ନିଯୋଗ ବା ନିଯୋଗ ପ୍ରଥା। ମହାଭାରତ କାଳ ବା ତା ପୂର୍ବରୁ ରହିଥିଲା ଏହି ପ୍ରଥା। ‘ନିଯୋଗ’ ଦ୍ବାରା ନାରୀମାନେ ସନ୍ତାନ ଜନ୍ମ କରୁଥିଲେ। ଏହି ପ୍ରଥା କେବଳ ସେତେବେଳେ ପାଳନ କରାଯାଉଥିଲା ଯେତେବେଳେ ମହିଳାଙ୍କ ସ୍ୱାମୀ ସନ୍ତାନ ଜନ୍ମ କରିବାକୁ ଅସମର୍ଥ ଥିଲେ। ମହାଭାରତ ଯୁଗରେ କେବଳ ପାଣ୍ଡବ ନୁହେଁ, ଅନେକ ମହିଳା ଏହା ମାଧ୍ୟମରେ ସନ୍ତାନ ଜନ୍ମ କରିଥିଲେ। ଏଥିପାଇଁ ମହିଳା ଏବଂ ତାଙ୍କର ସ୍ୱାମୀଙ୍କର ସହମତି ରହୁଥିଲା। ସମାଜ ବି ଏହାକୁ ଅନୁମତି ଦେଉଥିଲା ଓ ଶାସ୍ତ୍ର ବି କରୁଥିଲା ଗ୍ରହଣ। ଯଦିଓ ସନ୍ତାନ ଅନ୍ୟପୁରୁଷଙ୍କ ଦ୍ବାରା ଜନ୍ମ ହେଉଥିଲା,କିନ୍ତୁ ପିଲାଙ୍କର ବାପା କେବଳ ମହିଳାଙ୍କ ସ୍ବାମୀ ହିଁ ରହୁଥିଲେ। ପାଣ୍ଡବଙ୍କଠାରୁ ଧୃତରାଷ୍ଟ୍ର, ପାଣ୍ଡୁ ଏବଂ ବିଦୁରଙ୍କ ପର୍ଯ୍ୟନ୍ତ ଏହି ସମସ୍ତେ ନିଯୋଗ ମାଧ୍ୟମରେ ଜନ୍ମ ହୋଇଥିଲେ। ନିଯୋଗ ପ୍ରଥାର ଅର୍ଥ ସ୍ୱାମୀଙ୍କ ମୃତ୍ୟୁ ପରେ ସନ୍ତାନ ଜନ୍ମ କିମ୍ବା ଜନ୍ମ କରିବାରେ ଅସମର୍ଥ ସ୍ଥିତିରେ କୌଣସି ଯୋଗ୍ୟ ପୁରୁଷଙ୍କଠାରୁ ସନ୍ତାନ ପ୍ରାପ୍ତ କରିବା। ମହାଭାରତରେ ‘ନିଯୋଗ’ ଏକ ଧାର୍ମିକ, ନୈତିକ ଓ ସାମାଜିକ ଆବଶ୍ୟକତା ଥିଲା। ଏହା କେବଳ ବଂଶ ରକ୍ଷା ଓ କୂଳ ପରମ୍ପରାକୁ ବଜାୟ ରଖିବାର ଉପାୟ ଥିଲା। ତାହେଲେ ଆସନ୍ତୁ ଜାଣିବା ଏହି ପ୍ରଥା କ’ଣ ଥିଲା ? ଏଭଳି ଗର୍ଭଧାରଣ କରିଥିବା ମହିଳାମାନେ କିଏ ଥିଲେ?
ମହାଭାରତରେ ରାଣୀ ସତ୍ୟବତୀଙ୍କ ନାଁ ସମସ୍ତେ ଜାଣନ୍ତି। ସେ ଜଣେ ମତ୍ସ୍ୟଜୀବିଙ୍କ କନ୍ୟା ଥିଲେ। ରାଜା ଶାନ୍ତନୁ ତାଙ୍କ ସୁନ୍ଦରତାରେ ଆକର୍ଷିତ ହୋଇଥିଲେ। ଯେତେବେଳେ ସେ ସତ୍ୟବତୀଙ୍କୁ ବିବାହ କରିବାକୁ ଚାହିଁଥିଲେ, ତାଙ୍କ ବାପା ସର୍ତ୍ତ ରଖିଥିଲେ ସତ୍ୟବତୀଙ୍କଠାରୁ ଜନ୍ମ ହୋଇଥିବା ସନ୍ତାନ ହିଁ ରାଜଗାଦିରେ ବସିବ। ଏହାପରେ ଶାନ୍ତନୁଙ୍କ ପୁତ୍ର ଭୀଷ୍ମଙ୍କୁ ପ୍ରତିଜ୍ଞା କରିବାକୁ ପଡିଥିଲା ସେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ବିବାହ କରିବେନି। କିନ୍ତୁ, ରାଜା ଶାନ୍ତନୁ ଜାଣି ନଥିଲେ ଯେ ସତ୍ୟବତୀ ତାଙ୍କ ଯୁବାବସ୍ଥାରେ ମହାନ ଋଷି ପରାଶରଙ୍କ ଠାରୁ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସନ୍ତାନ ନିଯୋଗ ମାଧ୍ୟମରେ ହୋଇଥିଲା।ଋଷି ପରାଶର ସତ୍ୟବତୀଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କ ମାଧ୍ୟମରେ ସନ୍ତାନ ପାଇବାର ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ପୁତ୍ର ଥିଲେ ମହର୍ଷି ବେଦ ବ୍ୟାସ। ସେ ଥିଲେ ମହାଭାରତର ରଚୟିତା ଏବଂ ଜଣେ ମହାନ ଋଷି। କେବଳ ସେତିକି ନୁହେଁ, ଋଷି ବେଦ ବ୍ୟାସ କୁରୁ ବଂଶକୁ ନିଯୋଗ ମାଧ୍ୟମରେ ଦେଇଥିଲେ ଉତ୍ତରାଧିକାରୀ।
ସତ୍ୟବତୀଙ୍କ ଦୁଇ ପୁଅ ଥିଲେ। ସେମାନେ ହେଲେ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ। ଦୁହିଁଙ୍କ ମୃତ୍ୟୁ ପରେ ହସ୍ତିନାପୁର ସିଂହାସନରେ ଉତ୍ତରାଧିକାରୀ ସଙ୍କଟ ସୃଷ୍ଟି ହୋଇଥିଲା। ସେତେବେଳେ ସତ୍ୟବତୀ ନିଜ ପୁଅ ବେଦବ୍ୟାସଙ୍କୁ ଡକାଇଥିଲେ। ତାଙ୍କୁ ନିଯୋଗ ଜରିଆରେ ନିଜ ବୋହୁଙ୍କଠାରୁ ସନ୍ତାନ ଜନ୍ମ କରିବାକୁ କହିଥିଲେ। ବ୍ୟାସଙ୍କ ପାଖକୁ ଆସିବା ମାତ୍ରେ ଅମ୍ବିକା ନିଜ ଆଖି ବନ୍ଦ କରି ଦେଇଥିଲେ। ତାଙ୍କର ଧ୍ରୁତରାଷ୍ଟ୍ର ନାମକ ପୁତ୍ର ଜନ୍ମ ହୋଇଥିଲା,ଯିଏକି ଜନ୍ମରୁ ଅନ୍ଧ ଥିଲେ। ଅମ୍ବାଳିକା ବ୍ୟାସଙ୍କ ପାଖକୁ ଆସିବା ମାତ୍ରେ ଭୟରେ ମଳିନ ପଡି ଯାଇଥିଲେ। ଯାହାଙ୍କଠାରୁ ଜନ୍ମ ହୋଇଥିଲେ ପାଣ୍ଡୁ। ସେ ଶାରିରୀକ ରୂପରେ ଦୁର୍ବଳ ଥିଲେ। ଏହି ଦୁଇ ଜଣଙ୍କର ଜଣେ ଦାସୀ ମଧ୍ୟ ବ୍ୟାସଙ୍କ ସହ ନିଯୋଗ କରିଥିଲେ। ତାଙ୍କଠାରୁ ଜନ୍ମ ହୋଇଥିଲେ ବିଦୁର । ସେ ଥିଲେ ଖୁବ୍ ବୁଦ୍ଧିମାନ ଓ ନୀତି-ନିପୁଣ।
ଋଷି କିନ୍ଦମଙ୍କ ଦ୍ୱାରା ପାଣ୍ଡୁଙ୍କୁ ଦିଆଯାଇଥିବା ଅଭିଶାପ ଯୋଗୁଁ, ସେ ତାଙ୍କ ପତ୍ନୀମାନଙ୍କ ସହିତ ସହବାସ କରିପାରୁନଥିଲେ। ତା’ପରେ ସେ ତାଙ୍କ ପତ୍ନୀ, କୁନ୍ତୀ ଏବଂ ମାଦ୍ରିଙ୍କୁ ନିଯୋଗ ପାଇଁ ଅନୁମତି ଦେଇଥିଲେ। କୁନ୍ତୀ ଯେତେବେଳେ କୁଆଁରୀ ଥିଲେ ସେତେବେଳେ ଋଷି ଦୁର୍ବାସା ତାଙ୍କୁ ବରଦାନ ଦେଇଥିଲେ। ବର ପାଇ କୁନ୍ତୀ ସୂର୍ଯ୍ୟଙ୍କୁ ଆହ୍ବାନ କରିଥିଲେ। ଏହି ନିଯୋଗରୁ ଜନ୍ମ ହୋଇଥିଲେ କର୍ଣ୍ଣ। ତେବେ ଲୋକଲଜ୍ଜା ଭୟରେ ସେ ନବଜନ୍ମିତ ଶିଶୁପୁତ୍ରକୁ ନଦୀରେ ଭସାଇ ଦେଇଥିଲେ। ବିବାହ ପରେ ପାଣ୍ଡୁଙ୍କ ନିର୍ଦ୍ଦେଶରେ କୁନ୍ତୀ ଆହୁରି ତିନି ଦେବତାଙ୍କୁ ପ୍ରାର୍ଥନା କରିଥିଲେ, ଯାହାର ଫଳ ସ୍ୱରୂପ ତିନି ପୁତ୍ର ଜନ୍ମ ହୋଇଥିଲେ। ଧର୍ମରାଜ ବା ଯମଙ୍କଠାରୁ ଯୁଧିଷ୍ଠିର, ବାୟୁଦେବ ସହିତ ମିଳନରୁ ଭୀମ ଏବଂ ଇନ୍ଦ୍ରଦେବ ସହିତ ନିଯୋଗରୁ ଜନ୍ମ ହୋଇଥିଲେ ଅର୍ଜୁନ। ସେଭଳି ପାଣ୍ଡୁଙ୍କ ଦ୍ବିତୀୟ ପତ୍ନୀ ମାଦ୍ରି ଅଶ୍ୱିନ୍କୁମାର ସହ ନିଯୋଗ କରିଥିଲେ। ତାଙ୍କଠାରୁ ଯମଜ ପୁତ୍ର, ନକୁଳ ଏବଂ ସହଦେବଙ୍କ ହୋଇଥିଲା ଜନ୍ମ।
କେବଳ ମହାଭାରତ କାଳ ନୁହେଁ, ଏହାର ବହୁ ପୂର୍ବରୁ ନିଯୋଗ ପ୍ରଥାର ଉଲ୍ଲେଖ ଅନେକଧର୍ମ ଗ୍ରନ୍ଥ ଏବଂ ପୁରାଣାରେ ରହିଛି। ଏହି ପରମ୍ପରା ବୈଦିକ କାଳ,ରାମାୟଣ ଏବଂ ପରେ ବହୁ ଯୁଗ ପର୍ଯ୍ୟନ୍ତ ସାମାଜିକ ବଂଶ ବୃଦ୍ଧି ପାଇଁ ଗ୍ରହଣୀୟ ବ୍ୟବସ୍ଥା ଥିଲା। ଋଷି ପତ୍ନୀ ଅନୁସୟାଙ୍କ କଥା ଯଦି ହେବା ତେବେ ବ୍ରହ୍ମା,ବିଷ୍ଣୁ ଓ ମହାଦେବ ନିଜେ ତାଙ୍କ ପୁତ୍ର ଦତ୍ତାତ୍ରେୟ,ଚନ୍ଦ୍ର ଓ ଦୁର୍ବାସା ରୂପରେ ଜନ୍ମ ନେଇଥିଲେ। ଏହି କଥା ସାଙ୍କେତିକ,କିନ୍ତୁ ଏହା ଦର୍ଶାଉଛି ଯେ,ଜଣେ ସ୍ତ୍ରୀ ଏକରୁ ଅଧିକ ଦିବ୍ୟ ଆତ୍ମାଙ୍କ ସହ ନିଯୋଗ କରିପାରୁଥିଲେ।
ପଦ୍ମପୁରାଣରେ ଉଲ୍ଲେଖ ରହିଛି ରାଜା ଶିବିଙ୍କ ପତ୍ନୀଙ୍କ ସନ୍ତାନ ହେଉନଥିଲା। ସେତେବେଳେ ସେ ଜଣେ ତପସ୍ବୀ ବ୍ରାହ୍ମଣଙ୍କ ସହ କରିଥିଲେ ନିଯୋଗ। ଉଭୟଙ୍କ ସନ୍ତାନ ପରେ ପାଲଟିଥିଲେ ଜଣେ ମହାନ ରାଜା। ରାଜା ଦୁମିଲଙ୍କ ପତ୍ନୀ ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଋଷି କୁଶଙ୍କ ସହ ନିଯୋଗ ଜରିଆରେ ଜନ୍ମ କରିଥିଲେ ପୁତ୍ର ସନ୍ତାନ । ସ୍କନ୍ଦ ପୁରାଣରେ ବାଣାସୁରର ଝିଅ ଉଷା ଭଗବାନ କୃଷ୍ଣଙ୍କ ନାତି ଅନିରୁଦ୍ଧ ସହ ଗୁପ୍ତ ସମ୍ପର୍କ ରଖିଥିଲେ। ଏହାପରେ ସେ ଗର୍ଭବତୀ ହୋଇଥିଲେ।ଯଦିଓ ଏହା ନିଯୋଗ ନଥିଲା,କିନ୍ତୁ ସେହି ପ୍ରକାର ଥିଲା। ଯାହାଦ୍ବାରା ବଂଶର ବିସ୍ତାର ହୋଇଥିଲା। ନିଯୋଗରୁ ଜନ୍ମିତ ସନ୍ତାନ ବୈଧ ବୋଲି ମନେକରାଯାଉଥିଲା। ବୌଦ୍ଧ ଓ ଜୈନ ଧର୍ମ ଗ୍ରନ୍ଥରେ ଏଭଳି ପ୍ରସଙ୍ଗ ଆସିଥିାଏ, ଯେଉଁଠି ମହିଳାମାନେ ସନ୍ତାନ ପାଇଁ ଗ୍ରହଣ କରିଛନ୍ତି ନିଯୋଗ ଧର୍ମ। ପରେ ସମୟ କ୍ରମେ ନିଯୋଗ ପ୍ରଥା ସମାପ୍ତ ହୋଇଥିଲା।ଏହା ପଛରେ କୌଣସି ଗୋଟିଏ କାରଣ ନଥିଲା। ସମୟ ସହ ବଦଳୁଥିବା ସାମାଜିକ,ନୈତିକ ଓ ଧାର୍ମିକ ଦୃଷ୍ଟିକୋଣ ଏହା ପଛରେ ଦାୟୀ। ସମାଜରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କର ପବିତ୍ରତାକୁ ଅଧିକ ଗୁରୁତ୍ୱ ଦିଆଯିବା ଆରମ୍ଭ ହେଲା। ଅନ୍ୟ ପୁରୁଷଙ୍କ ମାଧ୍ୟମରେ ସନ୍ତାନ ଜନ୍ମ କରିବା କୁହାଗଲା ଅନୈତିକ।