ନୂଆଦିଲ୍ଲୀ: ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ରୋମାଞ୍ଚକର ହୋଇଛି। ଶେଷରେ ୩ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଛି ଅଷ୍ଟ୍ରେଲିଆ ଟିମ୍ । ଏଲିସ ପେରି ଛକା ମାରି ମ୍ୟାଚ୍ ଜିତାଇଛନ୍ତି । ଭାରତ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ନିରାଶ ହୋଇଛି । ଭାରତକୁ ତିନି ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛି। ରବିବାର ବିଶାଖାପାଟଣାରେ ଖେଳାଯାଇଥିବା ରୋମାଞ୍ଚକର ମହିଳା ବିଶ୍ୱକପ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରତୀକା ରାୱଲ ଏବଂ ସ୍ମୃତି ମନ୍ଧାନାଙ୍କ ମଧ୍ୟରେ ୧୫୫ ରନ୍ର ବିଶାଳ ଭାଗୀଦାରି ଆଧାରରେ ୪୮.୫ ଓଭରରେ ୩୩୦ ରନ୍ କରିଥିଲା।
ଜବାବରେ ଅଷ୍ଟ୍ରେଲିଆ ୪୯ ଓଭରରେ ୭ ୱିକେଟ୍ରେ ୩୩୧ ରନ୍ କରି ମ୍ୟାଚ୍ ଜିତିଥିଲା। ଅଧିନାୟକ ଆଲିସା ହିଲି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୦୭ ବଲ୍ରେ ୧୪୨ ରନ୍ର ଏକ ଦୃଢ଼ ଇନିଂସ ଖେଳି ବିଜୟ ସୁନିଶ୍ଚିତ କରିଥିଲେ। ଏହି ମ୍ୟାଚ୍ରେ ଭାରତ ପାଇଁ ଶ୍ରୀ ଚରଣୀ ତିନୋଟି ୱିକେଟ୍ ନେଇଥିଲେ । ଅମନଜୋତ କୌର ଏବଂ ଦୀପ୍ତି ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
ଆଜି ଏଲିସ୍ ପେରି ରିଟାୟର୍ଡ ହର୍ଟ ହୋଇଥିଲେ । କିନ୍ତୁ ଦଳର ସପ୍ତମ ୱିକେଟ୍ ପତନ ପରେ ସେ ପଡ଼ିଆକୁ ଫେରିଥିଲେ । ଆଉ ଅଷ୍ଟ୍ରେଲିଆ ପାଇଁ ବିଜୟୀ ଛକା ମାରିଥିଲେ । ଅଧିନାୟକ ଆଲିସା ହିଲି ଦମଦାର ବ୍ୟାଟିଂ କରିଥିଲେ । ସେ ୨୧ଟି ଚୌକା ଏବଂ ୩ଟି ଛକା ସହାୟତା ୧୪୨ ରନ୍ର ବଡ଼ ଇନିଂସ ଖେଳିଥିଲେ । ଭାରତୀୟ ଟିମ୍ ଦୃଢ଼ ବୋଲିଂ କରିଥିଲେ ସୁଦ୍ଧା ଏଲିସ ପେରି ନିଜ ଟିମ୍କୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ଏହି ପରାଜୟ ସହ ଭାରତ ଚଳିତ ବିଶ୍ବକପ ଦ୍ବିତୀୟ ଥର ପରାଜୟର ସାମ୍ନା କରିଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ ।
ଅଷ୍ଟ୍ରେଲିଆ ଇନିଂସ ଆରମ୍ଭ ହେବା ପୂର୍ବରୁ ଟାର୍ଗେଟ ଅସମ୍ଭବ ମନେ ହେଉଥିଲା। ଏତେ ବଡ଼ ଟାର୍ଗେଟ ପୂର୍ବରୁ କେବେ ପିଛା କରାଯାଇ ନଥିଲା । କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ୧୪୨ ରନର ଏକ ସ୍ମରଣୀୟ ଇନିଂସ ଖେଳି ତାଙ୍କ ଦଳକୁ ଐତିହାସିକ ବିଜୟ ସୁନିଶ୍ଚିତ କରିଥିଲେ। ଇନିଂସ ଆରମ୍ଭ କରି ହିଲି ତାଙ୍କ ୧୦୭ ବଲ ଇନିଂସରେ ତିନୋଟି ଛକା ଏବଂ ୨୧ ଚୌକା ମାରିଥିଲେ। ହିଲି ୨୬୫ ରନରେ ଚତୁର୍ଥ ୱିକେଟ ପାଇଁ ଆଉଟ ହୋଇଥିଲେ। ସେତେବେଳକୁ ଅଷ୍ଟ୍ରେଲିଆ ମ୍ୟାଚ୍ ଉପରେ ଦୃଢ଼ ନିୟନ୍ତ୍ରଣ ରଖିଥିଲା। ଫୋବି ଲିଚଫିଲ୍ଡ ୪୦, ଏଲସି ପେରି ୪୭ ଏବଂ ଆଶଲେ ଗାର୍ଡନର ୪୫ ରନ କରି ବିଜୟ ପାଇଁ ପାଳି ପ୍ରସ୍ତୁତ କରିଥିଲେ। ଭାରତ ପକ୍ଷରୁ ଶ୍ରୀ ଚରଣୀ ତିନୋଟି, ଦୀପ୍ତି ଶର୍ମା ଦୁଇଟି ଏବଂ ଅମନଜୋତ କୌର ଦୁଇଟି ୱିକେଟ୍ ନେଇଥିଲେ।
ପୂର୍ବରୁ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତ ୩୩୦ ରନ କରିଥିଲା। ପ୍ରତୀକା ରାୱଲ ୯୬ ବଲରେ ୧୦ ଚୌକା ଏବଂ ୧ ଛକା ସହାୟତାରେ ୭୫ ରନ ଏବଂ ମନ୍ଧାନା ୬୬ ବଲରେ ୩ ଛକା ଏବଂ ୯ ଚୌକା ସହାୟତାରେ ୮୦ ରନ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୧୫୫ ରନର ଭାଗୀଦାରି ହୋଇଥିଲା। ହରଲିନ୍ ଦେଓଲ ୩୮, ଅଧିନାୟିକା ହରମନପ୍ରୀତ କୌର ୨୨, ଜେମିମାହ ରଡ୍ରିଗ୍ସ ୩୩ ଏବଂ ରିଚା ଘୋଷ ୩୨ ରନ କରିଥିଲେ।