ନୂଆଦିଲ୍ଲୀ,୨୪/୧୦: ବ୍ୟାକ୍ ଟୁ ବ୍ୟାକ୍ ପରାଜୟ ପରେ ବିଜୟ ଟ୍ରାକ୍କୁ ଫେରିଛି ଟିମ୍ ଇଣ୍ଡିଆ । ମହିଳା ଦିନିକିଆ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ହର୍ମନପ୍ରୀତ । ନ୍ୟୁଜିଲାଣ୍ଡକୁ ୫୩ରନ୍ରେ ହରାଇ ଚତୁର୍ଥ ଦଳ ଭାବେ ସେମି ଫାଇନାଲ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ପରେ ଚତୁର୍ଥ ଦଳ ଭାବେ ଭାରତ ସେମିରେ ସ୍ଥାନ ପକ୍କା କରିଛି । ଏବେ ପ୍ରଶ୍ନ ଭାରତ କାହା ସହିତ ଖେଳିବ ? ଆସନ୍ତୁ ଜାଣିବା ପୂରା ସମୀକରଣ ।
ପଏଣ୍ଟ ଟେବୁଲକୁ ଦେଖିଲେ, ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍ ଖେଳିବା ପରେ ୧୧ ପଏଣ୍ଟ ସହିତ ଶୀର୍ଷରେ ଅଛି । ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ଇଂଲଣ୍ଡ ୬ଟି ମ୍ୟାଚ୍ ଖେଳି ୯ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛି । ଭାରତ ୬ଟି ମ୍ୟାଚ୍ ଖେଳି ୬ ପଏଣ୍ଟ ସହିତ ୪ ନମ୍ବର ସ୍ଥାନରେ ରହିଛି । ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶେଷ ଦଳ ହୋଇଛି । ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିବା ସତ୍ତ୍ୱେ, ସମସ୍ତ ୪ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ସହିତ ମୁହାଁମୁହିଁ ହେବେ । ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା ହେବ । ଭାରତ ବାଂଲାଦେଶ ସହିତ ତାର ଶେଷ ଲିଗ୍ ମ୍ୟାଚ ଖେଳିବ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଲେ ବି ପଏଣ୍ଟ ଟେବୁଲ୍ରେ ସ୍ଥାନ ପରିବର୍ତ୍ତନ ହେବ ନାହିଁ । ବାଂଲାଦେଶ ବିପକ୍ଷରେ ବିଜୟ ପରେ ୮ ପଏଣ୍ଟ ହାସଲ କରିବ ହେଲେ ଚତୁର୍ଥ ସ୍ଥାନରେ ରହିବ । ଶୀର୍ଷ ୩ଟି ସ୍ଥାନ ପରିବର୍ତ୍ତନ ହୋଇପାରେ । ତେଣୁ ଭାରତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ ସହିତ ସେମି ଫାଇନାଲ ଖେଳିବ ।
ସେମିଫାଇନାଲ ସୂଚୀ: କାହାକୁ ଭେଟିବ ଟିମ୍ ଇଣ୍ଡିଆ ? ଏବେ ପ୍ରଶ୍ନ ହେଉଛି, ମହିଳା ଦିନିକିଆ ବିଶ୍ୱକପ୍ ୨୦୨୩ର ସେମି ଫାଇନାଲରେ କିଏ କେଉଁ ଦଳ ସହିତ ମୁକାବିଲା କରିବ ? ଟିମ୍ ଇଣ୍ଡିଆକୁ କିଏ ଚ୍ୟାଲେଞ୍ଜ କରିବ ? ପ୍ରଥମ ସେମିଫାଇନାଲ ଅକ୍ଟୋବର ୨୯ରେ ଗୌହାଟୀରେ ଅନୁଷ୍ଠିତ ହେବ । ଯେଉଁଥିରେ ଟିମ୍ ଇଣ୍ଡିଆ ଖେଳିବ । ପ୍ରଥମ ସେମିଫାଇନାଲରେ, ଚତୁର୍ଥ ସ୍ଥାନରେ ଥିବା ଦଳ ଭାରତ ଟେବୁଲ-ଟପର ସହିତ ମୁକାବିଲା କରିବ । ଉକ୍ତ ଟିମ୍ ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା ତାହା ଅକ୍ଟୋବର ୨୫ ତାରିଖ ଆର୍ଥାତ୍ ଆସନ୍ତାକାଲି ଜଣାପଡିବ । ଦ୍ୱିତୀୟ ସେମିଫାଇନାଲରେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଖେଳାଯିବ । ନଭି ମୁମ୍ବାଇରେ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବାର ଦ୍ୱିତୀୟ ସେମିଫାଇନାଲ ।