ନୂଆଦିଲ୍ଲୀ : ହମାସର ସାମରିକ ସେନା ମୁଖ୍ୟ ଇଜ୍ଜେଦିନ ଅଲ୍ ଇଦ୍ଦାଦଙ୍କୁ ବିମାନ ହମଲାରେ ନିପାତ କରିଥିବା, ଇସ୍ରାଏଲୀୟ ସେନା ଶନିବାର ଘୋଷଣା କରିଛି। ଇସ୍ରାଏଲୀୟ ଡିଫେନ୍ସ ଫୋର୍ସ (ଆଇଡିଏଫ) ପକ୍ଷରୁ କୁହାଯାଇଛି ଯେ, ଇଦ୍ଦାଦ ସେହି ହମାସ କମାଣ୍ଡରଙ୍କ ମଧ୍ୟରେ ଜଣେ ଥିଲେ , ଯିଏକି ୭ ଅକ୍ଟୋବରର ପ୍ଲାନ ରଚିଥିଲେ। ଗାଜାରେ ବିମାନ ଆକ୍ରମଣ ପରେ ସେନା ଓ ଇସ୍ରାଏଲର ଘରୋଇ ସୁରକ୍ଷା ଏଜେନ୍ସି ଏହି ଆକ୍ସନ ନେଇ ସ୍ପଷ୍ଟ କରିଛି। ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଆଇଡିଏଫ୍ ଓ ଆଇଏସଏ ଘୋଷଣା କରୁଛି ଯେ, କାଲି ଗାଜା ସହରର ଅଞ୍ଚଳରେ ଏକ ଲକ୍ଷ୍ୟଭେଦୀ ଆକ୍ରମଣରେ ଆତଙ୍କବାଦୀ ଇଜ୍ଜେଦିନ ଅଲ୍-ହଦ୍ଦାଦଙ୍କୁ ମାରି ଦିଆ ଯାଇଛି।

ଇସ୍ରାଏଲ ପକ୍ଷରୁ ଆସିଥିବା ଏହି ବିବୃତ୍ତି ପରେ ହମାସର ଅଧିକାରୀମାନେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଏଏଫପିର ରିପୋର୍ଟ ମୁତାବିକ, ହମାସର ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର ଇସ୍ରାଏଲୀୟ ବିମାନ ହମଲାରେ ହଦ୍ଦାଦଙ୍କ ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି , ହଦ୍ଦାଦ ଶୁକ୍ରବାର ଏକ ଆବାସିକ ଆପାର୍ଟମେଣ୍ଟରେ ଥିଲା। ଏହି ସମୟରେ ସେଠାରେ ହୋଇଥିବା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।

ଉଲ୍ଲେଖନୀୟ ଯେ, ହଦ୍ଦାଦଙ୍କ ମୃତ୍ୟୁ ପରେ ହଜାର ହଜାର ସଂଖ୍ୟାରେ ଲୋକେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଏଥିରେ ଛୋଟ ଛୋଟ ପିଲା ମଧ୍ୟ ସାମିଲ ଥିଲେ।

ଇସ୍ରାଏଲୀୟ ସେନା ପକ୍ଷରୁ କୁହାଯାଇଛି ହଦ୍ଦାଦ ୭ ଅକ୍ଟୋବର ହମଲାର ଯୋଜନା ପ୍ରସ୍ତୁତ କରିବାରେ ସାମିଲ ଥିଲେ। ସେନା କହିଛି – ହଦ୍ଦାଦ ସେହି ହମାସ ଆତଙ୍କୀଙ୍କ ମଧ୍ୟରେ ଜଣେ ଥିଲେ , ଯିଏକି ୭ ଅକ୍ଟୋବରରେ ହୋଇଥିଲା ହମଲାର ଯୋଜନ ପ୍ରସ୍ତୁତ କରିଥିଲେ ଏବଂ ତାକୁ ସଫଳ କରିବାରେ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଯୁଦ୍ଧ ବେଳେ ମଧ୍ୟ ହଦ୍ଦାଦ ବହୁ ସଂଖ୍ୟାରେ ଇସ୍ରାଏଲୀୟ ବନ୍ଦୀଙ୍କୁ ନିଜ କବଳରେ ରଖିଥିଲେ। ଏହି ସମୟରେ ସେ ନିଜର ଜୀବନ ବଞ୍ଚାଇବା ପାଇଁ ବନ୍ଧକଙ୍କୁ ଶିଲ୍ଡ ରୂପେ ମଧ୍ୟ ଉପଯୋଗ କରୁଥିଲେ।

ଆହୁରି ମଧ୍ୟ ପଢନ୍ତୁ : ISIS ଟପ୍ କମାଣ୍ଡର ଅବୁ-ବିଲାଲ୍‌-ଅଲ୍-ମୀନୁକି ନିହତ, ଡୋନାଲ୍ଡ ଟ୍ରମ୍ପ କହିଲେ କେମିତି ଥିଲା ଅପରେସନ୍ ?