ଭୁବନେଶ୍ୱର,୦୫/୪: ଏଣିକି ସରକାରୀ  ଚାକିରିରେ ଥାଇ କେହି ମୃତ୍ୟୁବରଣ କଲେ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ । କ୍ୟାବିନେଟରେ୍‌ ପୂର୍ବ ନିୟମ ଅନୁସାରେ ଏଣିକି ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 

ପ୍ରକାଶ ଥାଉକି, ପୂର୍ବରୁ ଯଦି ସରକାରୀ  କର୍ମଚାରୀଙ୍କ ମୃତ୍ୟୁ ହେଉଥିଲା, ରାଜ୍ୟ ସରକାର  ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ,  ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ  ଗ୍ରୁପ୍‌-ସି କିମ୍ବା ଡି’ରେ ନିଯୁକ୍ତି ଦେଉଥିଲେ ।  ୨୦୨୦ରେ ତତ୍କାଳୀନ  ସରକାର ନୂତନ  ନିୟମାବଳୀ ପ୍ରଣୟନ  କରିଥିଲେ ଏବଂ  ବିପର୍ଯ୍ୟୟ ପ୍ରମାଣପତ୍ର ବଦଳରେ ମାର୍କିଂ ସିଷ୍ଟମ  ଲଗାଇଥିଲେ । ଯେଉଁ ସରକାରୀ କର୍ମଚାରୀ  ୧୯୯୦ରୁ ୨୦୨୦ ଭିତରେ ମୃତ୍ୟୁ ବରଣ କରିଥିଲେ  ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିବାରୁ ବହୁ ପରିବାର ନିଯୁକ୍ତି ଦାବି  କରି କେସ୍‌ କରିଛନ୍ତି । 

ମାତ୍ର କ୍ୟାବିନେଟ ନିଷ୍ପତ୍ତି  ନେଇଛି ଯେ ଓଡ଼ିଶା ବେସାମରିକ ସେବା (ଥଇଥାନ  ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ପୂର୍ବରୁ,  ଥଇଥାନ ସହାୟତା ସଂପର୍କିତ ସମସ୍ତ ବିଚାରାଧୀନ  ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ  ବିଚାର କରାଯିବ । ଏହାଦ୍ୱାରା ୨୦୨୦ର ନିୟମ  ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି,  ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଅନୁସାରେ  ନିଯୁକ୍ତି ମିଳିବ ।  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ପୁନର୍ବାସ ଥଇଥାନ ନୀତିରେ ନୂଆ ନିୟମ ଆଣିଥିବାରୁ  ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟକୁ ଧନ୍ୟବାଦ । ବହୁ  ପୀଡ଼ିତ ପରିବାର ଖୁସି ହେବେ ଏବଂ ଆଶୀର୍ବାଦ ଦେବେ ।