ମୁମ୍ବାଇ,୦୭/୦୬: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜର ନୂଆ ନାମକରଣ କରାଯିବ । ଉଭୟ ଦେଶର କ୍ରିକେଟ୍‌ ବୋର୍ଡଙ୍କ ସହମତି କ୍ରମେ ଏହାର ନାମ ଆଣ୍ଡରସନ୍‌ ଓ ସଚିନ ଟ୍ରଫି ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଜୁନ ୧୧ ତାରିଖରୁ ଲର୍ଡ୍ସରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଫାଇନାଲ ସମୟରେ ଆଣ୍ଡରସନ୍‌ ଓ ସଚିନ ଟ୍ରଫିର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । 

ଆସନ୍ତା ୨୦ ତାରିଖରୁ ନୂଆ ବିଶ୍ୱ ଟେଷ୍ଟ  ଚାମ୍ପିଅନସିପ୍‌ ୨୦୨୫-୨୭ ଚକ୍ରରେ ଭାରତ ଅଭିଯାନ ଆରମ୍ଭ କରିବ । ଲିଡ୍ସରେ ପ୍ରଥମ ଟେଷ୍ଟ ଖେଳାଯିବ । ଜେମ୍ସ ଆଣ୍ଡରସନ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ନିଜ ନିଜ ଦେଶର କ୍ରିକେଟ୍‌ ପ୍ରତି ଅବଦାନ ଅତୁଳନୀୟ । ତେଣୁ  ଉଭୟ ଖେଳାଳିଙ୍କ ସମ୍ମାନାର୍ଥେ ଟ୍ରଫିର ନାମକରଣ କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ଏ ବିଷୟରେ ବିସିସିଆଇ କିମ୍ବା ଇସିବି ପକ୍ଷରୁ କିଛି ଅଫିସିଆଲ ସୂଚନା ଦିଆଯାଇ ନାହିଁ ।

ଅଧିକ ପଢନ୍ତୁ...IND vs ENG; ଇଂଲଣ୍ଡ ଗସ୍ତରେ ଶୁବମନ ସେନା, ଜୁନ୍‌ ୨୦ରୁ ହେଡିଂଲେରେ ପ୍ରଥମ ମ୍ୟାଚ

ବର୍ତ୍ତମାନ ଏହି ସିରିଜର ନାମ ପଟୌଦି ଟ୍ରଫି ରହିଛି । ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ନାମରେ ଏହା ନାମିତ ହୋଇଛି । ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ  ଖେଳି ୧୫୯୨୧ ରନ୍‌ କରିଥିଲେ । ସେମିତି ଆଣ୍ଡର ସନ୍‌ ୧୮୮ଟି ମ୍ୟାଚ୍‌  ଖେଳି ୭୦୪ ୱିକେଟ୍‌ ନେଇଥିଲେ ।

କହି ରଖୁଛି କି, ୨୦୦୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟରେ ୭୫ ବର୍ଷ ପୂରଣ କରିବାକୁ ନେଇ ସିରିଜ ନାମ ପଟୌଦି ଟ୍ରଫି ନାମ ଦିଆଯାଇଥିଲା । ଏବେ ପଟୌଦି ସ୍ଥାନରେ ଟେଷ୍ଟ ସିରିଜ ତେନ୍ଦୁଲକର-ଜେମ୍ସ ଆଣ୍ଡରସନ୍‌ଙ୍କ ନାମରେ ଖେଳାଯିବ । ଭାରତର ପୂର୍ବତନ ଅଧିନାୟକ ଇପ୍ତିଖାର ଅଲ୍ଲୀ ଖାନ ପଟୋଦି ଏବଂ ମସୁର ଅଲ୍ଲୀ ଖାନ ପଟୋଦିଙ୍କ ସମ୍ମାନରେ ଏହି ସିରଜର ନାମ ପଟୋଦି ଟ୍ରଫି ରଖାଯାଇଥିଲା ।