‌ଡ ବୋଲି ଧରାଯିବ । ପରମାଣୁ ଶକ୍ତି କେନ୍ଦ୍ର ଚଳାଇବା ପାଇଁ ଅଳ୍ପ ପରିମାଣର (୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ) ୟୁରାନିୟମ ସମୃଦ୍ଧିକରଣ ଯଥେଷ୍ଟ । କିନ୍ତୁ ପରମାଣୁ ଅସ୍ତ୍ରଶସ୍ତ୍ର ବନାଇବା ଲାଗି ବହୁତ ଅଧିକ (ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ) ସମୃଦ୍ଧିକରଣ ଆବଶ୍ୟକ ହୋଇଥାଏ । ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ର ମାନଦଣ୍ଡ ଅନୁଯାୟୀ, ୨୦ ପ୍ରତିଶତରୁ କମ୍‌ ସମୃଦ୍ଧ ୟୁରାନିୟମକୁ ଲୋ-ଏନ୍‌ରିଚ୍‌ଡ ୟୁରାନିୟମ(ଏଲ୍‌ଇୟୁ) ଏବଂ ୨୦ ପ୍ରତିଶତରୁ ଅଧିକ ସମୃଦ୍ଧ ୟୁରାନିୟମକୁ ଅଧିକ ସମୃଦ୍ଧ ବା ହାଇଲି-ଏନ୍‌ରିଚ୍‌ଡ ୟୁରାନିୟମ (ଏଚ୍‌ଇୟୁ) କୁହାଯାଏ । ଏଲ୍‌ଇୟୁ (୩ରୁ ୫ ପ୍ରତିଶତ)କୁ ବାଣିଜ୍ୟିକ ସ୍ତରରେ ବା ବିଶ୍ୱର ଅଧିକାଂଶ ପରମାଣୁ ଶକ୍ତି କେନ୍ଦ୍ରରେ ଇନ୍ଧନ ଭାବେ ବ୍ୟବହାର କରାଯାଏ । ୫ରୁ ୧୯.୯ ପ୍ରତିଶତ ସମୃଦ୍ଧ ୟୁରାନିୟମକୁ ଛୋଟ ମଡ୍ୟୁଲାର ରିଆକ୍ଟର ପାଇଁ ବ୍ୟବହାର କରାଯାଏ । ଏହା ଅତ୍ୟାଧୁନିକ ରିଆକ୍ଟର ଏବଂ ଉନ୍ନତ ଗବେଷଣା କେନ୍ଦ୍ରଗୁଡ଼ିକରେ ମଧ୍ୟ ବ୍ୟବହୃତ ହୁଏ । ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଆଇସୋଟୋପ୍‌ (ମେଡିକାଲ ଆଇସୋଟୋପ୍‌) ତିଆରି କରିବା କିମ୍ବା ପଦାର୍ଥ ପରୀକ୍ଷଣ ଲାଗି ଉଦ୍ଦିଷ୍ଟ ସ୍ୱତନ୍ତ୍ର ରିଆକ୍ଟରରେ ଏଚ୍‌ଇୟୁ (୨୦ରୁ ୮୫ ପ୍ରତିଶତ) ବ୍ୟବହାର କରାଯାଏ । ୯୦ ପ୍ରତିଶତରୁ ଅଧିକ ସମୃଦ୍ଧ ୟୁରାନିୟମ ପରମାଣୁ ବୋମା ବା ଅସ୍ତ୍ର ତିଆରି ପାଇଁ ଲାଗିଥାଏ । ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଏବଂ ବିମାନବାହୀ ଯୁଦ୍ଧଜାହାଜ ପାଇଁ ନୌସେନା ସ୍ତରରେ ୯୩ରୁ ୯୭ ପ୍ରତିଶତ ସମୃଦ୍ଧ ହୋଇଥିବା ୟୁରାନିୟମ ବ୍ୟବହାର ହୋଇଥାଏ । ସମୃଦ୍ଧିକରଣ ପ୍ରକ୍ରିୟା ପରେ ଯାହା ବଳିଥାଏ, ସେଥିରେ ୦.୩ ପ୍ରତିଶତରୁ କମ୍‌ ୟୁ-୨୩୫ ଥାଏ । ଏହାକୁ ‘ଡିପ୍ଲେଟେଡ ୟୁରାନିୟମ’ କୁହାଯାଏ । ବିକିରଣରୁ ସୁରକ୍ଷା ପାଇଁ କିମ୍ବା ଶକ୍ତିଶାଳୀ ଗୋଳାବାରୁଦ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ ।

ଏହି ଖବରଟିକୁ ପଢନ୍ତୁUranium Supply World : ୫ଟି ଦେଶରେ ଅଛି ୟୁରାନିୟମ୍ ଭଣ୍ଡାର, ଏହି ଦେଶ ରଖିଛନ୍ତି ଅଣୁ ଅସ୍ତ୍ର... ଜାଣନ୍ତୁ ସବୁଠୁ ଅଧିକ କିଏ ରଖିଛି ପରମାଣୁ ବୋମା ?