ଭୁବନେଶ୍ୱର,୨୧/୧୨: ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ ମାମଲା।ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ। ୨ ଅଭିଯୁକ୍ତ ଆଶିଷ ଏବଂ ରାକେଶ ବୋଲି ପରିଚୟ ମିଳିଛି। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିିଳିଛି।
ଆଇଜି ପାର୍କରେ ଶନିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଟଣାଓଟରା କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଯୁବତୀଙ୍କୁ ଅସଦାଚରଣ କରିବା ବେଳର ଭିଡିଓ ସୁଟ୍ କରି ଦୁର୍ବୃତ୍ତମାନେ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକ୍ରମେ କ୍ୟାପିଟାଲ ଥାନା ପୁଲିସ ତନାଘନା ଚଳାଇ ରାତିରେ ପୁରୀରୁ ୨ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ମିଳିଥିବା ଅଭିଯୋଗ ମୁତାବକ, ଶନିବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ପ୍ରେମୀଯୁଗଳ ଆଇଜି ପାର୍କକୁ ବୁଲିବାକୁ ଯାଇଥିଲେ । ସେମାନେ ପାର୍କ ଭିତରେ ଏକ ନିଛାଟିଆ ସ୍ଥାନରେ ବସିଥିଲେ । ହଠାତ୍ ସେଠାରେ ୪ ଜଣ ଯୁବକ ପହଞ୍ଚି ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟରା କରିଥିଲେ । ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ୨ ଜଣ ଯୁବକ ଯୁବତୀଙ୍କୁ ଅସଦାଚରଣ କରୁଥିବା ବେଳେ ଅନ୍ୟ ୨ ଜଣ ମୋବାଇଲରେ ଏହାର ଦୃଶ୍ୟ ମୋବାଇଲ୍ରେ ରେକର୍ଡ କରିଥିଲେ । ସେମାନଙ୍କ ପାଟି ଶୁଣି କିଛି ଲୋକେ ସେଠାକୁ ଚାଲି ଆସିବାରୁ ଯୁବକମାନେ ପଳାଇଥିଲେ । କିଛି ସମୟ ଭିତରେ ଯୁବକମାନେ ଉତ୍ତୋଳନ କରିଥିବା ଭିଡିଓକୁ ଭାଇରାଲ କରି ଦେଇଥିଲେ । ଆକ୍ରମଣର ଶିକାର ପ୍ରେମୀ ଯୁଗଳ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଙ୍ଗେ ସଙ୍ଗେ ଆଇଜି ପାର୍କ ଓ ଆଖପାଖ ଅଞ୍ଚଳକୁ ଖେଦି ଯାଇଥିଲା । ହେଲେ ଅପରାଧୀଙ୍କ ପତ୍ତା ପାଇ ନଥିଲା । ଭାଇରାଲ ହୋଇଥିବା ଭିଡିଓକୁ ନେଇ ପୁଲିସ ତନାଘନା କରି ପୁରୀରୁ ୨ ଜଣଙ୍କୁ ଉଠାଇ ଆଣି ଜେରା କରିଥିଲେ।