ନୂଆଦିଲ୍ଲୀ, ୦୯/୦୫ : ୟୁରାନିୟମ ହେଉଛି ଏକ ଭାରୀ ଧାତୁ ଯାହାକୁ ଆଣବିକ ରିଆକ୍ଟର ଏବଂ ଅସ୍ତ୍ରଶସ୍ତ୍ରରେ ଇନ୍ଧନ ଭାବେ ବ୍ୟବହାର କରାଯାଏ । ପ୍ରାକୃତିକ ଭାବେ ଏହା ରେଡିଓଆକ୍ଟିଭ୍ ହୋଇଥାଏ ଏବଂ ସାଧାରଣତଃ ପାହାଡ଼ ଓ ମାଟି ସମେତ ସାମୁଦ୍ରିକ ଜଳରେ ବି ସ୍ୱଳ୍ପ ମାତ୍ରାରେ ମିଳିଥାଏ । ବିଶ୍ୱର ପ୍ରାୟ ୯୦% ୟୁରାନିୟମ କେବଳ ୫ଟି ଦେଶରେ ଉତ୍ପନ୍ନ ହୋଇଥାଏ ଯଥା କାଜାଖସ୍ତାନ, କାନାଡା, ନାମ୍ବିଆ, ଅଷ୍ଟ୍ରେଲିଆ ଏବଂ ଉଜବେକିସ୍ତାନ । ଅନ୍ୟ କେତେକ ଦେଶରେ ବି ୟୁରାନିୟମର ଭଣ୍ଡାର ମିଳିଥିବା କୁହାଯାଉଛି । ୟୁରାନିୟମକୁ ସାଧାରଣତଃ ଭୂମି ଖୋଳି ବାହାର କରାଯାଏ କିମ୍ବା ରାସାୟନିକ ପ୍ରକ୍ରିୟା ଜରିଆରେ ସୃଷ୍ଟି କରାଯାଇଥାଏ, ଯେଉଁଥିରେ ପାହାଡ଼ ଭିତରୁ ୟୁରାନିୟମକୁ ଦ୍ରବୀଭୂତ କରାଯାଇ ପୃଥକ କରାଯାଏ।
ଅଷ୍ଟ୍ରେଲିଆ ପାଖରେ ସର୍ବାଧିକ
ନ୍ୟୁକ୍ଲିୟର ଏନର୍ଜି ଏଜେନ୍ସି ରିପୋର୍ଟ ଅନୁସାରେ, ୟୁରାନିୟମ ଭଣ୍ଡାରଣରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି । ଏହା ପାଖରେ ୩୬ ଲକ୍ଷ ଟନ୍ ୟୁରାନିୟମ ରହିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଥିବା କାଜାଖସ୍ତାନ ପାଖରେ ୨୯ ଲକ୍ଷ ଟନ୍, କାନାଡାରେ ୧୭ ଲକ୍ଷ ଟନ, ରୁଷରେ ୧୨ ଲକ୍ଷ ଟନ, ନାମ୍ବିଆରେ ୧୦ ଲକ୍ଷ ଟନ, ଦକ୍ଷିଣ ଆଫ୍ରିକାରେ ୯.୯୪ ଲକ୍ଷ ଟନ, ବ୍ରାଜିଲରେ ୯.୨୧ ଲକ୍ଷ ଟନ, ନାଇଜରରେ ୭.୯୪ ଲକ୍ଷ ଟନ, ଚୀନରେ ୬.୭୪ ଲକ୍ଷ ଟନ ଏବଂ ଉଜବେକିସ୍ତାନରେ ୩.୬୭ ଲକ୍ଷ ଟନ ୟୁରାନିୟମ ରହିଛି । ପଥର, ମୃତ୍ତିକା ଏବଂ ସମୁଦ୍ର ଜଳରେ ଏହା ରହିଥାଏ ।
୯ ଦେଶ ପାଖରେ ୧୨,୧୮୭ ପରମାଣୁ ବୋମା
ଫେଡେରେସନ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସର ରିପୋର୍ଟ ମୁତାବକ, ୯ଟି ଦେଶ ପାଖରେ ମୋଟ ପ୍ରାୟ ୧୨,୧୮୭ ପରମାଣୁ ବୋମା ରହିଛି । ସେଥି ମଧ୍ୟରେ ଦୁଇ ତୃତୀୟାଂଶ ଦୁଇଟି ଦେଶ ପାଖରେ ମହଜୁଦ ଅଛି । ରୁଷ ପାଖରେ ସର୍ବାଧିକ ୪,୪୦୦ ଅଣୁ ଅସ୍ତ୍ର ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ଆମେରିକା ପାଖରେ ୩,୭୦୦ଟି ଅଛି । ୩,୯୧୨ଟି ଅଣୁ ଅସ୍ତ୍ର ବର୍ତ୍ତମାନ ମିସାଇଲ କିମ୍ବା ବୋମାବର୍ଷୀ ଘାଟିରେ ମୁତୟନ ଅବସ୍ଥାରେ ରହିଛି । ଏଥିରୁ ପ୍ରାୟ ୨,୧୦୦ ବୋମା ରୁଷ, ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସର ୱାରହେଡରେ ରହିଛି, ଯାହାକୁ ବହୁତ ସ୍ୱଳ୍ପ ସମୟ ମଧ୍ୟରେ ବ୍ୟବହାର କରାଯାଇ ପାରିବ । ରିପୋର୍ଟ ଅନୁସାରେ, ରୁଷ ଏବଂ ଆମେରିକା ହଜାର ହଜାର ୱାରହେଡ ଅଚଳ କରିଦେଇଥିବା ବେଳେ ଚୀନ ଭଳି ଅନେକ ଦେଶ ସେମାନଙ୍କ ଅଣୁ ଅସ୍ତ୍ର ଭଣ୍ଡାର ବୃଦ୍ଧି କରିଚାଲିଛନ୍ତି । ଏକମାତ୍ର ଦେଶ ଭାବେ ଦକ୍ଷିଣ ଆଫ୍ରିକା ସ୍ୱେଚ୍ଛାକୃତ ଭାବେ ପରମାଣୁ ଅସ୍ତ୍ର ଛାଡ଼ି ଦେଇଛି । ୧୯୮୯ରେ ଦକ୍ଷିଣ ଆଫ୍ରିକା ସରକାର ନିଜ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ରୋକିଥିଲେ ଏବଂ ପରବର୍ତ୍ତୀ ବର୍ଷ ହିଁ ନିଜର ୬ଟି ଅଣୁ ଅସ୍ତ୍ରକୁ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲେ । କୁହାଯାଉଛି ଯେ ଇସ୍ରାଏଲ୍ ପାଖରେ ଅତିକମ୍ରେ ୯୦ ଅଣୁ ଅସ୍ତ୍ର ରହିଛି । ତେବେ ଇସ୍ରାଏଲ୍ ପରମାଣୁ ରଖିଥିବା କଥା ସ୍ୱୀକାର କରିନାହିଁ କିମ୍ବା ମନା କରିନାହିଁ । ରୁଷ ଓ ଆମେରିକା ପଛକୁ ତୃତୀୟ ସ୍ଥାନରେ ଥିବା ଚୀନ୍ ପାଖରେ ୬୨୦ ଅଣୁ ଅସ୍ତ୍ର ରହିଛି । ଫ୍ରାନ୍ସରେ ୩୭୦, ବ୍ରିଟେନରେ ୨୨୫, ଭାରତରେ ୧୯୦, ପାକିସ୍ତାନରେ ୧୭୦, ଇସ୍ରାଏଲରେ ୯୦ ଓ ଉତ୍ତର କୋରିଆରେ ୬୦ଟି ରହିଛି।
ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟ କଳିର ମଞ୍ଜି ୟୁରାନିୟମ୍ : ପରମାଣୁ ଶକ୍ତି ସମ୍ପନ୍ନ ହେବା ଜିଦ୍ରେ ଇରାନ, ବାଟ ଓଗାଳୁଛି ଆମେରିକା