ନୂଆଦିଲ୍ଲୀ, ୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଗଲ୍ଫ ଅଞ୍ଚଳରେ ଶାନ୍ତି ଫେରିଛି । କିନ୍ତୁ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ଜାରି ରହିଥିବା ଏହି ସଂଘର୍ଷ ମଧ୍ୟରେ ରୁଷ ପୁଣି ଥରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରିଛି । ନାଟୋ ଶିଖର ସମ୍ମିଳନୀ ଆରମ୍ଭ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ରୁଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ବଡ଼ ଧରଣର ମିଶାଇଲ ଓ ଡ୍ରୋନ୍ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଗୁରୁତର ଆହତ ହୋଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ ରୁଷ ପକ୍ଷରୁ କିଭ୍କୁ ଟାର୍ଗେଟ କରି କ୍ରମାଗତ ବାଲିଷ୍ଟିକ ମିଶାଇଲ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରାଯାଇଥିଲା । ଏହି ବୋମା ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ବିଶେଷ କଥା ହେଉଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ଧରଣର ଆକ୍ରମଣ ନେଇ ଚେତାବନୀ ଦେବାର ମାତ୍ର କେଇ ଘଣ୍ଟା ପରେ ହିଁ ରୁଷ ଏହି ସାଂଘାତିକ ଆକ୍ରମଣ କରିଛି ।
ଆବାସିକ ଅଞ୍ଚଳକୁ କରାଗଲା ଟାର୍ଗେଟ୍:
ଆକ୍ରମଣ ପରେ କିଭ୍ ମେୟର ଭିଟାଲୀ କ୍ଲିଟ୍ସକୋ କହିଛନ୍ତି ଯେ, ବୋମାମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଆବାସିକ ବିଲ୍ଡିଂଗୁଡ଼ିକରୁ ଉଦ୍ଧାରକାରୀ ଦଳ ରାତିସାରା ଲୋକଙ୍କୁ ବାହାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମିଳିଥିବା ସୂଚନା ମୁତାବକ, ଏହି ଆକ୍ରମଣରେ କିଭ୍ ସହରରେ ୭ ଜଣ ଏବଂ ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା ବୁଚା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ କିଭ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୩୪ ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କିଭ୍ ଆଞ୍ଚଳିକ ସମରିକ ପ୍ରଶାସନର ମୁଖ୍ୟ ତିମୁର ତକାଚେଙ୍କୋ କହିଛନ୍ତି ଯେ, ସୋମବାର ରୁଷର ମିଶାଇଲ ଏବଂ ଡ୍ରୋନ୍ ସାଧାରଣ ନାଗରିକ ରହୁଥିବା ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ବିଲ୍ଡିଂ ଉପରେ ପଡ଼ିଥିଲା ।
ଏହା ବି ପଢ଼ନ୍ତୁ... Indus Waters Treaty: 'କାଙ୍ଗାଳ' ପରେ ଏବେ 'ମରୁଭୂମି' ପାଲଟିବ ପାକିସ୍ତାନ ! ସିନ୍ଧୁ ଜଳ ଚୁକ୍ତି ଉପରେ ପାକ୍ ସେନାର ବଡ଼ ଚେତାବନୀ
ମେଟ୍ରୋ ଷ୍ଟେସନ ପାଲଟିଲା ସାହାରା:
ତିମୁର ତକାଚେଙ୍କୋ ଟେଲିଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, "ଶତ୍ରୁ ପକ୍ଷ କ୍ରମାଗତ ଭାବେ ବାଲିଷ୍ଟିକ ମିଶାଇଲ ମାଡ଼ କରୁଛି । ଏହି ଆକ୍ରମଣ ଯୋଗୁଁ ପୋଡିଲ୍ସକି ଜିଲ୍ଲାରେ ଏକ ଆବାସିକ ବିଲ୍ଡିଂ ଆଂଶିକ ଭାବେ ଭାଙ୍ଗିଯାଇଛି । ସେହିପରି ଡାର୍ନିତସିଆ ଜିଲ୍ଲାରେ ଅନେକ ବହୁତଳ ପ୍ରାସାଦ କ୍ଷତିଗ୍ରସ୍ତ ହୋଇଛି ଏବଂ ସେଗୁଡ଼ିକର ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଗୁଡ଼ିକ ସାଧାରଣ ଲୋକଙ୍କ ଘର, ଯେଉଁଠି ଲୋକମାନେ ବିଶ୍ରାମ କରନ୍ତି ଏବଂ ନିଜର ସ୍ୱାଭାବିକ ଜୀବନ ବିତାନ୍ତି । ରୁଷ ସେହି ସ୍ଥାନକୁ ଟାର୍ଗେଟ୍ କରିଛି । ମେୟର କ୍ଲିଟ୍ସକୋ କହିଛନ୍ତି ଯେ ସହରର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ଅଛି ଏବଂ ସେ ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରହିବାକୁ ଅପିଲ କରିଛନ୍ତି । ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଆକ୍ରମଣରେ ବାଲିଷ୍ଟିକ ଓ କ୍ରୁଜ୍ ମିଶାଇଲ ସହ ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରାଯାଇଛି । ସାରା ସହର ବୋମା ବିସ୍ଫୋରଣର ଶବ୍ଦରେ କମ୍ପି ଉଠିଥିବା ବେଳେ ଭୟଭୀତ ନାଗରିକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ମେଟ୍ରୋ ଷ୍ଟେସନଗୁଡ଼ିକରେ ଆଶ୍ରୟ ନେଇଛନ୍ତି ।
ମଙ୍ଗଳବାରଠାରୁ ତୁର୍କୀର ରାଜଧାନୀ ଅଙ୍କାରାରେ ନାଟୋ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ସମିଟ୍ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ସମ୍ଭାବନା ରହିଛି, ଯେଉଁଠାରେ ଉଭୟ ନେତା ଚାଲିଥିବା ଯୁଦ୍ଧର ସମାଧାନ ପାଇଁ ଆଲୋଚନା କରିବେ । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ କିଭ୍ ଉପରେ ହୋଇଥିବା ରୁଷର ମିଳିତ ଆକ୍ରମଣରେ ପ୍ରାୟ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା । ରାଷ୍ଟ୍ରପତି ଜେଲେନସ୍କି ରବିବାର ବିଳମ୍ବିତ ରାତିରେ ଟେଲିଗ୍ରାମରେ ପାଶ୍ଚାତ୍ୟ ସହଯୋଗୀ ଦେଶଗୁଡ଼ିକୁ ୟୁକ୍ରେନର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ମଜବୁତ କରିବା ସହ ଅଧିକ ପାଟ୍ରିଅଟ୍ ମିଶାଇଲ ଯୋଗାଇ ଦେବାକୁ ପୁଣି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆବଶ୍ୟକୀୟ ପ୍ରତିରକ୍ଷା ସାମଗ୍ରୀର ଅଭାବ ଯୋଗୁଁ ରୁଷର ସାହସ ବଢ଼ୁଛି ଏବଂ ସେ ଏହି ୪ ବର୍ଷରୁ ଅଧିକ ପୁରୁଣା ଯୁଦ୍ଧକୁ ଆହୁରି ଲମ୍ବା ଟାଣିବାକୁ ଚେଷ୍ଟା କରୁଛି ।
https://www.youtube.com/watch?v=o8x5tqAysZk