ଭୁବନେଶ୍ୱର ୨୬/୦୪: ସରକାର ୨୭ ତାରିଖରୁ ଖରା ଛୁଟି ଘୋଷଣା କଲେ । ଖରା ଛୁଟିରେ କିନ୍ତୁ ପାଠପଢ଼ା ବନ୍ଦ ହେବନି । ହ୍ୱାଟସ୍ଆପ୍ ଗ୍ରୁପ୍ କରି ପିଲାଙ୍କୁ ପାଠ ପଢ଼ାଯିବ । ସେଥିଲାଗି ଚଳିତବର୍ଷ ‘ସମର ଲର୍ଣ୍ଣିଂ’(ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ) ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଗଲା । କିନ୍ତୁ ହ୍ୱାଟସ୍ଆପ୍କୁ ପାଠ ଯିବ କେମିତି? ପିଲାଙ୍କ ପାଖେ ପହଞ୍ଚିବ କେମିତି? ସରକାରୀ ତଥ୍ୟ କହୁଛି, ରାଜ୍ୟର ୧୨୩୭ଟି ଗାଁରେ ମୋବାଇଲ ନେଟ୍ୱର୍କ ନାହିଁ । ଏହା ବାଦ୍ ଅନେକ ଅଞ୍ଚଳରେ ଟାୱାର ଅଛି ସତ, କିନ୍ତୁ ନେଟ୍ୱର୍କ ଆସୁନି । ମୋବାଇଲରେ କଥା ହେବାକୁ କିଏ ପାହାଡ଼ ଚଢ଼ିଲାଣି ତ ଆଉ କିଏ ଗଛ ଉପରେ ବସିଲାଣି । ଏସବୁ ବାଦ୍ ଅନେକ ପିଲାଙ୍କ ପାଖେ ସ୍ମାର୍ଟ ଫୋନ୍ ନାହିଁ । ଏମିତି ପରିସ୍ଥିତିରେ ‘ସମର ଲର୍ଣ୍ଣିଂ’ କିପରି କରିବେ ତାକୁ ନେଇ ଅଭିଭାବକ, ଶିକ୍ଷକ ମୁଣ୍ଡରେ ହାତ ଦେଲାଣି ।
ସୂଚନାଯୋଗ୍ୟ, ଗତକାଲି (ଶୁକ୍ରବାର) ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି । ଏହାପୂର୍ବରୁ ଅର୍ଥାତ୍ ଗତ ୨୦ ତାରିଖ ଦିନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ‘ସମର ଲର୍ଣ୍ଣିଂ’ ତଥା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି । ଏହି ଚିଠି ଅନୁଯାୟୀ, ଖରା ଛୁଟି ସମୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ହ୍ୱାଟସ୍ଆପ ମାଧ୍ୟମରେ ପାଠ ପଢ଼ା ଯିବ । ଏହି ଗ୍ରୁପରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଓସେପା ପକ୍ଷରୁ ପ୍ରସ୍ତୁତ ଆସାଇନ୍ମେଣ୍ଟ ସିଟ୍ ପଠାଯିବ । ଏଥିସହ ବିଭିନ୍ନ ବିଭିନ୍ନ ଶିକ୍ଷଣୀୟ ବିଷୟବସ୍ତୁ, ଅଡିଓ ଭିଜୁଆଲ୍ କଣ୍ଟେଣ୍ଟର ଲିଙ୍କ୍କୁ ପଠାଇ ଗୃହ କାର୍ଯ୍ୟ(ହୋମ୍ ୱାର୍କ) କରିବାକୁ ଶିକ୍ଷକମାନେ ଗାଇଡ୍ କରିବେ । ଶିଶୁ ବାଟିକା ପିଲାଙ୍କ ପାଇଁ ସପ୍ତାହକୁ ଥରେ, ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ସପ୍ତାହକୁ ଦୁଇ ଥର ଓ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସପ୍ତାହକୁ ତିନି ଥର କଣ୍ଟେଣ୍ଟ ପଠାଯିବ । ଛୁଟି ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲର ଶିକ୍ଷକଙ୍କ ପରାମର୍ଶ ନେଇ ପାଠ କରିବେ । ଶିକ୍ଷକମାନେ ନିୟମିତ ଭାବେ ଅଭିଭାବକଙ୍କ ଯୋଗାଯୋଗରେ ରହିବେ ।
ସରକାରୀ ତଥ୍ୟ ମଧ୍ୟ ଏହା କହୁଛି, ରାଜ୍ୟରେ ମୋଟ ୫୧ ହଜାର ୧୭୬ଟି ଗ୍ରାମ ରହିଛି । ଏଥିରୁ ୪୯ ହଜାର ୯୩୯ଟି ଗାଁରେ ମୋବାଇଲ୍ ସେବା ଉପଲବ୍ଧ ରହିଛି । ଅବଶିଷ୍ଟ ୧୨୩୭ ଗାଁରେ ଏଯାଏ ମୋବାଇଲ୍ ସେବା ଉପଲବ୍ଧ ନାହିଁ । ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୪୫ଟି ଗାଁରେ ମୋବାଇଲ୍ ନେଟ୍ୱର୍କ ନାହିଁ । ସେହିପରି କନ୍ଧମାଳ ଜିଲ୍ଲାରେ ୧୨୩, ମାଲକାନାଗିରିରେ ୧୧୨, ଗଞ୍ଜାମର ୧୦୪, କନ୍ଧମାଳର ୯୬, ନୟାଗଡ଼ରେ ୯୪ ଓ କୋରାପୁଟ ଜିଲ୍ଲାର ୮୮ଟି ଗାଁରେ ଆଦୌ ମୋବାଇଲ ନେଟ୍|ର୍କ ନାହିଁ । ସେହିପରି ମୟୂରଭଞ୍ଜ ଜିଲ୍ଲାର ୭୫, ଗଜପତିର ୫୬, ଦେବଗଡ଼ର ୫୩, ବୌଦ୍ଧର ୪୫ ଓ ଅନୁଗୁଳ ଜିଲ୍ଲାର ୩୮ଟି ଗାଁରେ ନେଟ୍ୱର୍କ ନାହିଁ । କେନ୍ଦୁଝରର ୩୨, ସମ୍ବଲପୁରର ୨୯, ସୁନ୍ଦରଗଡ଼ର ୨୪, ଯାଜପୁରର ୨୨, ଖୋର୍ଦ୍ଧାର ୧୮, କେନ୍ଦ୍ରପଡ଼ାର ୧୫, କଟକର ୧୪, ନୂଆପଡ଼ାର ୧୧, ସୁବର୍ଣ୍ଣପୁରର ୧୦, ପୁରୀର ୬, ବଲାଙ୍ଗିରର ୬, ଭଦ୍ରକର ୫, ବରଗଡ଼ର ୪, ଢେଙ୍କାନାଳର ୪, ଜଗତ୍ସିଂହପୁର ୨, ବାଲେଶ୍ୱର ଜିଲ୍ଲାର ଗୋଟିଏ ଗ୍ରାମରେ ନେଟ୍ୱର୍କ ସେବା ଉପଲବ୍ଧ ନାହିଁ । ସରକାରୀ ତଥ୍ୟକୁ ଛାଡ଼ିଦେଲେ ଅନେକ ଗ୍ରାମାଞ୍ଚଳରେ ନେଟ୍ୱର୍କ ରହୁନି । ଘର ବାହାରୁ କିମ୍ବା ପଡ଼ିଆକୁ ଆସିଲେ ନେଟ୍ୱର୍କ ଆସୁଛି । ତେବେ ସେ ଅଞ୍ଚଳର ପିଲା କିପରି ପଢ଼ିବେ?
ସରକାର ଏହା କହୁଛନ୍ତି, ଡିଜିଟାଲ ଭାରତ ନିଧି ଯୋଜନାରେ ଏହି ଅଞ୍ଚଳକୁ ସାମିଲ କରି ମୋବାଇଲ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ ଚାଲୁଛି । ଜୁନ୍ ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଶ୍ନ ଉଠୁଛି, ଜୁନ୍ ୧୭ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା ହୋଇଛି । ଏପରିକି ଛୁଟି ପୂର୍ବରୁ ପିଲାଙ୍କ ପାଖେ ବହି ପହଞ୍ଚିନି । ଖଣ୍ଡେ ଅଧେ ବହିରେ କାମଚଳାଇ ଦେଇଛନ୍ତି । ତେବେ ଯେଉଁ ଅଞ୍ଚଳରେ ମୋବାଇଲ ନେଟ୍ୱର୍କ ନାହିଁ ସେଠାରେ କିପରି ପାଠପଢ଼ା ହେବ । ଓସେପା କହିଛି, ଯେଉଁ ଅଭିଭାବକଙ୍କର ସ୍ମାର୍ଟଫୋନ୍ ନାହିଁ ସେମାନେ ସିଧାସଳଖ ପ୍ରଧାନଶିକ୍ଷକଙ୍କଠାରୁ ଅତିରିକ୍ତ ସହାୟତା ନେଇପାରିବେ । ଅର୍ଥାତ୍ ସେମାନଙ୍କୁ ଏସ୍ଏମ୍ଏସ୍ କିମ୍ବା ଆଇଭିଆର୍ଆସ୍ ମାଧ୍ୟମରେ ପାଠ ସୂଚନା ଦିଆଯିବ ।
ଆହୁରି ପଢ଼ନ୍ତୁ...୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଶିକ୍ଷକ ନେତା ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ଓସେପା ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ହେଲେ ଯେଉଁ ଅଭିଭାବକଙ୍କର ସ୍ମାର୍ଟଫୋନ୍ ନାହିଁ ସେମାନଙ୍କ ପିଲାମାନେ ଅନ୍ଲାଇନ୍ ପାଠପଢ଼ାରୁ ବଞ୍ଚିତ ହେବେ । ଏପରିକି ଅନେକ ଅଞ୍ଚଳରେ ଅଭିଭାବକଙ୍କର ସ୍ମାର୍ଟ ଫୋନ୍ ଅଛି ସତ କିନ୍ତୁ ଗ୍ରାମାଞ୍ଚଳ ହୋଇଥିବାରୁ ନେଟ୍ୱର୍କ ଆସୁନି । କିଛି ପିଲାଙ୍କର ଘରେ ଅଭିଭାବକ ଜଣଙ୍କର ସ୍ମାର୍ଟଫୋନ୍ ରହିଛି । ଯଦି ଅଭିଭାବକ କୌଣସି କାମରେ କିମ୍ବା ନିଜର ଦୈନିକ କାର୍ଯ୍ୟ ପାଇଁ ଫୋନ୍ ନେଇ ବାହାରକୁ ଯାଉଛନ୍ତି ସେମାନଙ୍କ ପିଲା କିପରି ପଢ଼ିବେ?