ପୁରୀ,୧୯/୦୭: ଶନିବାର ରାତିରେ ଜନ୍ମବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସେବକମାନେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପରେ ଅଧିଷ୍ଠିତ କରିଛନ୍ତି । ରବିବାରଠାରୁ ଭକ୍ତମାନେ ଠାକୁରଙ୍କ ଆଡ଼ପ ଦର୍ଶନ ପାଇବାର ସୌଭାଗ୍ୟ ଲଭିବେ । ଗୁଣ୍ଡିଚା ମନ୍ଦିରରେ ମିଳିବ ଚଳିତ ବର୍ଷର ପ୍ରଥମ ଆଡ଼ପ ଅବଢ଼ା । ସେଥିପାଇଁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ସକାଳ ଧୂପ ପୂର୍ବାହ୍ଣ ସାଢ଼େ ୧୦ଟାରୁ ୧୨ଟା ଓ ଭୋଗମଣ୍ଡପ ସାଢ଼େ ୧୨ଟାରୁ ସାଢ଼େ ୧ଟାରେ ମଧ୍ୟରେ ହେବ। ପରେ ଶ୍ରଦ୍ଧାଳୁମାନେ ଆନନ୍ଦବଜାରରେ ଅନ୍ନମହାପ୍ରସାଦ ପାଇପାରିବେ ।
ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶୁକ୍ରବାର ଅପରାହ୍ଣରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ରଥ ଚାରିପଟେ ଚାଲିଥିଲା ଭାବଭକ୍ତିର ଖେଳ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରହିଥିଲା ରଥ ତ୍ରୟ । ଠାକୁରଙ୍କ ସମ୍ମୁଖକୁ ଯାଇ ଭକ୍ତମାନେ ଭକ୍ତି ନିବେଦନ କରୁଥିଲେ । ଶନିବାର କିଛି ସମୟ ଝିପି ଝିପି ବର୍ଷା ହେବାରୁ ପାଗ ମୋଟାମୋଟି ଅନୁକୂଳ ଥିଲା । ଏଣୁ ଦର୍ଶନ ପାଇଁ ଶରଧାବାଲିକୁ ଭକ୍ତଙ୍କ ସୁଅ ଛୁଟିଥିଲା । ସଂକୀର୍ତ୍ତନ ମଣ୍ଡଳୀ ଭଜନ କୀର୍ତ୍ତନ କରୁଥିଲେ । ସୁରକ୍ଷାଦୃଷ୍ଟିରୁ ପୁଲିସକର୍ମୀ ରଥ ଚାରିପଟେ କର୍ଡନ କରିଥିଲେ । ଲକ୍ଷାଧିକ ଭକ୍ତ ତଳେ ଥାଇ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ କରିଥିଲେ । ରଥର ବାମପଟେ ପ୍ରବେଶ କରି ରଥରେ ଦାରୁଦିଅଁଙ୍କୁ ଦେଖି ଡାହାଣ ପାଶ୍ୱର୍ରେ ବାହାରି ଯାଉଥିଲେ । ସକାଳ ସାଢ଼େ ୭ଟାରୁ ୭ଟା ୪୦ମିନିଟ୍ ମଧ୍ୟରେ ରଥାରୂଢ଼ ଠାକୁରଙ୍କ ମଙ୍ଗଳ ଆଳତି ନୀତି ବଢ଼ିଥିଲା । ୯ଟା ୧୦ରେ ଅବକାଶ, ୧୧ଟା ୫ରେ ସକାଳଧୂପ, ୧୨ଟାରେ ମହାସ୍ନାନ, ୧ଟା ୫ରେ ମଧ୍ୟାହ୍ନ ଧୂପ, ୨ଟା୧୫ରେ ସନ୍ଧ୍ୟା ଆଳତି ହୋଇ ତିନି ରଥରେ ୩ଟା ୧୫ରେ ସନ୍ଧ୍ୟାଧୂପ ବଢ଼ିଥିଲା ।
ଅଧିକ ପଢ଼ନ୍ତୁ :- Tahia Controversy: ବିନା ଟାହିଆରେ ମହାପ୍ରଭୁଙ୍କ ପ୍ରହଣ୍ଡି ପ୍ରସଙ୍ଗ; କିଏ କହୁଛି ସତ ? ‘ଲାଗି ହେବା ପୂର୍ବରୁ ୪୫ ମିନିଟ୍ ଭିଜିଥିଲା, ଓଜନ ବଢ଼ିଯିବାରୁ କଢ଼ାଗଲା’
ପରେ ଶ୍ରୀବିଗ୍ରହଙ୍କ ପହଣ୍ଡିପାଇଁ ସଜବାଜ ହୋଇଥିଲା । ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୭ଟା ୩୫ ମଧ୍ୟରେ ରଥରେ ଭୋଇ ସେବକମାନେ ଚାରମାଳ ବାନ୍ଧିଥିଲେ । ପହଣ୍ଡି ପୂର୍ବରୁ ରଥ ଉପରେ ସିଂହାସନ ମାଜଣା ହୋଇ ୭ଟା ୪୦ରୁ ୭ଟା ୫୦ ମଧ୍ୟରେ ତିନି ରଥରେ ପୁଷ୍ପାଞ୍ଜଳି ଅର୍ପଣ ହେଲା । ପରେ ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହେଲା । ଘଣ୍ଟ ଓ ମାଦଳର ଧ୍ୱନି ସାଙ୍ଗକୁ ଶରଧାବାଲିରେ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଥିଲା । ପ୍ରଥମେ ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନଙ୍କୁ ପହଣ୍ଡି କରାଇ ନେଇ ଆଡ଼ପମଣ୍ଡପରେ ବିଜେ କରାଯାଇଥିଲା । ପରେ ଦେବୀସୁଭଦ୍ରାଙ୍କ ରଥରୁ ଶ୍ରୀସୁଦର୍ଶନ ଦେବଙ୍କୁ ପହଣ୍ଡି କରାଇ ନିଆଗଲା । ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହେଲା ବେଳକୁ ସାଢ଼େ ୮ଟା ଡେଇଁଥିଲା । ପରେ ମା'ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା ।
ଗୋଟି ପହଣ୍ଡି କ୍ରମେ ଶ୍ରୀଜିଉ ଗୁଣ୍ଡିଚାଘର ଆଡ଼ପମଣ୍ଡପରେ ବିଜେ ହୋଇଥିଲେ । ଦଇତାପତି ସେବକମାନେ ସିଂହାସନରେ ଶ୍ରୀବିଗ୍ରହଙ୍କୁ ରୁନ୍ଧିଥିଲେ । ପରେ ବିଳମ୍ୱିତ ରାତିରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ହୋଇଥିଲା । ରବିବାର ଠାରୁ ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚାଘରେ ଠାକୁରଙ୍କ ଆଡ଼ପମଣ୍ଡପ ଦର୍ଶନ ସମେତ ଆଡ଼ପ ଅବଢ଼ା ପାଇବେ । ଆସନ୍ତା ୨୦ ତାରିଖ ସୋମବାର ହେରାପଞ୍ଚମୀ ନୀତି ହେବ । ୨୧ ତାରିଖ ମଙ୍ଗଳବାର ତିନି ରଥ ଦକ୍ଷିଣମୋଡ଼ ହେବ । ୨୩ ତାରିଖ ଗୁରୁବାର ସନ୍ଧ୍ୟା ଦର୍ଶନ ହେବ । ସେହିଦିନ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିବେ । ୨୪ ତାରିଖ ଶୁକ୍ରବାର ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ବିଜେ କରିବେ । ୨୫ ତାରିଖ ଶନିବାର ଦାରୁବ୍ରହ୍ମଙ୍କ ସୁନାବେଶ ଓ ଶ୍ରୀହରି ଶୟନ ଏକାଦଶୀ ନୀତି । ୨୬ ତାରିଖ ରବିବାର ରଥରେ ଅଧର ଓ ଗରୁଡ଼ ଶୟନ ନୀତି ହୋଇ ୨୭ ତାରିଖ ସୋମବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ ।