ଭୁବନେଶ୍ୱର,୦୮/୦୭: ଭୁଲ୍‌ କିଏ  କଲା ଆଉ ଭୋଗୁଛି କିଏ? ଶାମପୁର, ପଥରଗାଡ଼ିଆ,ଗୋଠପାଟଣା, ଶଙ୍କରପୁର  ଭଳି ଏକାଧିକ ମୌଜାର ଶହ ଶହ ଲୋକେ  ନିଜ ଭିଟାମାଟି ପାଇଁ କରୁଥିବା ଲଢ଼େଇ ସରିବାର ନାଁ ନେଉନି । କୋର୍ଟଙ୍କ ନିର୍ଦ୍ଦେଶ  ସତ୍ତେ୍ୱ ସରକାର ସେମାନଙ୍କୁ ଲିଜ୍‌ ଜମିର  ସ୍ୱତ୍ୱ ବଦଳାଇ ସ୍ଥିତିବାନ ପଟ୍ଟା ଦେଉନାହାନ୍ତି ।  ଏଥିପାଇଁ କୋର୍ଟ କଚେରି ଦୌଡ଼ି ଦୌଡ଼ି  ନାକେଦମ୍‌ ହେଉଛନ୍ତି ଲୋକେ । 

ଖୋର୍ଦ୍ଧା ଜିଲ୍ଲା ଭିଟାମାଟି ସ୍ୱତ୍ୱାଧିକାରୀ  ସୁରକ୍ଷା ପରିଷଦର ସୂଚନା ଅନୁସାରେ, ଗତ ଶତାବ୍ଦୀର ଷାଠିଏ ଓ ସତୁରୀ ଦଶକରେ  ତତ୍କାଳୀନ ସରକାର ରାଜଧାନୀ ଉପକଣ୍ଠରେ  ଥିବା ଶାମପୁର, ପଥରଗାଡ଼ିଆ,ଗୋଠପାଟଣା,  ଶଙ୍କରପୁର ଭଳି ଅନେକ ମୌଜାରେ ଗରିବ  ଭୂମିହୀନ ଲୋକଙ୍କୁ ଚାଷ ପାଇଁ ୨ଏକର ଲେଖାଏଁ ଜମି ଲିଜ୍‌ ସୂତ୍ରରେ ଦେଇଥିଲେ । ଲିଜ୍‌ ପ୍ଲଟ୍‌ର ସର୍ତ୍ତ ଥିଲା, ୫ରୁ ୧୦ ବର୍ଷ  ପୂର୍ବରୁ ଏହି ଜମିକୁ ଆଉ କାହାକୁ ହସ୍ତାନ୍ତର  କରିହେବନି । ୧୯୬୨ ଓ ୧୯୭୧ ଯୁଦ୍ଧରେ  ଭାଗ ନେଇଥିବା ବୀର ସୈନିକଙ୍କୁ ମଧ୍ୟ ଜମି  ଲିଜ୍‌ ଦିଆଗଲା । ଭୁବନେଶ୍ୱର ଓ ଜଟଣୀ ତହସିଲର ପ୍ରାୟ ୧୫ଟି ଗାଁ ଲୋକଙ୍କୁ ଅନେକ ଜମି ଏଭଳି ଲିଜ୍‌ ଦିଆ ଯାଇଥିଲା ।  

ସମୟକ୍ରମେ ଏହି ସବୁ ଜମିର ମାଲିକ ପାରିବାରିକ ବାଧ୍ୟବାଧ୍ୟକତାରୁ ଏହି ଲିଜ୍‌  ଜମିରୁ କିଛି ଅଂଶ ବିକ୍ରି କଲେ । ଅଧିକାଂଶ  ୫ରୁ ୧୦ ବର୍ଷ ପରେ ଜମି ବିକିଥିଲେ । ସେହି ଜାଗାର କିସମ ବଦଳାଇ ଆବାସିକ  ଘର,ସ୍କୁଲ ଓ ଆପାର୍ଟମେଣ୍ଟ ହେଲା । କିଛି  ମୌଜାରେ ବନ୍ଦୋବସ୍ତ ପରେ ଜମି ଜମାର  ରେକର୍ଡ ନୂଆ କ୍ରେତାଙ୍କ ନାମରେ ଉଠିଥିଲା ।  ତେବେ ୨୦୧୩ ମସିହାରେ ସରକାର ଏକ  ଉଦ୍ଭଟ ନିଷ୍ପତ୍ତି ନେଲେ । ଏକତରଫା ଭାବରେ  ଏହି ସବୁ ଲିଜ ଜମି ଆବାଦଯୋଗ୍ୟ ଅନାବାଦି  ଦେଖାଇ ସରକାରୀ ଖାତାରେ ରେକର୍ଡ  କରିଦେଲେ  । ରାତାରାତ୍‌ ଲୋକଙ୍କ ନାଁରେ  ଥିବା ଜମି ସରକାରୀ ଖାତାକୁ ଚାଲିଗଲା । 

ଏହା ପରେ ଆରମ୍ଭ ହେଲା କୋର୍ଟ  କଚେରି କଥା । ଅନେକ ମାମଲାରେ  ହାଇକୋର୍ଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ  ନାପସନ୍ଦ କଲେ । ଜମି ଫେରାଇ ଦେବାକୁ  ସରକାରଙ୍କୁ ଆଦେଶ ଦେଲେ । ପଟ୍ଟା ମିଳିଲା  ସତ, କିନ୍ତୁ ମାତ୍ର ହାତଗଣତି ଲୋକଙ୍କୁ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଅଧିକାଂଶ  ଲୋକଙ୍କୁ ପଟ୍ଟା ମିଳିଲାନି । ଏବେ ବି ଶହ  ଶହ ମାମଲା ହାଇକୋର୍ଟ ଓ ବୋର୍ଡ ଅଫ  ରେଭେନ୍ୟୁରେ ପଡ଼ିଛି । 

ଏହା ପୂର୍ବରୁ ୧୯୯୬ ମସିହାରେ  ହାଇକୋର୍ଟ ଏକ ନିଦ୍ଦିଷ୍ଟ ମାମଲାରେ ସମସ୍ତ  ଲିଜ୍‌ ଜମିକୁ ଜଣେ ସଚିବ ସ୍ତରୀୟ ଅଫିସର  ଦ୍ୱାରା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ  ସରକାର ୨୦୧୩ରେ ଏହାକୁ କାର୍ଯ୍ୟକାରୀ  କଲେ । ତଦନ୍ତ ଦାୟିତ୍ୱରେ ଥିବା ତତ୍କାଳୀନ  ସଚିବଙ୍କ ମୌଖିକ ନିର୍ଦ୍ଦେଶରେ ଲୋକଙ୍କୁ  ଦିଆଯାଇଥିବା ଲିଜ୍‌ ଜମି ସରକାରଙ୍କ ଖାତାକୁ  ଚାଲିଗଲା । ସେବେ ସରକାର କହିଲେ  ପ୍ରତି ପ୍ଲଟ୍‌କୁ ଯାଞ୍ଚ କରିବାକୁ ଆମ ପାଖରେ  ସମୟ ନାହିଁ । ଯେଉଁ ପ୍ଲଟ୍‌ରେ ଅସଙ୍ଗତି  ନଥିବ ସେହି ପ୍ଲଟ୍‌କୁ ସେମାନେ ପ୍ରଜାଙ୍କ  ନାମରେ କରାଇ ଦେବେ । ଅସଙ୍ଗତି ନଥିବା  ପ୍ଲଟ୍‌ର ପଟ୍ଟା ମିଳିବାରେ କୌଣସି ସମସ୍ୟା  ହେବନି । ସରକାରଙ୍କ ଏହି ଫନ୍ଦିରେ ଫସି  ଏବେ ଶତାଧିକ ଲୋକ କୋର୍ଟ କଚେରୀ  ଦୌଡୁଛନ୍ତି । ପ୍ଲଟ୍‌ରେ ଅସଙ୍ଗତି ନଥିବା ଲୋକ  ମଧ୍ୟ ଏହାର ଶିକାର ହୋଇଛନ୍ତି । 

ଏହି ସବୁ ସମସ୍ୟାର ସମାଧାନ ପାଇଁ  ପୂର୍ବ ସରକାର ଏକ କମିଶନ ବସାଇଥିଲେ ।  ସେହି କମିଶନ ରିପୋର୍ଟ କାର୍ଯ୍ୟକାରୀ  କରିବା ପୂର୍ବରୁ ନୂଆ ସରକାର ଆସିଛନ୍ତି ।  ନୂଆ ସରକାର ସମ୍ବେଦନଶୀଳତାର ସହ  ଏହାକୁ ବିଚାର କରିବାକୁ ଲୋକମାନେ  ଦାବି କରୁଛନ୍ତି ।