ନୂଆଦିଲ୍ଲୀ, ୨।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ବିଶେଷ କରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Hormuz Strait) ବନ୍ଦ ହେବା ଆଶଙ୍କାରେ ବିଶ୍ୱ ବଜାରରେ ଅଶୋଧିତ ତୈଳ (Crude Oil) ଯୋଗାଣ ବାଧାପ୍ରାପ୍ତ ହେବାର ଭୟ ସୃଷ୍ଟି ହୋଇଛି । କିନ୍ତୁ, ଏଭଳି ସଙ୍କଟ ସମୟରେ ଭାରତ ପାଇଁ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି ।

କାହିଁକି ଟେନସନରେ ବିଶ୍ୱ ?

ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ଏବଂ ଏଲଏନଜି (LNG) ରପ୍ତାନି ହୋଇଥାଏ । ଯଦି ଏହି ମାର୍ଗ ଦୀର୍ଘ ସମୟ ପାଇଁ ବନ୍ଦ ରହେ, ତେବେ ଅନେକ ଦେଶରେ ଶକ୍ତି ସଙ୍କଟ ଦେଖାଦେବ । ଏବେଠାରୁ ବ୍ରେଣ୍ଟ କ୍ରୁଡ୍ର ମୂଲ୍ୟ ବ୍ୟାରେଲ ପିଛା ୭୩ ଡଲାର ଟପି ସାରିଲାଣି, ଯାହା ଗତ ୭ ମାସର ସର୍ବୋଚ୍ଚ ସ୍ତର ।

ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ୧୨ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ପେଟ୍ରୋଲ, ଡିଜେଲ, ୧.୯ଲକ୍ଷ ଟଙ୍କା ଛୁଇଁପାରେ ସୁନା

ଭାରତର ‘ପ୍ଲାନ-ବି’ ପ୍ରସ୍ତୁତ: 

ବିଶ୍ୱ ସଙ୍କଟ ମଧ୍ୟରେ ଭାରତ ସରକାର ନିଜର ଆଭ୍ୟନ୍ତରୀଣ ଚାହିଦା ପୂରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ମୋଦି ସରକାର କେବଳ ଗୋଟିଏ ରୁଟ୍ ଉପରେ ନିର୍ଭର ନକରି ତୈଳ ଆମଦାନୀ ପାଇଁ ନୂଆ ନୂଆ ବଜାର ସନ୍ଧାନ କରିଛନ୍ତି । ଭାରତ ପାଖରେ ଏବେ ଏଭଳି ବଫର୍ ଷ୍ଟକ୍ ଅଛି, ଯାହା ଯୋଗାଣ ବନ୍ଦ ହେଲେ ମଧ୍ୟ ୧୫ ଦିନ ପର୍ଯ୍ୟନ୍ତ ଏଲପିଜି (LPG) ଓ ଏଲଏନଜି (LNG) ଏବଂ ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳର ଚାହିଦା ମେଣ୍ଟାଇ ପାରିବ । ଭାରତ ନିଜର ସୋର୍ସିଂ ରୁଟ୍‌କୁ ବଦଳାଇବାର କ୍ଷମତା ରଖିଛି, ଯାହା ଅସ୍ଥିରତା ସମୟରେ ଏକ ସୁରକ୍ଷା କବଚ ଭାବେ କାମ କରିବ ।

ଭାରତ ଉପରେ କ’ଣ ହେବ ପ୍ରଭାବ ?

ଯଦିଓ ତୈଳ ଯୋଗାଣରେ କୌଣସି ତୁରନ୍ତ ସଙ୍କଟ ନାହିଁ, କିନ୍ତୁ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ହେଲେ ଭାରତରେ ମୁଦ୍ରାସ୍ଫୀତି ଏବଂ କରେଣ୍ଟ ଆକାଉଣ୍ଟ ବାଲାନ୍ସ ଉପରେ ଏହାର ପ୍ରଭାବ ପଡ଼ିପାରେ । ସରକାର ଏହି ମୂଲ୍ୟ ବୃଦ୍ଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।