ଦିନେ ଛୁଆ ପିଲାଙ୍କୁ ନେଇ ଗାଆଁକୁ ଯାଇଥିଲି। ମୋ ଝିଅର ଦୁଇଟାଯାକ ଝିଅ ଖାଇବା ପିଇବା ଛାଡ଼ି ମାଟି ବାଲିଲେ ଗଡ଼ୁଥିଲେ, ଅପରିଷ୍କାର ହେଉଥିବାରୁ ତାଙ୍କ ମାଆ ବିରକ୍ତ ହେଉଥିଲା, ଖୁଆଇ ଦେବାକୁ କହି ଟାଣି ଟାଣି ନେଇଗଲା ଆଉ ବିଭିନ୍ନ ଆଳରେ ଗାଈ, ଛେଳି, ବିଲେଇ ଆଦି ପଶୁଙ୍କୁ ଦେଖାଇ ଖୁଆଇଦେବାକୁ ଚେଷ୍ଟା କରୁଥିଲା । ଛୁଆଙ୍କୁ ଗାଈ ଦେଖାଇ କହୁଥିଲା ଦେଖ ଦେଖ "କାଓ', ଛେଳି ଦେଖାଇ କହୁଥାଏ "ଗୋଟ୍‌' ଓ ବିଲେଇ ଦେଖାଇ କହୁଥାଏ "କ୍ୟାଟ୍‌' ଇତ୍ୟାଦି । ଛୁଆମାନେ ମଧ୍ୟ ଗାଆଁ ପଶୁମାନଙ୍କୁ ଦେଖି ଖୁସିରେ ଖାଇ ଦେଉଥାନ୍ତି । ପଚାରିଲି– ଏ କାଓ, ଗୋଟ୍‌ ଓ କ୍ୟାଟ୍‌ କ’ଣ? ପୁଣି ଆଉ ଥରେ ତାଙ୍କୁ କାଓ ମାନେ ଗାଈ, ଗୋଟ୍‌ ମାନେ ଛେଳି ଓ କ୍ୟାଟ୍‌ ମାନେ ବିଲେଇ ଶିଖେଇବାକୁ ପଡ଼ିବ ନା କ’ଣ? ଆଜିକାଲି ପିଲାମାନେ ଭାବନ୍ତି ଇଂରାଜୀ ଆମ ନିଜ ଭାଷାଠାରୁ ଉଚ୍ଚ ଭାଷା, ଇଂରାଜୀ କହିଲେ ଅଧିକ ଜ୍ଞାନୀ ଗୁଣୀରେ ଗଣାହେବେ ବା ଇଂରାଜୀ କହିଲେ କାଳେ ଆଇ.ଏ.ଏସ. ହୋଇଯିବ! ସେମାନେ ଜାଣୁନାହାଁନ୍ତି ଯେ, ଆମ ସମୟର ଯେଉଁମାନେ ଆଇ.ଏ.ଏସ. ହୋଇଛନ୍ତି ପ୍ରାୟ ସମସ୍ତେ ଗାଈକୁ ଇଂରାଜୀରେ କାଓ, ଛେଳିକୁ ଗୋଟ୍‌ ଓ ବିଲେଇକୁ କ୍ୟାଟ୍‌ କୁହାଯାଏ ବୋଲି ପଞ୍ଚମ ଶ୍ରେଣୀରେ ହିଁ ଶିଖିଥିଲେ ।

ଗୋଟିଏ ଶିଶୁକୁ କିଛି କୁହାଇ ଶିଖାଇଲେ ସେ ହୁଏତ କହିପାରେନି, ଦେଖାଇ ଶିଖାଇଲେ ବି ଶିଖିପାରେନି । ମାଆ ଯାହା କୁହେ ସେ ସେଇଆ ହିଁ ନିଜେ ନିଜେ ଶିଖିଥାଏ, ମାଆ ଯାହା କରେ ସେ ବି ଦେଖି ଦେଖି ସେଇଆ ହିଁ କରିଥାଏ । ଶିଶୁଟିକୁ କେତେକ କୁହନ୍ତି ଆକୁ ମୁଣ୍ଡିଆ ମାର, ଠାକୁରଙ୍କୁ ମୁଣ୍ଡିଆ ମାର, ହ୍ୟାଣ୍ଡଶେକ୍‌ କର ଇତ୍ୟାଦି କହିବା ଅପେକ୍ଷା ତାକୁ ତା’ର ମାଆଠାରୁ ନିଜେ ନିଜେ ଶିଖିବାକୁ ଦିଆଯିବା ଆବଶ୍ୟକ । ତେଣୁ ମାଆର ଭାଷା, ବ୍ୟବହାର, ସଂସ୍କାର, ସଂସ୍କୃତି ଓ ପରମ୍ପରାର ପ୍ରଭାବ ପ୍ରଥମେ ଶିଶୁଟି ଉପରେ ପଡ଼ିଥାଏ, ଯେମିତି ମାଆ ଠିକ୍‌ ସେମିତି ଛୁଆଟି ହୋଇଥାଏ । ତେଣୁ ଶିକ୍ଷିତା ମାଆମାନେ ଶିଶୁଟିକୁ କିଛି ବାକ୍ୟରେ ନକହି ନିଜେ ନିଜେ ନିଜର ଭାଷା ଓ ପରମ୍ପରାଗତ କର୍ତ୍ତବ୍ୟର ଧାରା ଅନବରତ କରିଚାଲିଥିଲେ ଶିଶୁଟି ମଧ୍ୟ ସେଇଆ ଅନୁକରଣ କରିଥାଏ! ମାଆର କୋଳରେ ଶିଶୁ ଯେଉଁ ଭାଷାର ପ୍ରଥମ ଶବ୍ଦ ଶୁଣେ, ଯେଉଁ ଭାଷାରେ ନିଜର ଆବେଗକୁ ପ୍ରକାଶ କରେ, ତାହା ହିଁ ମାତୃଭାଷା । ମାତୃଭାଷା ହେଉଛି ଜଣେ ବ୍ୟକ୍ତିର ପରିଚୟର ମୂଳଦୁଆ ଏବଂ ଭାବନା ପ୍ରକାଶର ପ୍ରଥମ ମାଧ୍ୟମ । ଏହା କେବଳ ଭାଷା ନୁହେଁ, ବରଂ ଜାତିର ସଂସ୍କୃତି, ପରମ୍ପରା ଓ ଇତିହାସର ଏକ ଜୀବନ୍ତ ପ୍ରତିଫଳନ । ଓଡ଼ିଆ ଆମର ମାତୃଭାଷା ହୋଇଥିବାରୁ ଏହା କେବଳ ଆମ ପାଇଁ ଯୋଗାଯୋଗର ଏକ ଉପାୟ ନୁହେଁ, ବରଂ ଆମର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ।

ସୁଧା ମୂର୍ତ୍ତି ଭଳି ଜଣେ ଉଚ୍ଚକୋଟୀର ଲେଖକ ଓ ବ୍ୟକ୍ତିତ୍ୱ ଥରେ ତାଙ୍କର ଇଣ୍ଟରଭିଉରେ କହୁଥିଲେ ଯେ, ସେ କୌଣସି କଥା ଇଂରାଜୀରେ କହିଲା ପୂର୍ବରୁ ସେ ପ୍ରଥମେ କନ୍ନାଦ ଭାଷାରେ ଭାବନ୍ତି ଏବଂ ମନେ ମନେ ଇଂରାଜୀକୁ ଅନୁବାଦ କରି କୁହନ୍ତି ବା ଲେଖନ୍ତି । ଆମର ହୀନମନ୍ୟତା ପାଇଁ ଆମେ ଆମ ଭାଷାକୁ ଅଣଦେଖା କରିଆସୁଛୁ । ମଣିଷର ଚିନ୍ତା କରିବାର ପ୍ରକ୍ରିୟା ମାତୃଭାଷାରେ ହିଁ ଆରମ୍ଭ ହୁଏ ଏବଂ ସର୍ବଶ୍ରେଷ୍ଠ ଭାବରେ ପ୍ରକାଶ ପାଏ । ଯେକୌଣସି ଜଟିଳ ବିଷୟକୁ ନିଜର ମାତୃଭାଷାରେ ବୁଝିବା ଓ ବ୍ୟାଖ୍ୟା କରିବା ଅନ୍ୟ ଭାଷା ତୁଳନାରେ ଅଧିକ ସହଜ ଓ ସ୍ପଷ୍ଟ ହୋଇଥାଏ । ବହୁ ସମୟରେ ବିଭିନ୍ନ ବିଷୟରେ ଯଥା– ପରିବେଶ, ଜଙ୍ଗଲ, ପଶୁପକ୍ଷୀ ବିଷୟରେ ମୋତେ ବିଭିନ୍ନ ସ୍କୁଲ ଓ କଲେଜ ସ୍ତରରେ ଭାଷଣ ଦେବାକୁ ସୁଯୋଗ ମିଳିଥାଏ । ପ୍ରଥମେ ମୁଁ ସ୍ପଷ୍ଟ କରିଥାଏ ଯେ, ଇଂରାଜୀ ଯଦିଓ ମୋ ଜୀବିକା ନିର୍ବାହ କରିବା ପାଇଁ ମୁଁ କହିବା, ଲେଖିବାର ଆବଶ୍ୟକ ହୋଇଥାଏ, ତେଣୁ ଇଂରାଜୀରେ ମ୍ୟାନେଜ କରିବାକୁ ପଡ଼ିଥାଏ । କିନ୍ତୁ ସେଇଟା ମୋ ପାଇଁ ଗୋଟିଏ ବିଦେଶୀ ଭାଷା, ତେଣୁ ମୋତେ ଯଦି ଓଡ଼ିଆରେ କହିବାକୁ ଅନୁମତି ମିଳେ ମୁଁ ନିଶ୍ଚୟ ବହୁତ ଭଲ ଭାବରେ ମୋର ହୃଦୟର ଭାଷାରେ ପରିପ୍ରକାଶ କରିବାରେ ସମର୍ଥ ହୁଅନ୍ତି ଏବଂ ସେଇଆ ହିଁ କରିଥାଏ । ଏହି କାରଣରୁ, ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାତୃଭାଷାର ଗୁରୁତ୍ୱ ଅତୁଳନୀୟ । ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଥିବା ଶିଶୁମାନେ ପାଠ୍ୟ ବିଷୟବସ୍ତୁକୁ ଶୀଘ୍ର ଆୟତ୍ତ କରିବା ସହ ସେମାନଙ୍କର ସୃଜନଶୀଳତା ଓ କଳ୍ପନା ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ନୂତନ ଶିକ୍ଷା ନୀତିରେ ମଧ୍ୟ ଏହି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ଯେ, ଶିଶୁର ପ୍ରାରମ୍ଭିକ ବର୍ଷରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଦିଆଯିବା ଉଚିତ । ମାନସ୍ତତ୍ତ୍ୱବିତ୍‌ମାନଙ୍କ ମତରେ, ମାତୃଭାଷାରେ ଶିକ୍ଷା ଗ୍ରହଣ ଦ୍ୱାରା ଶିଶୁର ମସ୍ତିଷ୍କ ଅଧିକ ସହଜରେ ତାହା ଗ୍ରହଣ କରିପାରେ ଓ ପ୍ରଭାବଶାଳୀ ହୋଇଥାଏ । ଏହା ମୌଳିକ ଜ୍ଞାନ ଓ ବିଚାରଶକ୍ତିକୁ ମଜଭୁତ କରେ ।

ପ୍ରତ୍ୟେକ ମାତୃଭାଷା ସେହି ଅଞ୍ଚଳର କଳା, ସାହିତ୍ୟ, ଲୋକଗୀତ, ଲୋକନୃତ୍ୟ ଏବଂ ଜୀବନଶୈଳୀକୁ ନିଜ ଭିତରେ ସାଇତି ରଖିଥାଏ । ଓଡ଼ିଆ ଭାଷା ଆମକୁ ଆମର ମହାନ୍‌ କବି ଜଗନ୍ନାଥ ଦାସ, ସାରଳା ଦାସ ଓ ଫକୀର ମୋହନ ସେନାପତିଙ୍କ ସୃଷ୍ଟି ସହିତ ଯୋଡ଼ିଥାଏ । ଏହା ଆମର ରୀତିନୀତି, ପର୍ବପର୍ବାଣି ଏବଂ ଆମ ପୂର୍ବପୁରୁଷଙ୍କ ଜ୍ଞାନର ସଞ୍ଚାର କରିଥାଏ । ଯେତେବେଳେ କୌଣସି ଜାତି ନିଜ ମାତୃଭାଷାକୁ ଅବହେଳା କରେ, ସେତେବେଳେ ତାହା କେବଳ ଏକ ଭାଷାକୁ ନୁହେଁ, ବରଂ ନିଜର ହଜାର ହଜାର ବର୍ଷର ସଂସ୍କୃତି ଓ ପରିଚୟକୁ ହରାଇଥାଏ । ମାତୃଭାଷା ହିଁ ଜାତିକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସାହାଯ୍ୟ କରେ । ଆଜିର ବିଶ୍ୱାୟନ ଯୁଗରେ ଇଂରାଜୀ ଭାଷାର ପ୍ରଭାବ ଯୋଗୁଁ ମାତୃଭାଷା ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ଆମେ ଜୀବିକା ଏବଂ ବୈଷୟିକ ଜ୍ଞାନ ପାଇଁ ଅନ୍ୟ ଭାଷା ଶିଖିବା ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ, ମାତୃଭାଷାକୁ ପଛକୁ ପକାଇଦେବା ଉଚିତ ନୁହେଁ । ମାତୃଭାଷାର ବିକାଶ ପାଇଁ ଏହାକୁ କେବଳ ଘର କିମ୍ବା ପାଠ୍ୟପୁସ୍ତକରେ ସୀମିତ ନରଖି, ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ପ୍ରାଶାସନିକ କାର୍ଯ୍ୟରେ ବ୍ୟବହାର କରିବା ଆବଶ୍ୟକ । ମାତୃଭାଷାରେ ଉଚ୍ଚକୋଟୀର ସାହିତ୍ୟ, ଗବେଷଣା ଏବଂ ଅନୁବାଦ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଜରୁରି । ଓଡ଼ିଆ ଭାଷା ୨୦୧୪ ମସିହାରେ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଛି, ଯାହାକୁ ନେଇ ଆମ ସମସ୍ତଙ୍କୁ ଗର୍ବର ସହ ସ୍ୱୀକାର କରିବା ଉଚ୍ଚିତ ଯେ ‘ଆମେ ଓଡ଼ିଆ, ଆମ ଭାଷା ବଢ଼ିଆ’ । ମାତୃଭାଷା ପ୍ରତ୍ୟେକ ବ୍ୟକ୍ତି ତଥା ଜାତି ପାଇଁ ଏକ ଅମୂଲ୍ୟ ସମ୍ପଦ । ଏହା ଆମକୁ ଶିକ୍ଷା ଦିଏ, ସଂସ୍କାର ଦିଏ ଏବଂ ଆମ ଭିତରେ ଜାତୀୟତା ଭାବନା ସୃଷ୍ଟି କରେ । ଆମେ ଯେତେ ଅଧିକ ଭାଷା ଶିଖିଲେ ମଧ୍ୟ ମାତୃଭାଷା ପ୍ରତି ଆମର କର୍ତ୍ତବ୍ୟକୁ ଭୁଲିବା ଉଚିତ ନୁହେଁ । ମାତୃଭାଷାକୁ ଆଦର କରିବା, ଏହାର ସୁରକ୍ଷା କରିବା ଏବଂ ଏହାର ପ୍ରଚାର ପ୍ରସାର କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ମାତୃଭାଷାର ବିକାଶ ହିଁ ଆମ ଜାତିର ସମଗ୍ର ବିକାଶର ପଥ ପରିଷ୍କାର କରିଥାଏ । 

ପ୍ରତ୍ୟେକ ମାତୃଭାଷା ସେହି ଅଞ୍ଚଳର କଳା, ସାହିତ୍ୟ, ଲୋକଗୀତ, ଲୋକନୃତ୍ୟ ଏବଂ ଜୀବନଶୈଳୀକୁ ନିଜ ଭିତରେ ସାଇତି ରଖିଥାଏ । ଓଡ଼ିଆ ଭାଷା ଆମକୁ ଆମର ମହାନ୍‌ କବି ଜଗନ୍ନାଥ ଦାସ, ସାରଳା ଦାସ ଓ ଫକୀର ମୋହନ ସେନାପତିଙ୍କ ସୃଷ୍ଟି ସହିତ ଯୋଡ଼ିଥାଏ । ଏହା ଆମର ରୀତିନୀତି, ପର୍ବପର୍ବାଣି ଏବଂ ଆମ ପୂର୍ବପୁରୁଷଙ୍କ ଜ୍ଞାନର ସଞ୍ଚାର କରିଥାଏ ।

​​​​​​​