ଭବାନୀପାଟଣା,୧୨/୦୬:  ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କଠାରୁ  ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା କଳାହାଣ୍ଡି  ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍‌ ଧୀମାନ୍‌ ଚକ୍‌ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବା ପରେ  ସେ ଏବେ ଭବାନୀପାଟଣାସ୍ଥିତ ଜିଲ୍ଲା କାରାଗାରର ୩ନଂ ସେଲ୍‌ରେ  ବିଚାରାଧୀନ ବନ୍ଦୀ । ପ୍ରଥମ ୨୪  ଘଣ୍ଟାର ମାନସିକ ଅବସାଦରୁ  ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । ଜେଲ୍‌ ପାଠାଗାରରୁ  ଆଧ୍ୟାତ୍ମିକ ଓ ଅନ୍ୟାନ୍ୟ ପୁସ୍ତକ ଆଣି ପଢ଼ୁଛନ୍ତି । ତ୍ରିପୁରାର ମୂଳ ନିବାସୀ ତଥା ଓଡ଼ିଶା କ୍ୟାଡର୍‌ର ଶ୍ରୀ ଧୀମାନ୍‌  ଓଡ଼ିଆ ଭାଗବତ ପଢୁଥିବା ଜେଲ୍‌  କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ  ବୁଧବାର ତାଙ୍କ ସ୍ତ୍ରୀ ତାଙ୍କୁ ଜେଲ୍‌ରେ  ସାକ୍ଷାତ୍‌ କରିଛନ୍ତି । 

ସୂଚନାଯୋଗ୍ୟ,  ଜୟପାଟଣା ଅଞ୍ଚଳର ଜଣେ ଲଘୁ  ଖଣିଜ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନ  ଭୟ ଦେଖାଇଥିଲେ ଉପଜିଲ୍ଲାପାଳ  ଶ୍ରୀ ଧୀମାନ୍‌ । ୨୦ ଲକ୍ଷ ଟଙ୍କା ନ  ଦେଲେ କ୍ରସର ଚଳାଇ ଦେବେ  ନାହିଁ ବୋଲି ଧମକ ଦେଇଥିଲେ ।  ଗତ ରବିବାର ରାତିରେ ସରକାରୀ  ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ  ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ  ଭିଜିଲାନ୍ସ ମାଡ଼ି ବସିଥିଲା । ତାଙ୍କ  ସରକାରୀ ବାସଭବନରୁ ଆହୁରି  ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା  ମିଳିଥିଲା ।ସୋମବାର ଉପଜିଲ୍ଲାପାଳ  ଶ୍ରୀ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ  କରି କୋର୍ଟଚାଲାଣ କରିଥିଲା । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ  କୋର୍ଟରେ ଜାମିନ୍‌ ନାମଞ୍ଜୁର  ପରେ ତାଙ୍କୁ ବିଚାର ବିଭାଗୀୟ  ହାଜତକୁ ପଠାଇ ଦିଆଯାଇଥିଲା । ତେବେ ୪୭.୪୭ ଲକ୍ଷ ଟଙ୍କା  କେଉଁଠୁ ଆସିଥିଲା ତାହାର ତଦନ୍ତ  ଭିଜିଲାନ୍ସ ଏଯାଏଁ ଆରମ୍ଭ କରି ନ  ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।