ନୟାଗଡ଼, ୧୧।୫: ରାଜ୍ୟରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ସୀମା ଲଂଘିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବେଆଇନ ପଥର ଚାଲାଣକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ଅତି ବର୍ବର ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୀର୍ଘ ୯ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୃତ ଯୁବକଜଣକ ହେଉଛନ୍ତି ଓଡ଼ଗାଁ ଶିଳ୍ପିନଗର ସାହିର ଅଜିତ୍ ସାହୁ । ମିଳିଥିବା ସୂଚନା ଅନୁଯାୟୀ, କଦଳୀବନ୍ଧ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ପଥର ଚୋରା ଚାଲାଣ ଚାଲିଥିଲା । ଅଜିତ୍ ଏହି ବେଆଇନ ଗାଡ଼ିଗୁଡ଼ିକୁ ଅଟକାଇବାରୁ ପଥର ମାଫିଆଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତଯିପ୍ତ ହୋଇ ମାଫିଆମାନେ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ଅଜିତଙ୍କୁ ହାଣି ହତ୍ୟା କରିଥିଲେ। ରାସ୍ତା ମଝିରେ ରକ୍ତାକ୍ତ ଅବସ୍ଥାରେ ଅଜିତଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା ।
ଏହି ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ପୁଲିସର ନିଷ୍କ୍ରିୟତାକୁ ବିରୋଧ କରି ଲୋକେ ନୟାଗଡ଼-ଭଞ୍ଜନଗର ରାସ୍ତା ଅବରୋଧ କରିଥିଲେ । ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ "ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କର" ଦାବିରେ ରାସ୍ତାରେ ବସି ରହିଥିଲେ । ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା ଏବଂ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।
ପୁଲିସର କାର୍ଯ୍ୟାନୁଷ୍ଠାନ ଓ ସହାୟତା:
ଦୀର୍ଘ ୯ ଘଣ୍ଟା ଧରି ଚାଲିଥିବା ଏହି ଆନ୍ଦୋଳନକୁ ଶାନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କ ଅଭିଯୋଗ ଥିଲା ଯେ, ବେଆଇନ ପଥର ଚାଲାଣ ସମ୍ପର୍କରେ ଜାଣି ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନଥିଲା । ତେଣୁ ହତ୍ୟାକାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି । ଡ୍ୟୁଟିରେ ଅବହେଳା କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତୁରନ୍ତ ସହାୟତା ସ୍ୱରୂପ ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପ୍ରଶାସନିକ ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ ଏବଂ ରାସ୍ତା ସ୍ୱାଭାବିକ ହୋଇଥିଲା । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ପୁଲିସ ମୁତୟନ ହେବା ସହ ତଦନ୍ତ ଜାରି ରହିଛି ।