ପୁରୀ,୧୯/୦୭(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ବାଇଶି ପାହାଚ ଗଡ଼ିବା ବେଳକୁ ତାଙ୍କ ମଥାରେ ନଥିଲା ଟାହିଆ । ଜଗମୋହନ ସାତପାହାଚ ଠାରେ ଲାଗି ହୋଇଥିବା ଟାହିଆ ମାତ୍ର ୫୦ ମିଟର ବାଟ ନଆସୁଣୁ କୁଆଡ଼େ ଉଭେଇ ଗଲା । ଏହା ପଛର ରହସ୍ୟକୁ ନେଇ ସବୁ ମହଲରେ ଚର୍ଚ୍ଚା । ଟାହିଆ ନିର୍ମାଣକାରୀ କାରିଗର ସତ୍ୟନାରାୟଣ ବେହେରା ଗଣମାଧ୍ୟମକୁ ଦେଇଥିବା ମତ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ତାଙ୍କ କହିବା କଥା, ରାଘବଦାସ ମଠ ପକ୍ଷରୁ ପରମ୍ପରା ମୁତାବକ ଶ୍ରୀଜିଉମାନଙ୍କ ଟାହିଆ ଶ୍ରୀମନ୍ଦିରକୁ ଯାଇଥିଲା । ଯିବା ବେଳେ ଟାହିଆଗୁଡ଼ିକ ବର୍ଷାରେ ଭିଜିଥିଲା । ମାତ୍ର ଏହା ଅକ୍ଷତ ରହିଥିଲା । ପରେ ଏହି ଟାହିଆଗୁଡ଼ିକୁ ନେଇ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନରେ ରଖାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ସାତପାହାଚରେ ପହଞ୍ଚିବା ୪୫ ମିନିଟ୍ ପୂର୍ବରୁ ଟାହିଆ ଆଣିବାକୁ କୁହାଯାଇଥିଲା । ସେତେବେଳକୁ ମହାପ୍ରଭୁ ଜଗମୋହନ ନିକଟ ଜୟବିଜୟ ଦ୍ୱାରଠାରେ ଥିଲେ । ଏଠାରୁ ସାତପାହାଚ ଖୁବ୍ କମ୍ ବାଟ । ମାତ୍ର ମହାପ୍ରଭୁଙ୍କୁ ଏଇ ଟିକିଏ ବାଟ ଆଣିବା ନିମନ୍ତେ ପ୍ରାୟ ୪୫ ମିନିଟ୍ ଲାଗି ଯାଇଥିଲା । ତେଣୁ ଏହି ୪୫ ମିନିଟ୍ ଧରି ଲାଗି ରହିଥିବା ବର୍ଷାରେ ଟାହିଆ ଭିଜିଥିଲା । ତେଣୁ ସୋଲ ଓ ଫୁଲ ଓଦା ହୋଇ ଓଜନ ବଢ଼ିଥିଲା । ପରମ୍ପରା ମୁତାବକ ସାତପାହାଚ ଠାରେ ଶ୍ରୀଜଗନ୍ନାଥଙ୍କ ମଥାରେ ଏହି ଟାହିଆ ଲାଗିଥିଲା । ମାତ୍ର ୪୦ ଖୋଜ ବାଟ ନଜାଉଣୁ ଟାହିଆ ନଷ୍ଟ ହୋଇଯାଇଥିବା ଦର୍ଶାଇ ସେବକମାନେ ସୁରକ୍ଷା ଦୃଷ୍ଟି କୋଣରୁ ଖୋଲି ଦେଇଥିଲେ । ଟାହିଆରେ ଲାଗିଥିବା ସୋଲ, ଫୁଲ, ତୁଳସୀ ପ୍ରଭୃତି ଓଦା ହୋଇ ଟାହିଆରୁ ଖଣ୍ଡ ଖଣ୍ଡ ହୋଇପଡ଼ିବାରୁ ବାଉଁଶ ପାତିଆଗୁଡ଼ିକ ବିପଦ ସୃଷ୍ଟି କରିଥିଲା । ତେଣୁ ଟାହିଆକୁ ଖୋଲାଗଲା ।
ସାତପାହାଚ ଉପରେ ମହାପ୍ରଭୁ ପହଞ୍ଚିବା ପରେ ଟାହିଆ ଆଣିବାର ପୂର୍ବ ବ୍ୟବସ୍ଥା ପାଳନ ହୋଇଥିଲେ ଏପରି ଅଘଟଣ ହୋଇନଥାଆନ୍ତା ବୋଲି କହିଛନ୍ତି ଶ୍ରୀ ବେହେରା । ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ୱାଇଁ ମହାପାତ୍ର ଗଣମାଧ୍ୟମକୁ ଦେଇଥିବା ମତ ଏହାଠାରୁ ଟିକିଏ ଭିନ୍ନ ରହିଛି । ସେ କହିଛନ୍ତି, ବର୍ଷା ପାଣି ପଡ଼ି ଟାହିଆ ଓଜନ ୧୦ଗୁଣ ବଢ଼ି ଯାଇଥିଲା । ଯାହାକୁ ମାତ୍ର ଜଣେରୁ ୨ ଜଣ ଲୋକ ଟେକିପାରୁଥିଲା, ତାହାକୁ ୯ ଜଣ ମିଶି ଟେକି ରଖି ସମ୍ଭାଳିବା କଷ୍ଟ ହେଲା । କ’ଣ ମହାପ୍ରଭୁଙ୍କ ଇଛା ଜଣାପଡ଼ିଲାନି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନିମନ୍ତେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟାହିଆ କାଢ଼ିବାକୁ ପଡ଼ିଥିଲା ।
ସେ ଆହୁରି କହିଛନ୍ତି, ପ୍ରତିଥର ରଥଯାତ୍ରା ବେଳେ ଜଣେ କିମ୍ବା ଦୁଇ ଜଣ ଲୋକ ଟାହିଆ ବାନ୍ଧନ୍ତି । ଆରମ୍ଭରୁ ବାନ୍ଧିବା ବେଳେ କଷ୍ଟ ଲାଗେ । ଏଥିପାଇଁ ୧୦ରୁ ୧୫ ମିନିଟ୍ ଲାଗେ । ହେଲେ ଏଥର ଟାହିଆ ବାନ୍ଧିବା ବେଳକୁ ୪୫ ମିନିଟ୍ ଲାଗିଗଲା । ସେବକମାନେ ମହାପ୍ରଭୁଙ୍କ ଶରଣ ପଶିଥିଲେ । କ’ଣ ପାଇଁ ଟାହିଆ ବାନ୍ଧିବାରେ କଷ୍ଟ ହେଉଛି ବୋଲି କହିଥିଲୁ । ମହାପ୍ରଭୁଙ୍କ ସମର୍ପିତ ହୋଇ ପହଣ୍ଡି ହେବାକୁ ନିବେଦନ କରିଥିଲେ । ପରେ ମହାପ୍ରଭୁ ପହଣ୍ଡି ହୋଇ ଆନନ୍ଦ ବଜାର ଗୁମୁଟରେ ପହଞ୍ଚିବା ବେଳକୁ ମନକୁ ଟାହିଆ ଭାଙ୍ଗି ପଛୁଆ ପଡ଼ିଥିଲା । ଟାହିଆ ଓଜନ ସମ୍ଭାଳି ନପାରି ବନ୍ଧା ଯାଇଥିବା ସ୍ଥାନରୁ ଖସି ଯାଇଥିଲା । ଏହି ସମୟରେ ମହାପ୍ରଭୁ ମଧ୍ୟ ଗୋଟିଏ ପାର୍ଶ୍ବକୁ ତଳକୁ ଢଳି ପଡ଼ିଲେ । ତାଙ୍କୁ ଉଠାଇବା ପରେ ଯେତେ ଉଦ୍ୟମ କରିଥିଲେ ହେଁ ଠାକୁରେ ଆଗକୁ ବଢ଼ି ନଥିଲେ । ତେଣୁ ମହାପ୍ରଭୁଙ୍କୁ ପୁଣି ସେବକମାନେ ବିନତି କରି ଭଲରେ ପହଣ୍ଡି ହେବାକୁ ନିବେଦନ କଲେ । ଏହି ସମୟରେ ଟାହିଆରୁ ବାହାରିଥିବା ବାଉଁଶ ପାତିଆଗୁଡ଼ିକ ଖୋବି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା । ତେଣୁ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଟାହିଆ ଖୋଲି ଦିଆଯାଇଥିଲା ।
ମହାପ୍ରଭୁଙ୍କ ଉପରେ ଗିଲାପ ପଡ଼ିଥିଲା । ୩ ସେଟ୍ ଗିଲାପି ମଧ୍ୟ ପାଖରେ ଥିଲା । ମହାପ୍ରଭୁଙ୍କ ଲୀଲା ସେ ଜାଣନ୍ତି । କେତେବେଳେ ସେ ତୁଳା ପରି, ତ ପୁଣି ପାହାଡ଼ ପରି । ତେଣୁ କୌଣସି ଲୀଳା ଦେଖାଇବା ପାଇଁ ସେ ଏପରି କରିଥାଇପାରନ୍ତି । ଶ୍ରୀଅଙ୍ଗକୁ ସୁରକ୍ଷିତ ରଖି ପହଣ୍ଡି ସମାପନ କରାଯାଇଥିଲା ବୋଲି କହିଛନ୍ତି ଶ୍ରୀ ସ୍ୱାଇଁମହାପାତ୍ର ।