ନୂଆଦିଲ୍ଲୀ,୦୨/୦୩: ଆମେରିକା ଏବଂ ଇସ୍ରାଏଲ ହମ୍ଲାରେ ଇରାନ୍ର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି । ଯଦି ଏହି ଯୁଦ୍ଧ ଲମ୍ବା ଚାଲେ ଏବଂ ତୈଳ ମାର୍ଗ ‘ହୋର୍ମୁଜ ଷ୍ଟ୍ରେଟ୍’ ଅଧିକ ଦିନ ବନ୍ଦ ରୁହେ ତେବେ ଅଶୋଧିତ ତୈଳ ଦରରେ ଦେଖାଦେବ ବଡ଼ ବୃଦ୍ଧି । ଏହାର ପ୍ରଭାବ ଭାରତରେ ତେଲ, ସେୟାର ବଜାର ଏବଂ ସୁନା ଓ ରୁପା ଦରରେ ଦେଖିବାକୁ ମିଳିପାରେ ।
ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ୧୨ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୫ ଟଙ୍କାରୁ ବଢ଼ି ୧୦୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ । ସେହିଭଳି ଡିଜେଲ ୮୮ ଟଙ୍କାରୁ ବଢ଼ି ୯୬ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ଏହାର କାରଣ ହେଉଛି ଭାରତ ଏହାର ଆବଶ୍ୟକତାର ୯୦% ତେଲ ଆମଦାନି କରିଥାଏ । ଏଥିମଧ୍ୟରୁ ୫୦% ଅଶୋଧିତ ତୈଳ ହୋର୍ମୁଜ ରାସ୍ତା ଦେଇ ଆସିଥାଏ ।
ବିଶେଷଜ୍ଞଙ୍କ କହିବାନୁସାରେ, ହୋର୍ମୁଜ ରାସ୍ତା ଅବରୋଧ ହେବା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇବ ଏବଂ ବ୍ୟାରେଲ ପିଛା ଦର ୧୦୦ରୁ ୧୨୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ସମ୍ପ୍ରତି ବ୍ୟାରେଲ ପିଛା ବ୍ରେଣ୍ଟ୍ କ୍ରୁଡ୍ ଦର ପାଖାପାଖି ୭୦ ଡଲାର ରହିଛି ।
ହୋର୍ମୁଜ ଷ୍ଟ୍ରେଟ୍ ୧୬୭ କିମି ଲମ୍ବା ଜଳମାର୍ଗ । ବିଶ୍ୱର ମୋଟ ପେଟ୍ରୋଲିୟମର ୨୦% ଅଂଶ ଏହି ବାଟ ଦେଇ ଯାଇଥାଏ । ଇରାନ ବ୍ୟତୀତ ସାଉଦି ଆରବ, ଇରାକ ଏବଂ କୁଏତ ଭଳି ଦେଶ ବି ନିଜର ରପ୍ତାନି ପାଇଁ ଏହି ପଥ ଉପରେ ନିର୍ଭର । ଭାରତର ମୋଟ ଅଣ-ତୈଳ ରପ୍ତାନିର ୧୦%ରୁ ଅଧିକ ଭାଗ ଏହି ବାଟ ଦେଇ ଯୋଗାଣ ହୋଇଥାଏ । ଏଥିରେ ବାସୁମତି ଚାଉଳ, ଚା’, ମସଲା ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଅନ୍ତର୍ଭୁକ୍ତ । ପ୍ରତିଦିନ ପ୍ରାୟ ୧.୭୮ କୋଟି ବ୍ୟାରେଲରୁ ୨.୦୮ କୋଟି ବ୍ୟାରେଲ ଅଶୋଧିତ ତୈଳ ଏବଂ ଇନ୍ଧନ ଏହି ମାର୍ଗ ଦେଇ ଯାଇଥାଏ । ଇରାନ ନିଜେ ପ୍ରତିଦିନ ୧୭ ଲକ୍ଷ ବ୍ୟାରେଲ ପେଟ୍ରୋଲିୟମ ଏହି ବାଟ ଦେଇ ରପ୍ତାନି କରିଥାଏ ।
ଅଧିକ ପଢ଼ନ୍ତୁ :- ଇରାନର ଜବାବୀ ହମ୍ଲାରେ ରାଗି ନିଆଁ ଡୋନାଲ୍ଡ ଟ୍ରମ୍ପ, ଚେତାବନୀ ଦେଇ କହିଲେ ଅସ୍ତ୍ର ଛାଡ ନଚେତ୍ ମୃତ୍ୟୁ ନିଶ୍ଚିତ
ହୋର୍ମୁଜ ଷ୍ଟ୍ରେଟ୍ର ବିକଳ୍ପ ଭାବେ ସାଉଦି ଆରବ ପାଖରେ ‘ଇଷ୍ଟ-ୱେଷ୍ଟ ପାଇପ୍ଲାଇନ୍ ଅଛି । ଏହା ମାଧ୍ୟମରେ ପ୍ରତିଦିନ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ପଠାଯାଇପାରେ । ଭାରତ ଏବଂ ଅନ୍ୟ ଏସୀୟ ଦେଶଗୁଡ଼ିକ ଏହିଭଳି ବୈକଳ୍ପିକ ରାସ୍ତା ଏବଂ ସୁରକ୍ଷିତ ଭଣ୍ଡାରଗୁଡ଼ିକ ଉପରେ ନଜର ରଖିଛନ୍ତି ।
ପୂର୍ବରୁ ହୋଇଥିବା ୪ଟି ଯୁଦ୍ଧରେ ବଢ଼ିଛି ପେଟ୍ରୋଲ, ଡିଜେଲ ଦର
୧୯୭୩ରେ ଯେତେବେଳେ ଇସ୍ରାଏଲ ଏବଂ ଆରବ ମଧ୍ୟରେ ଯୁଦ୍ଧ ହୋଇଥିଲା, ଅଶୋଧିତ ତୈଳ ଦର ୩ ଡଲାରରୁ ବଢ଼ି ୧୨ ଡଲାର ହୋଇଯାଇଥିଲା । ଏହା ଫଳରେ ଘରୋଇ ବଜାରରେ ଲିଟର ପିଛା ପେଟ୍ରୋଲ ୧ ଟଙ୍କାରୁ ବଢ଼ି ୧.୬୭ ଟଙ୍କା ହୋଇଥିଲା । ସେହିଭଳି ୧୯୯୦ରେ ଯେତେବେଳେ ଇରାକ ଏବଂ କୁଏତ ମଧ୍ୟରେ ଯୁଦ୍ଧ ହୋଇଥିଲା, ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୭ ଡଲାରରୁ ବଢ଼ି ୪୬ ଡଲାର ହୋଇଥିଲା । ଏହା ପ୍ରଭାବରେ ଲିଟର ପିଛା ପେଟ୍ରୋଲ ୮.୫୦ ଟଙ୍କାରୁ ବଢ଼ି ୧୪.୬୨ ଟଙ୍କା ହୋଇଯାଇଥିଲା । ୨୦୦୩ରେ ଇରାକ-ଆମେରିକା ମଧ୍ୟରେ ଯୁଦ୍ଧ ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦ ଡଲାରରୁ ବଢ଼ି ୪୦ ଡଲାର ହୋଇଥିଲା । ଏହା ଫଳରେ ପେଟ୍ରୋଲ ଦର ୨୯ ଟଙ୍କାରୁ ୩୩ ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୨୨ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳେ ବି ଅଶୋଧିତ ତୈଳ ଦରରେ ବଡ଼ ବୃଦ୍ଧି ଘଟିଥିଲା । ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ଏ ସମୟରେ ୮୦ ଡଲାରରୁ ବଢ଼ି ୧୩୦ ଡଲାର ହୋଇଥିଲା । ଫଳରେ ଘରୋଇ ବଜାରରେ ପେଟ୍ରୋଲ ଦର ୯୬ ଟଙ୍କାରୁ ବଢ଼ି ୧୦୫ ଟଙ୍କା ହୋଇଥିଲା ।
ତୈଳ କମ୍ପାନି ଦର ବଢ଼ାଇବାକୁ ସ୍ୱାଧୀନ । କିନ୍ତୁ ଅନ୍ତିମ ନିଷ୍ପତ୍ତି ସରକାରଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରେ । ଯେତେବେଳେ ଯୁଦ୍ଧ ସ୍ଥିତି ଉପୁଯେ, ସେତେବେଳେ ସରକାର ରାଜନୈତିକ ଏବଂ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ କମ୍ପାନିଗୁଡ଼ିକୁ ଦର ନ ବଢ଼ାଇବାକୁ ପରାମର୍ଶ ଦେଇପାରନ୍ତି କିମ୍ବା ନିଜେ ଟିକସ ହ୍ରାସ କରି ବର୍ଦ୍ଧିତ ଦରର ବୋଝକୁ ଜନତାଙ୍କ ଉପରେ ନ ପକାଇବାକୁ ଉଦ୍ୟମ କରିପାରନ୍ତି । ଯଦି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ ହ୍ରାସ ନ କରନ୍ତି ତେବେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ଦର ଲିଟର ପିଛା ୧୨ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ । ଦରଦାମ ସ୍ଥିତି ହୋଇପାରେ ଅଣାୟତ ।
କମୋଡିଟି ବିଶେଷଜ୍ଞ ଅଜୟ କେଡିଆଙ୍କ ଅନୁସାରେ, ୧୦ ଗ୍ରାମ ପିଛା ସୁନା ଦର ୧.୬୦ ଲକ୍ଷ ଟଙ୍କାରୁ ବଢ଼ି ୧.୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । କିଲୋଗ୍ରାମ ପିଛା ରୁପା ଦରରେ ବି ବଡ଼ ଧରଣର ବୃଦ୍ଧି ଘଟିପାରେ । କାରଣ ଯୁଦ୍ଧ ସମୟରେ ନିବେଶକ ସୁନା ଏବଂ ରୁପାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା କରିଥାନ୍ତି ।
ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ, ସେୟାର ବଜାରରେ ୧ରୁ ୧.୫% ହ୍ରାସ ଆସିପାରେ । ସୋମବାର ସେନ୍ସେକ୍ସ ୧୩୦୦ ଏବଂ ନିଫ୍ଟି ୩୦୦ ପଏଣ୍ଟ ପର୍ଯ୍ୟନ୍ତ ଖସିପାରେ । ଯୁଦ୍ଧ ଭଳି ଅସ୍ଥିରତା ସମୟରେ ନିବେଶକ ବଜାରରୁ ଟଙ୍କା କାଢ଼ି ସୁରକ୍ଷିତ ସ୍ଥାନରେ ନିବେଶ କରନ୍ତି ।