କନ୍ଧମାଳରେ ବଢ଼ି ଚାଲିଛି ଚୋରା ଗଞ୍ଜେଇ କାରବାର, ୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୁଲିସ, ଦୁଇ ଗିରଫ

ଗୋଛାପଡା,୧୯/୦୩: ପୁଲିସ ଦ୍ଵାରା ଯେତେ ଚଢ଼ାଉ ହେଲେ ବି କନ୍ଧମାଳ ଜିଲ୍ଲାରେ ବନ୍ଦ ହେଉନି ଗଞ୍ଜେଇ କାରବାର। ପ୍ରତ୍ୟେକ ଦିନ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ। ତଥାପି ଚାଲାଣକାରୀଙ୍କ ଭୟ ନାହିଁ। ଆଜି ପୁଣି ଫିରିଙ୍ଗିଆ ଓ ଗୋଚ୍ଛାପଡା ପୁଲିସ ଜବତ କରିଛନ୍ତି ୮ କ୍ୱିଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ। ସୂଚନା ଅନୁଯାୟୀ, ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରଖା ଯାଇଥିବା ଖବର ପାଇ ଗୋଛାପଡ଼ା ପୁଲିସ କଟ୍ରିଙ୍ଗିଆ ପଞ୍ଚାୟତ ଡୁମ୍ବେରିକ୍ଷେତ ଗ୍ରାମର କାର୍ତ୍ତିକେଶ୍ୱର ଦିଗାଲଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ୭ କୁଇଣ୍ଟାଲ ୧୦ କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ ଏ ସଂକ୍ରାନ୍ତରେ ଗୋଛାପଡ଼ା ଥାନାରେ ୪୫/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି।
ସେହିଭଳି ଶନିବାର ଫିରିଙ୍ଗିଆ ପୋଲିସ ୧୦୬ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଚାଲାଣରେ ବ୍ୟବହୃତ ଏକ କାର ମଧ୍ୟ ପୁଲିସ ଦ୍ଵାରା ଜବତ ହୋଇଛି। ସୂଚନା ମୁତାବକ ଏକ କାର(ଓଡି ୦୨ ଜି ୪୭୦୨)ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ମାଝିପଡା ଘାଟିରେ ଚଢ଼ାଉ କରି ଗାଡିକୁ କାବୁ କରିଥିଲା। ତେବେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇଜଣ ଫେରାର ହୋଇ ଯାଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ତାଳପଡା ଅଂଚଳର ମାନିଆ ଦିଗାଲ ବୋଲି ଜଣା ପଡିଛି। ପୁଲିସ ମାନିଆକୁ ଗିରଫ କରିବା ସହ ୪୬/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ।