ନୂଆଦିଲ୍ଲୀ,୦୬/୦୭; ଆଇଆଇଟି ବମ୍ବେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ଆମେରିକାରେ ହାଇ ପ୍ୟାକେଜର ଚାକିରି ପାଇଥିଲେ । ଲକ୍ଷେ ନୁହେଁ ପ୍ରାୟ ୩ କୋଟି ପ୍ୟାକେଜରେ ଚାକିରି ମିଳିଥିଲା । ହେଲେ ସବୁ ଛାଡିଦେଲେ । ଏବେ ଗ୍ରୋସରୀ ଦୋକାନ କରିଛନ୍ତି । ସମୟ ଏବଂ ପରିସ୍ଥିତି ଜଣେ ବ୍ୟକ୍ତିଙ୍କ ଜୀବନକୁ ବଦଳାଇ ଦିଏ । ଜଣେ ବ୍ୟକ୍ତିଙ୍କ ଜୀବନ କେତେବେଳ ଏବଂ କେଉଁ ମୋଡ଼ ନେବ ତାହା କେହି ଜାଣି ନାହାନ୍ତି । କିଛି ଏମିତି ଘଟିଛି ଉତ୍ତରପ୍ରଦେଶ କାନପୁରର ବିବେକ ଶର୍ମାଙ୍କ ସହ । ତାଙ୍କର କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଦାବି କରାଯାଉଛି କି, ଆମେରିକାରେ ବିବେକଙ୍କୁ ବାର୍ଷିକ ୨.୯ କୋଟି ଟଙ୍କା ପ୍ୟାକେଜରେ ଚାକିରି ମିଳିଥିଲା । କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ । ଏବେ କାନପୁରରେ ଏକ ତେଜରାତି ବା ଗ୍ରୋସରୀ ଦୋକାନ ଖୋଲିଛନ୍ତି । ଏହା ପଛର କାରଣ ବହୁତ ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ ।

ବାର୍ଷିକ ୨.୯ କୋଟିର ପ୍ୟାକେଜ୍ ଚାକିରି ଛାଡିଲେ- ଏକ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ବିବେକ ଶର୍ମାଙ୍କୁସାନ ଫ୍ରାନ୍ସିସ୍କୋ ସ୍ଥିତ ଏକ ଷ୍ଟାଟଅପରୁ ବାର୍ଷିକ ପ୍ରାୟ ୨.୯ କୋଟି ଟଙ୍କାର ପ୍ୟାକେଜରେ ମିଳିଥିବା ଚାକିରି ପ୍ରସ୍ତାବ ମିଳିଥିଲା । ତାଙ୍କୁ ଭିସା ସ୍ପନସରସିପ୍, ସ୍ଥାନାନ୍ତର ଏବଂ ଏକ ଆନ୍ତର୍ଜାତୀୟ କ୍ୟାରିୟର ଗଢିବାର ସୁଯୋଗ ସମେତ ଅନେକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । କିନ୍ତୁ, ଯେତେବେଳେ ସେ ଆମେରିକା ଯିବାକୁ ପ୍ରସ୍ତୁତ ହେଉଥିଲେ, ଏକ ପାରିବାରିକ ଘଟଣା ତାଙ୍କୁ ଚାକିରି ପ୍ରତ୍ୟାଖାନ କରିବାକୁ ବାଧ୍ୟ କରିଥିଲା ।

ପରିବାରର ବଳିଦାନ ତାଙ୍କୁ ଅଟକାଇଲା- ପୋଷ୍ଟ ଅନୁଯାୟୀ, ବିବେକ କାନପୁରରେ ଏକ ମଧ୍ୟବିତ୍ତ ପରିବାରୁ ଆସିଛନ୍ତି । ତାଙ୍କ ବାପା ରେଲୱାଇରେ ଜଣେ କ୍ଲର୍କ ଥିଲେ । ତାଙ୍କ ମା' ପରିବାରର ଆୟ ବୃଦ୍ଧି କରିବାକୁ ଟ୍ୟୁସନ କରୁଥିଲେ । ବିବେକଙ୍କ ଶିକ୍ଷା ପାଇଁ ବାପାମାଆ ଅନେକ ତ୍ୟାଗ କରିଛନ୍ତି । ସେମାନଙ୍କର ସଞ୍ଚୟ ଖର୍ଚ୍ଚ କରିଥିଲେ । ଏପରିକି ଗହଣା ବିକ୍ରି ବି କରିଥିଲେ । ଗୋଟିଏ ଗୋଟିଏ ସଞ୍ଚିତ ଟଙ୍କା ବିବେକଙ୍କ ପାଠ ପଢାରେ ଖର୍ଚ୍ଚା କରିଥିଲେ । ବିବେକ କିପରି କୋଟାରେ ପଢିବେ ତାହା କେବଳ ଲକ୍ଷ୍ୟ ଥିଲା । ପରେ ବିବେକ୍ ଆଇଆଇଟି ବମ୍ବେରେ ଏଣ୍ଟ୍ରୀ କରିଥିଲେ ।

ଆମେରିକା ଯିବା ପୂର୍ବରୁ ପରିବର୍ତ୍ତିତ ପରିସ୍ଥିତି- ପୋଷ୍ଟରେ ଦାବି କରାଯାଇଛି କି, ଆମେରିକା ଯିବା ପୂର୍ବରୁ ପରିବାର ଏକ କଷ୍ଟକର ସମୟର ସମ୍ମୁଖୀନ ହୋଇଥିଲେ । ବିବେକଙ୍କ ବାପା ହୃଦଘାତର ଶିକାର ହୋଇଥିଲେ । କର୍କଟ ରୋଗରେ ପୀଡିତ ଥିଲେ ମାଆ । ଏହି ସମୟରେ ତାଙ୍କ ଜୀବନ ନୂଆ ମୋଡ଼ ନେଇଥିଲା । ଏହି ପରିସ୍ଥିତି ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥିଲା । ୨.୯ କୋଟି ପ୍ୟାକେଜର ଚାକିରି ପ୍ରତ୍ୟାଖାନ କରିଥିଲେ । ବିଦେଶରେ କ୍ୟାରିୟର କରିବା ପରିବର୍ତ୍ତେ ବିବେକ ଶର୍ମା ବାପାାମାଆଙ୍କ ପାଇଁ କାନପୁରରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଘର ତଳେ ଏକ ଗ୍ରୋସରୀ ଦୋକାନ ଚଳାଉଛନ୍ତି । ଖାଲି ସେତିକି ନୁହେଁ ଗରିବ ପିଲାଙ୍କୁ ମାଗଣାରେ କୋଡି ମଧ୍ୟ ଶିଖାନ୍ତି ।

ବିବେକଙ୍କ କାହାଣୀ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟକୁ ଛୁଇଁଛି । ଜଣେ ୟୁଜର ଲେଖିଛନ୍ତି, ସଫଳତା କେବଳ ଏକ ବଡ଼ ଦରମା ଦ୍ୱାରା ମାପ କରାଯାଏ ନାହିଁ । କେବେ କେବେ ଏହା ସେହି ଲୋକମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଏ ଯେଉଁମାନେ ନିଜର ସବୁକିଛି ସମର୍ପଣ କରିଥାନ୍ତି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଟଙ୍କା ସବୁକିଛି ନୁହେଁ । ପରିବାର କଥା ଭାବିବାକୁ ପଡିଥାଏ ।

ଏହା ବି ପଢନ୍ତୁ...Abortion Rights: ଗର୍ଭରେ ସନ୍ତାନ ରଖିବେ କି ନାହିଁ ? ସ୍ୱୀମୀ ନୁହେଁ ସ୍ତ୍ରୀ ନେବେ ନିଷ୍ପତ୍ତି, ହାଇକୋର୍ଟଙ୍କ ରାୟ