ଭୁବନେଶ୍ୱର,୨୧/୦୭: ଏଣିକି ପଞ୍ଚାୟତ ଖର୍ଚ୍ଚର କଡ଼ାଗଣ୍ଡା ହିସାବ ରଖିବ ଗ୍ରାମସଭା । ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ଯୋଜନା କରିଛନ୍ତି ସରକାର । ସବୁ ପଞ୍ଚାୟତରେ କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ(ସିଏଫ୍ସି ) ପାଣ୍ଠି ଠିକ୍ରେ ଖର୍ଚ୍ଚ କରିବାକୁ କଡ଼ା ଯାଞ୍ଚ ହେବ । ଏଥିପାଇଁ ଗ୍ରାମସଭାକୁ ଅଧିକ ଦାୟିତ୍ୱ ଓ କ୍ଷମତା ମିଳିବ । ଗ୍ରାମସଭାରେ ପଞ୍ଚାୟତ ଖର୍ଚ୍ଚର ଟିକିନିଖି ହିସାବ ରଖାଯିବ । କେବଳ ଜିଲ୍ଲାସ୍ତରରେ ନୁହେଁ, ପଞ୍ଚାୟତସ୍ତରରେ ଅଧିକ ପ୍ରଭାବୀ ସୋସିଆଲ ଅଡିଟ୍ ହେବ । ପଞ୍ଚାୟତରେ ହେଉଥିବା ଖର୍ଚ୍ଚ ଜଗିବାକୁ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ୍ ଖୋଲାଯିବ। ଏଭଳି ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ ।
ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମିଳିଥିବା କେନ୍ଦ୍ରୀୟ ପାଣ୍ଠିକୁ କେଉଁ ବାବଦରେ ଖର୍ଚ୍ଚ କରାଯିବ, ତାର ମଧ୍ୟ ତାଲିକା ଦିଆଯାଇଛି । ସିଏଫ ଏଥିପାଇଁ ସାନି ମାନଦଣ୍ଡ ଧାର୍ଯ୍ୟ କରିଛି । କେନ୍ଦ୍ରୀୟ ପାଣ୍ଠିରୁ କୌଣସି ଧାର୍ମିକ କାର୍ଯ୍ୟକ୍ରମ, ମେଳା, ଧାର୍ମିକ ଅନୁଷ୍ଠାନ ପାଇଁ ନିର୍ମାଣ, ବ୍ୟକ୍ତିଗତ ପ୍ରଚାର, କୌଣସି ଦାତବ୍ୟ କାର୍ଯ୍ୟକ୍ରମ, ଭୋଜି ବା ପର୍ବ ପାଳନ, କୌଣସି ଅନୁଷ୍ଠାନକୁ ଦାନ, ଗାଡ଼ି କିଣା ଏବଂ ଦରମା ବା ପାରିଶ୍ରମିକ ପ୍ରଦାନ କରିହେବନି ।
ପଞ୍ଚାୟତଗୁଡ଼ିକ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜିପିଡିପି(ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ୍) ଦାଖଲ କରିବାକୁ କୁହାଯାଇଛି । ଜନସଂଖ୍ୟା ଓ ଟାଏଡ୍, ଅନଟାଏଡ୍ ପାଣ୍ଠି ଓ ଏକାଧିକ ମାପଦଣ୍ଡକୁ ବିଚାରକୁ ନେଇ କେଉଁ ପଞ୍ଚାୟତକୁ କେତେ ପାଣ୍ଠି ମିଳିବ, ତାହା ଧାର୍ଯ୍ୟ ହୋଇଛି । ଜନସଂଖ୍ୟା ହିସାବରେ ଯେଉଁ ବର୍ଗର ପଞ୍ଚାୟତକୁ ଯେତେ ଅର୍ଥ ଦେବାକୁ ଧାର୍ଯ୍ୟ ହୋଇଛି, ସେହି ଆଧାରରେ ହିଁ ପଞ୍ଚାୟତଗୁଡ଼ିକ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ଲାନ୍ ବା ଯୋଜନା ଦେବେ । କେନ୍ଦ୍ର ଓ ରାଜ୍ୟର ଗାଇଡଲାଇନ୍ ମୁତାବକ ପ୍ରତି ପଞ୍ଚାୟତ ଜିପିଡିପି ପ୍ରସ୍ତୁତ କରିବେ । ଯେଭଳି ବଜେଟ୍ରେ ରାଜ୍ୟ ପାଇଁ ବ୍ୟୟବରାଦ ଓ ଆୟ ଉତ୍ସର ହିସାବ ରୁହେ, ଠିକ୍ ସେହିଭଳି ଜିପିଡିପି ହେଉଛି ପଞ୍ଚାୟତର ବଜେଟ୍ । ଏଥିରେ ବର୍ଷକ ପାଇଁ ଗାଁ ବିକାଶର ଟିକିନିଖି ଯୋଜନା ଓ ପ୍ରକଳ୍ପ ବିବରଣୀ ରହିବ । ଜିପିଡିପିକୁ ବିଡିଓ ମଞ୍ଜୁରି ଦେବା ପରେ ଏହା ଇ-ଗ୍ରାମ ସ୍ୱରାଜ ପୋର୍ଟାଲରେ ଅପଲୋଡ୍ ହେବ । ଜିପିଡିପି ଦେବା ପରେ ଯାଇ ପ୍ରତି ପଞ୍ଚାୟତକୁ ଅର୍ଥ ମିଳିବ ଓ ଜିପିଡିପି ହିସାବରେ ଖର୍ଚ୍ଚ ହେବ ।
ଅଧିକ ପଢ଼ନ୍ତୁ :- Vegetable Price Hike: ବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ, ଓଡ଼ିଶା ମାର୍କେଟରେ ନାହିଁ, ରାଜ୍ୟ ବାହାର ପରିବା ଭରସା
୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟର ପଞ୍ଚାୟତଗୁଡିକୁ ୧୪୪୨ କୋଟିର ବେସିକ୍ ଗ୍ରାଣ୍ଟ ମିଳିବ । ବେସିକ୍ ଗ୍ରାଣ୍ଟର ୫୦% ଟାଏଡ୍ ଗ୍ରାଣ୍ଟ ହୋଇଥିବାବେଳେ ଆଉ ୫୦% ଅନଟାଏଡ୍ ଗ୍ରାଣ୍ଟ । ଅର୍ଥାତ୍ ରାଜ୍ୟର ପଞ୍ଚାୟତଗୁଡିକୁ ମୋଟ ୭୨୧.୨୦ କୋଟିର ଟାଏଡ୍ ଗ୍ରାଣ୍ଟ ଓ ୭୨୧.୨୦ କୋଟିର ଅନ-ଟାଏଡ୍ ଗ୍ରାଣ୍ଟ ମିଳିବ । ସମସ୍ତ ପଞ୍ଚାୟତ ସମିତି ବା ବ୍ଲକ୍ ଗୁଡ଼ିକୁ ୨୦୨୬-୨୭ ବର୍ଷ ପାଇଁ ୩୬୦ କୋଟିର ଟାଏଡ ଗ୍ରାଣ୍ଟ ଓ ୩୬୦ କୋଟିର ଅନଟାଏଡ ଗ୍ରାଣ୍ଟ ମିଳିବ । ଜିଲ୍ଲା ପରିଷଦଗୁଡ଼ିକୁ ୧୨୦ କୋଟିର ଟାଏଡ ଗ୍ରାଣ୍ଟ ଓ ୧୨୦ କୋଟିର ଅନ-ଟାଏଡ୍ ଗ୍ରାଣ୍ଟ ମିଳିବ ।
ପଞ୍ଚାୟତକୁ ମିଳିଥିବା ଟାଏଡ୍ ଗ୍ରାଣ୍ଟକୁ କେବଳ ସଫେଇ, ବର୍ଜ୍ୟ ପରିଚାଳନା ଓ ପାଣି ଯୋଗାଣ ଓ ଏହାର ପରିଚାଳନା ବାବଦରେ ଖର୍ଚ୍ଚ କରି ହେବ । କିନ୍ତୁ ୫୦% ଅନ-ଟାଏଡ୍ ଗ୍ରାଣ୍ଟକୁ ଗ୍ରାମସଭାର ନିଷ୍ପତ୍ତି ମୁତାବକ ଯେ କୌଣସି ବାବଦରେ ଖର୍ଚ୍ଚ କରିହେବ । କିନ୍ତୁ ଏଥିରେ ଏକ ସର୍ତ୍ତ ରଖାଯାଇଛି । ଅନ-ଟାଏଡ୍ ଗ୍ରାଣ୍ଟର ସର୍ବାଧିକ ୨୦% ଅର୍ଥକୁ ରାସ୍ତା ନିର୍ମାଣ ଓ ଏହାର ମରାମତି ପାଇଁ ଖର୍ଚ୍ଚ କରି ହେବ । ଏଥିରୁ ଟଙ୍କାଟିଏ ଅଧିକ ଖର୍ଚ୍ଚ ପାଇଁ ଅନୁମତି ମିଳିବନି । ପୂର୍ବରୁ ଅନଟାଏଡ୍ ଗ୍ରାଣ୍ଟରୁ ଏଥିପାଇଁ ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ହେଉଥିଲା । ଅନ-ଟାଏଡ୍ ଗ୍ରାଣ୍ଟରୁ ପଞ୍ଚାୟତଗୁଡିକ ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି ମରାମତି, କଲଭର୍ଟ ନିର୍ମାଣ, ଗାଁ ହାଟ ଓ ପାର୍କ, ଖେଳପଡ଼ିଆ, ମାର୍କେଟ କମ୍ପେ୍ଲକ୍ସ ଓ ରାଜସ୍ୱ ସୃଷ୍ଟି କରୁଥିବା ସମ୍ପତ୍ତିର ରକ୍ଷଣାବେକ୍ଷଣ କରିହେବ ।
ଏବେ ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ)ର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଚାଲିଛି । ଏଥିରେ ପଞ୍ଚାୟତରେ କଠିନ ବର୍ଜ୍ୟବସ୍ତୁର ପରିଚାଳନା ସୁବିଧା ସୃଷ୍ଟି ସହ ଓଡିଏଫ ପ୍ଲସ୍ ମଡେଲ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରହିଛି । ପଞ୍ଚାୟତଗୁଡ଼ିକ ଏବେ ଯେଉଁ ଜିପିଡିପି ତିଆରି କରିବେ, ସେଥିରେ ଗୋଷ୍ଠୀ ପରିମଳ ଓ କଠିନ ବର୍ଜ୍ୟବସ୍ତୁର ପରିଚାଳନା ଭିତ୍ତିଭୂମି ନିର୍ମାଣ ପାଇଁ ଯୋଜନା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।