ନୂଆଦିଲ୍ଲୀ: ଟ୍ରେନ, ବସ କି ବିମାନରେ ଆଉ ଦୀର୍ଘ ସମୟର ଯାତ୍ରା କରିବାକୁ ପଡିବନାହିଁ। ପବନ ବେଗରେ ଯାତ୍ରା କରିବାର ସ୍ୱପ୍ନ ଖୁବ୍ ଶୀଘ୍ର ସତ ହେବାକୁ ଯାଉଛି। ଜରୁରିକାଳିନ ସମୟରେ ଆପଣଙ୍କୁ ଆଉ ଅଧିକା ଭାବିବାକୁ ପଡିବନାହିଁ। ମାତ୍ର କେଇ ମିନିଟରେ ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବହୁ ଜଲଦି ଆମ ଭାରତରେ କିଛି ଏମିତି ବ୍ୟବସ୍ଥା ଆସିବାକୁ ଯାଉଛି। 

ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଚାଲିବାକୁ ଥିବା ପରିକଳ୍ପିତ ପ୍ରୋଜେକ୍ଟ ହାଇପରଲୁପ ପାଇଁ ଟ୍ରାକ୍ ତିଆରି କରିଛି ଆଇଆଇଟି ମାଡ୍ରାସ୍। ଏହି ହାଇପରଲୁପ ମଡେଲଟି ୪୨୨ ମିଟର ହୋଇଥିବା ବେଳେ ଏହାକୁ ରେଳ ମନ୍ତ୍ରଣାଳୟ ସହାୟତାରେ ବିକାଶ କରାଯାଇଛି। ଯାହା ଭାରତ ଲୋକଙ୍କୁ ବହୁ ଜଲଦି ହାଇ-ସ୍ପିଡ ଗମନାଗମନର ସୁବିଧା ଯୋଗାଇ ଦେବ ବୋଲି ଲକ୍ଷ୍ୟ ରଖାଯାଇଛି। 

ଏହି ହାଇପରଲୁପ ସିଷ୍ଟମରେ ଏକ ଟ୍ୟୁବ ମାଧ୍ୟମରେ ଲୋ-ପ୍ରେସର ସୃଷ୍ଟି କରି ଯାତ୍ରୀ ମାନଙ୍କୁ ନେଇ ଏକ ଯାନ ୧୦୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାତ୍ରା କରିପାରିବ। ଯାହାଫଳରେ ଦିଲ୍ଲୀରୁ ଜୟପୁରକୁ ଯାଇ ପହଞ୍ଚିବାକୁ ମାତ୍ର ୩୦ ମିନିଟର ସମୟ ଲାଗିବ। 

ଏହି ପ୍ରୋଜେକ୍ଟରେ କେବଳ ଯେ ଆଇଆଇଟି ମାଡ୍ରାସ ଓ ରେଳ ମନ୍ତ୍ରଣାଳୟର ହାତ ରହିଛି ତାହା ନୁହେଁ। ଭାରତର ବିଶିଷ୍ଚ ଶିଳ୍ପଦ୍ୟୋଗି ସଂସ୍ଥା ଗୁଡିକ ମଧ୍ୟ ଏଥି ନିମନ୍ତେ ବହୁ ସହାୟତା ପ୍ରଦାନ କରିଛନ୍ତି। ଲାର୍ସେନ ଆଣ୍ଡ ଟୋଉବ୍ରୋ(ଏଲ୍ ଆଣ୍ଡ ଟି) କନଷ୍ଟ୍ରକସନ, ଆର୍ସେଲରମିତ୍ତଲ ଓ ହିଣ୍ଡାଲକୋ ଭଳି ସସ୍ଥା ଏହି ପ୍ରକଳ୍ପରେ ଅନେକ ସହାୟତା ପ୍ରଦାନ କରିଛନ୍ତି। ଖାସକରି ଏହି ଟ୍ରାକର ନିର୍ମାଣ ଓ ବିକାଶ କରିବା ଦିଗରେ ଏହି ସଂସ୍ଥା ଗୁଡିକର ହାତ ରହିଛି। 




ଏହି ହାଇପରଲୁପ ବୈଷୟିକ କୈଶଳ ଅତ୍ୟନ୍ତ ପ୍ରଭାବଶାଳି। ଏହି ଜ୍ଞାନ କୌଶଳରେ ଚେନ୍ନାଇରୁ ବେଙ୍ଗାଲୁରୁ ଯାଏଁ ପ୍ରାୟ ୩୫୦ କିଲୋମିଟର ରାସ୍ତାକୁ ମାତ୍ର ୧୫ ମିନିଟ ମଧ୍ୟରେ ସଂପୂର୍ଣ୍ଣ କରାଯାଇ ପାରିବ। ଯାହା ଭରତର ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଏହି ସଫଳତା ଯେ କେବଳ ଭାରତ ପାଇଁ ସୀମିତ ତାହା ନୁହେଁ। ଏହା ଦ୍ୱାରା ସମଗ୍ର ବିଶ୍ୱରେ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ। ଯାହା ଲୋକ ମାନଙ୍କ ପାଇଁ ଏକ ଦକ୍ଷ, ବେଗଯୁକ୍ତ ଓ ସ୍ଥାୟି ଗମନାଗମନ କରିବାର ରାସ୍ତା ଖୋଲିଦେବ।