ନୂଆଦିଲ୍ଲୀ : ବାୟା କଲା ପ୍ରେମ । ପର ହେଲା ସ୍ବାମୀ, ପ୍ରେମିକ ହେଲା ନିଜର । ରାତିରେ ସ୍ବାମୀଙ୍କ ଗଳାକାଟି ହତ୍ୟା କରିବା ପରେ ସକାଳୁ ମିଛ ନାଟକ ରଚିଲା ସ୍ତ୍ରୀ । ରାଜସ୍ଥାନରୁ ଆସିଥିବା ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ମହିଳାଙ୍କ ସହ ତା ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତକ ଜଣକ ହେଲେ ମହେନ୍ଦ୍ର ମେଘଓ୍ବାଲ । ଗିରଫ ଅଭିଯୁକ୍ତ ହେଲେ ତାଙ୍କ ପତ୍ନୀ ଅନୁ ଦେବୀ ଏବଂ ତାଙ୍କ ଶିକ୍ଷକ ପ୍ରେମିକ ଅମରାରାମ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ବାମୀ ମହେନ୍ଦ୍ରଙ୍କୁ ପସନ୍ଦ କରୁନଥିଲେ ଅନୁ । ଯେଉଁ କାରଣରୁ ଅନେକ ସମୟରେ ପରିବାରରେ ଝଗଡ଼ା ଲାଗି ରହୁଥିଲା । ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ମଧ୍ୟ କମିବାର ନାଁ ନେଉନଥିଲା । କାରଣ ଶିକ୍ଷକ ପ୍ରେମିକଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ଅନୁ । ଯେଉଁ କାରଣରୁ ପ୍ରେମିକଙ୍କ ସହ ମିଶି ହତ୍ୟା କରିଛନ୍ତି । ମାର୍ଚ୍ଚ ୨୧ ତାରିଖ ସକାଳରେ ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ମହେନ୍ଦ୍ର ବାହାରି ନଥିଲେ ପରିବାର ଲୋକେ ସନ୍ଦେହ କରିଥିଲେ ।

ରାତିରେ ପ୍ରେମିକଙ୍କ ସହ ମିଶି ମନ୍ଦେ୍ରଙ୍କ ଗଳା କାଟିବା ପରେ ସେହି ବେଡରେ ଶୁଆଇ ଦେଇଥିଲେ । ମାତ୍ର ସକାଳେ ଏହାକୁ ପ୍ରଥମେ ମାନିନଥିଲେ । ସେ କହିଥିଲେ କି, ସେ ଶୋଇଛନ୍ତି କିନ୍ତୁ ଉଠୁନାହାନ୍ତି । ପୁଲିସ ତଦନ୍ତ କରିବା ପରେ ସବୁ ସତ ମାନିଥିଲେ । ମହେନ୍ଦ୍ର ଜଣେ ସାଧାରଣ ଚାଷୀ ହୋଇଥିବାରୁ ସ୍ତ୍ରୀ ତାଙ୍କ ପସନ୍ଦ କରୁନଥିଲେ । ଅମରାରାମ ଜଣେ ଶିକ୍ଷକ ହୋଇଥିବାବେଳେ ତାଙ୍କ ପ୍ରେମରେ ପଡ଼ି ନିଜ ସିନ୍ଦୂରକୁ ନିଜେ ପୋଛି ଦେଇଛନ୍ତି ଅନୁ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।