ରାଇରଙ୍ଗପୁର,୨୮/୧୧:  ରାଇରଙ୍ଗପୁରରୁ ବିପୁଳ ପରିମାଣର  ବିସ୍ଫୋରକ ଓ ବାରୁଦ ଜବତ । ଦୁଇ ଜଣଙ୍କୁ ଗିରଫ କରିଛି ଗୋରୁମହିଷାଣୀ ପୁଲିସ।  ଅଭିଯୁକ୍ତମାନେ ତୀରିଂ ଥାନା କୁଲଡ଼ିହା ଗ୍ରାମର ରାମ ଚନ୍ଦ୍ର କିଶୋର ନାୟକ ଓ ନନ୍ଦାବସା ଗ୍ରାମର ଜୟେସ ମାରାଣ୍ଡି ବୋଲି ଜଣାପଡିଛି।

ସୂଚନା ମୁତାବକ, ଗତକାଲି ବାଇକ ଯୋଗେ ବିସ୍ଫୋରକ ସାମଗ୍ରୀ ଆସୁଥିବା ନେଇ ଗୋରୁମହିଷାଣୀ ପୁଲିସ ସୂଚନା ପାଇ ପାଟ୍ରୋଲିଂ ବଢାଇ ଦେଇଥିଲା। ଚଢ଼େଇ ପାହାଡି ଜଙ୍ଗଲ ରାସ୍ତାରେ ମୋଟର ସାଇକେଲରେ ଜିନିଷ ବୋଝେଇ ଦୁଇଜଣ ଆସୁଥିବା ଦେଖି ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ସେମାନେ ଦୃତଗତିରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ମାଡ଼ିବସିଥିଲା ପୁଲିସ। ଯାଞ୍ଚ କରିବାରୁ ବିପୁଳ ପରିମାଣର ବିସ୍ଫୋରକ ଓ ବାରୁଦ  ବାହାରିଥିଲା। ସମସ୍ତ ବିସ୍ଫୋରକ  ମୋଟର ସାଇକେଲରୁ ଜବତ୍ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ତେବେ ସେମାନେ ବିସ୍ଫୋରକ କେଉଁଠୁ ବିସ୍ଫୋରକ ସାମଗ୍ରୀ ଆଣୁଥିଲେ ଏବଂ କଣ ପାଇଁ ଆଣୁଥିଲେ ତାକୁ ନେଇ ପୁଲିସ ତଦନ୍ତ କରୁଛି। ଗୋରୁମହିଷାଣୀ ଅଞ୍ଚଳ ପୂର୍ବରୁ ମାଓବାଦୀ ପ୍ରଭାବିତ ଅଞ୍ଚଳ ଥିବାରୁ ପୁଲିସ ଗମ୍ଭୀରତାର ସହିତ ତଦନ୍ତ କରୁଛି।