ସୁନ୍ଦରଗଡ଼,୧୧/୫: ସମ୍ପର୍କ ଭୁଲି ଯାଉଛି ମଣିଷ । ଶେଷ ସମୟରେ ଶବକୁ ବି ମିଳୁନି ସମ୍ମାନ । ଶ୍ମଶାନରେ ହାତାହାତି ହେଉଛନ୍ତି ସମ୍ପର୍କୀୟ । ପରେ ଶବକୁ ଛାଡ଼ିଯିବା ଭଳି ଅମାନବୀୟ ଘଟଣା ଘଟୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସ୍ବର୍ଗଦ୍ବାର ଠାରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ପୂରା ଚର୍ଚ୍ଚାର ବିଷୟ ପାଲଟିଛି ।  

ସୂଚନା ଅନୁଯାୟୀ, ବିହାର ରାଜ୍ୟ ବେଗୁସରାଇ ଜିଲ୍ଲାର ଚୌରାହି ଗ୍ରାମର ଲଲନ ପ୍ରସାଦ ଅନେକ ଆଗରୁ ସୁନ୍ଦରଗଡ଼କୁ ଟ୍ରକ ଚାଳକ ଭାବେ ଆସି ଏମଏସିଏଲ ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ତାଙ୍କର ତିନିପୁଅଙ୍କ ଭିତରୁ ସାନପୁଅ ଚନ୍ଦ୍ରେସ କୁମାରକୁ ମଧ୍ୟ ଆଣି ସାଙ୍ଗରେ ଟ୍ରକ ଚଳାଇବାକୁ ଶିଖାଉଥିଲେ । ୨୦୧୦ରେ ସେ ଏକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ହେଲେ ପୁଅ ଚନ୍ଦ୍ରେସ ଟ୍ରକ୍ ନ ଚଲାଇ ସୁନ୍ଦରଗଡ଼ରେ ଠୁଙ୍ଗା ଓ ରଦ୍ଦି ପେପର ବେପାର କରୁଥିଲେ । ସୁନ୍ଦରଗଡ଼ ହାଉସିଂ ବୋର୍ଡ ଲୁହୁରାଢିପା ଅଞ୍ଚଳର ରଘୁବୀର କେଉଟଙ୍କ ଝିଅକୁ ବିବାହ କରିଥିଲେ । ବିହାର ପୁର୍ଣିୟା ଜିଲ୍ଲାର ରଘୁବୀରଙ୍କ ପରିବାର ମଧ୍ୟ ସେହି ବ୍ୟବସାୟ କରନ୍ତି । ଏହି ବିବାହକୁ ଚନ୍ଦ୍ରେସଙ୍କ ପରିବାର ସ୍ୱୀକୃତି ଦେଇ ନଥିଲେ ଓ ଚନ୍ଦ୍ରେସ ଶ୍ୱଶୁର ଘରେ ରହୁଥିଲେ । କିନ୍ତୁ ସେ ନିଶାଖୋର ଥିବାରୁ ପରେ ଶ୍ୱଶୁର ଘରୁ ବାହାର କରିଦେବାରୁ ମୂଷାକାନୀ ପାଖରେ ରହୁଥିଲେ । ହେଲେ ସ୍ତ୍ରୀ ଓ ପୁଅ ଝିଅ ତାଙ୍କ ପାଖକୁ ଯାଉ ନଥିଲେ ।

ଏହା ଭିତରେ ଚନ୍ଦ୍ରେସଙ୍କ କିଡ୍‌ନି ଓ ଲିଭର ଖରାପ ହେବାରୁ ଏନଟିପିସି ମେଡିକାଲ କଲେଜରେ ଚିକିତ୍ସିତ ଥିଲେ । ଡାକ୍ତରଙ୍କ ବାରଣ ସତ୍ତ୍ବେ ସେ ମଦ୍ୟପାନ କରୁଥିବାରୁ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର ହୋଇଥିଲେ । କିନ୍ତୁ ଶୁକ୍ରବାର ଦିନ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ଶନିବାର ରାତିରେ ସୁନ୍ଦରଗଡ଼ ସ୍ୱର୍ଗଦ୍ୱାରକୁ ଶେଷକୃତ ସକାଶେ ମୃତଦେହ ନିଆଯାଇଥିଲା । ହେଲେ ସେଠାରେ ବିହାରରୁ ଆସିଥିବା ଚନ୍ଦ୍ରେସଙ୍କ ପରିବାର ଲୋକ ଓ ରଘୁବୀରଙ୍କ ପରିବାର ଲୋକଙ୍କ ସହିତ ବଚସା ପରେ ହାତାହାତି ହୋଇଥିଲା । ଶେଷରେ କଥା ଶ୍ମଶାନ ବନ୍ଧୁଙ୍କ ପାଖକୁ ଯାଇଥିଲା ଓ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଉଭୟ ପରିବାର ଲୋକଙ୍କୁ ବୁଝାଇଥିଲେ ମଧ୍ୟ କେହି କାହା କଥା ଶୁଣି ନଥିଲେ । ଏପରିକି ସ୍ୱର୍ଗଦ୍ୱାରରେ ଚନ୍ଦ୍ରେସଙ୍କ ନାବାଳକ ପୁଅ ଓ ଦୁଇଜଣ ପରିଜନକୁ ଛାଡି ଅନ୍ୟମାନେ ଚାଲିଯାଇଥିଲେ । ଶେଷରେ ମଧ୍ୟରାତ୍ରରେ ଟିମ୍ ଶ୍ମଶାନ ବନ୍ଧୁର ସଦସ୍ୟମାନଙ୍କ ସହଯୋଗରେ ଶେଷକୃତ ସମ୍ପନ୍ନ ହୋଇଥିଲା । ନାବାଳକ ପୁଅ ମୁଖାଗ୍ନି ଦେଇଥିଲା । ଟିମ ଶ୍ମଶାନ ବନ୍ଧୁର ସଦସ୍ୟ ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ସହିତ ଶିଶିର କୁମାର ବେହେରା, ଚିଣ୍ଟ ରକ୍ସା ଓ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ  ।

ଅଧିକ ପଢ଼ନ୍ତୁ- ପଥର ମାଫିଆଙ୍କ ରକ୍ତମୁଖା ଆକ୍ରମଣ: ବେଆଇନ ଗାଡ଼ି ଅଟକାଇବାରୁ ଯୁବକଙ୍କୁ ନିର୍ମମ ହତ୍ୟା