ଭବାନୀପାଟଣା/ଧର୍ମଗଡ଼, ୦୯/୦୬: କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର ଧୀମାନ ଚକ୍‌ମା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ରବିବାର ଭିଜିଲାନ୍ସ ପଞ୍ଝାରେ ପଡ଼ିବା ପରେ ତାଙ୍କ ଦୁର୍ନୀତିର ଚିଠା ଖୋଲିଛି । ତାଙ୍କ ସରକାରୀ ବାସଭବନରୁ ନଗଦ ୪୭ଲକ୍ଷ ଟଙ୍କା ଜବତ ହେବା ପରେ ସୋମବାର ଆଇଏଏସ ଧୀମାନ ଚକ୍‌ମାଙ୍କୁ ଗିରଫ କରାଯାଇଛି ।

ଭିଜିଲାନ୍ସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜୟପାଟଣା ଅଞ୍ଚଳର ସମ୍ପୃକ୍ତ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଶ୍ରୀ ଚକ୍‌ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ରାଶିଗ୍ରହଣ କରିଥିଲେ । ଟଙ୍କା ବାସଭବନର ଅଫିସ୍‌ ଟେବୁଲ ଡ୍ରୟର ଭିତରେ ରଖିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ । ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ ବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା । ତେବେ ସୋମବାର ସକାଳେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

କହିରଖୁ କି, ୨୦୨୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଶ୍ରୀ ଚକ୍‌ମ ବାରିପଦା ବନ ବିଭାଗରେ ବରିଷ୍ଠ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ । ସେଠାରୁ ସେ ବଦଳି ହୋଇ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଯୋଗଦେଇଥିଲେ । ଧର୍ମଗଡ଼ରେ ସେ ପାଖାପାଖି ବର୍ଷେ ହେଲା କାର୍ଯ୍ୟରତ ଥିଲେ ।