ନୂଆଦିଲ୍ଲୀ ୧୩/୦୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ  ପାକିସ୍ତାନରେ ଥିବା ଅନେକ ଆତଙ୍କୀ ଶିବିରକୁ ଧ୍ୱଂସ  କରିଦେଇଛି ଭାରତ। ଗତ ମଙ୍ଗଳବାର-ବୁଧବାର  ରାତିରେ ଅପରେସନ ସିନ୍ଦୂରରେ ପାକ୍‌ରେ ଥିବା  ଲସ୍କର, ଜୈସ ଓ ହିଜବୁଲର ୯ଟି ଆଡ୍ଡା ଉପରେ  ଭୟଙ୍କର ଏୟାରଷ୍ଟ୍ରାଇକ୍‌ ହୋଇଥିଲା । ଏହି ଆକ୍ରମଣ  ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ମୁଖିଆଙ୍କ ଅଣ୍ଟା ଭାଙ୍ଗି  ଦେଇଛି । ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ଭାରତ  ସଫା କରିଦେଇଛି । ତଥାପି ଆତଙ୍କବାଦର ଅନ୍ତ ଘଟିଲା ବୋଲି କୁହାଯାଇ ପାରିବ ନାହିଁ । ଭାରତର  ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଆତଙ୍କବାଦୀମାନେ  ଏବେ ବି ପାକିସ୍ତାନ ମାଟିରେ ନିଃଶ୍ୱାସ ମାରୁଛନ୍ତି । ପାକ୍‌  ସେନା ଓ ସରକାର ସେମାନଙ୍କୁ ସୁରକ୍ଷା ବଳୟରେ  ରଖିଛନ୍ତି । ମୁମ୍ବାଇ ହମଲାଠାରୁ ଆରମ୍ଭ କରି ପୁଲୱାମା  ଆକ୍ରମଣ ପର୍ଯ୍ୟନ୍ତ ଘଟଣାର ଦୋଷୀ ଆତଙ୍କୀମାନେ  ପାକ୍‌ରେ ଏବେ ବି ଅଛନ୍ତି । 

ଆତଙ୍କୀ ସଂଗଠନ ଲସ୍କର-ଇ-ତଇବା ଓ  ଜମାତ-ଉଦ-ଦାୱାର ମୁଖିଆ ହାଫିଜ ସଇଦ ଏବେ  ପାକିସ୍ତାନରେ ଅଛି । ୨୦୦୮ ଡିସେମ୍ବର୧୦ରେ  ଜାତିସଂଘ ତାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା  କରିଥିଲା । ଭାରତରେ ଘଟିଥିବା ଅନେକ ଆତଙ୍କବାଦୀ  ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ରହିଆସିଛି ।  ୨୦୦୦ ଡିସେମ୍ବର ୨୨ର ଲାଲକିଲ୍ଲା ହମଲା, ୨୦୦୮  ଜାନୁଆରୀ ୧ର ରାମପୁର ହମଲା, ୨୦୦୮ ନଭେମ୍ବର  ୨୬ର ମୁମ୍ବାଇ ଆକ୍ରମଣ, ୨୦୧୫ ଅଗଷ୍ଟ ୫ର ଜମ୍ମୁକାଶ୍ମୀରରେ ବିଏସ୍‌ଏଫ୍‌ର ଗାଡ଼ି ଉପରେ ଆକ୍ରମଣରେ  ତା’ର ହାତ ରହିଛି । ୨୦୨୨ ଏପ୍ରିଲରେ ପାକିସ୍ତାନର  ଅଦାଲତ ହାଫିଜ ସଇଦକୁ ୩୧ ବର୍ଷର ଜେଲଦଣ୍ଡ  ଶୁଣାଇଥିଲେ । କିନ୍ତୁ କୁହାଯାଉଛି ଯେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଛାଟରୁ ସୁରକ୍ଷିତ ରହିବା ପାଇଁ  ପାକିସ୍ତାନ ଏଭଳି କରିଥିଲା । 

ସେହିଭଳି ଜୈସ-ଇ-ମହମ୍ମଦ ସଙ୍ଗଠନର  ମୁଖ୍ୟ ମସୁଦ ଆଝାର ମଧ୍ୟ ଏବେ ପାକିସ୍ତାନରେ  ଅଛି । ଅପରେସନ ସିନ୍ଦୂରରେ ତା’ର ପରିବାର ନିପାତ  ହୋଇଥିଲା । ଏହି ସଙ୍ଗଠନ ଭାରତରେ ହୋଇଥିବା  ଅନେକ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ । ୨୦୧୯  ମେ ୧ରେ ଜାତିସଂଘ ମସୁଦ ଆଝାରକୁ ଅନ୍ତର୍ଜାତୀୟ  ଆତଙ୍କବାଦୀ ଘୋଷଣା କରିଥିଲା । ୨୦୦୧ ଅକ୍ଟୋବରରେ  ଜମ୍ମୁ-କାଶ୍ମୀର ବିଧାନସଭା ପରିସରରେ ହୋଇଥିବା  ହମଲା, ୨୦୦୧ ଡିସେମ୍ବରର ସଂସଦ ଆକ୍ରମଣ,  ୨୦୧୬ ଜାନୁଆରୀରେ ପଠାନକୋଟ ଆକ୍ରମଣ ଜୈସ  ଆତଙ୍କବାଦୀ ହିଁ କରିଥିଲେ । ୨୦୧୯ ଫେବ୍ରୁଆରୀ  ୧୪ରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍‌ର  ଗାଡ଼ିଗୁଡ଼ିକ ଉପରେ ଯେଉଁ ଆକ୍ରମଣ ହୋଇଥିଲା,  ସେଥିରେ ୪୦ ଯବାନ ସହିଦ ହୋଇଥିଲେ । ଏହାପରେ  ଭାରତ ବାଲାକୋଟରେ ଏୟାରଷ୍ଟ୍ରାଇକ୍‌ କରି ଜୈସର  ଆତଙ୍କୀ ଶିବିରକୁ ଉଡ଼ାଇ ଦେଇଥିଲା । 

ହାଫିଜ ସଇଦର ସହଯୋଗୀ ଜକୀ-ଉରରହମାନ ଲକ୍‌ଭୀ ଲସ୍କର-ଇ-ତଇବାର କମାଣ୍ଡର  ଏବଂ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ୨୬/୧୧  ମୁମ୍ବାଇ ଆକ୍ରମଣରେ ମଧ୍ୟ ଲକ୍‌ଭୀର ହାତ ଥିଲା ।  ୨୦୦୮ ଡିସେମ୍ବରରେ ଜାତିସଂଘ ତାକୁ ଅନ୍ତର୍ଜାତୀୟ  ଆତଙ୍କବାଦୀ ଘୋଷଣା କରିଥିଲା । ହାଫିଜ ସଇଦ  ଲକ୍‌ଭୀ ମଧ୍ୟ ଲାଲକିଲ୍ଲା ଆକ୍ରମଣ, ରାମପୁର ହମଲା  ଏବଂ ବିଏସ୍‌ଏଫ୍‌ର ଗାଡ଼ି ଉପରେ ହୋଇଥିବା  ଆକ୍ରମଣରେ ସାମିଲ ଥିଲା । ୨୦୦୯ରେ ଲକ୍‌ଭୀ  ବିରୋଧରେ ରେଡ୍‌-କର୍ଣ୍ଣର ନୋଟିସ୍‌ ଜାରି ହୋଇଥିଲା ।  ଜାତିସଂଘ ମୁତାବକ, ଲକ୍‌ଭୀ ପାକିସ୍ତାନର ରାଜଧାନୀ  ଇସଲାମାବାଦ ଏବଂ ଓକରା ଜିଲ୍ଲାରେ ରହୁଛି । 

ଜଫର ଇକବାଲ ଓରଫ ଜମାଲଦୀନ ଜମ୍ମୁକାଶ୍ମୀରର ବାସିନ୍ଦା । କିନ୍ତୁ ଏବେ ସେ ପାକିସ୍ତାନରେ  ରହୁଛି । ଜାତିସଂଘ ତାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ  ତାଲିକାରେ ସାମିଲ କରିଛି । ସେ ଲାହୋରରେ  ମସଜିଦ୍‌ ଅଲ୍‌-କଦେସିଆ ପାଖରେ ରହୁଛି । ଜଫର  ଇକବାଲ ଭାରତରେ ବିଶେଷକରି ଜମ୍ମୁ-କାଶ୍ମୀରରେ  ଅନେକ ଆତଙ୍କବାଦୀ ଆକ୍ରମଣ କରାଇଥିଲା ।  ହରକତ-ଉଲ-ଜିହାଦ-ଇ-ଇସଲାମୀ ନାମକ  ଆତଙ୍କବାଦୀ ସଙ୍ଗଠନର ସେ କମାଣ୍ଡର । ଭାରତରେ  ଏହି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସଇଦ ସଲାହୁଦ୍ଦୀନ ମଧ୍ୟ ବର୍ତ୍ତମାନ ପାକିସ୍ତାନରେ ଲୁଚିଛି । ନିକଟରେ  ରାୱଲପିଣ୍ଡିରେ ଆତଙ୍କୀ ଇମ୍‌ତିଆଜର ଅନ୍ତିମ  ସଂସ୍କାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ବିଗତ  ଦିନରେ ଜମ୍ମୁ-କାଶ୍ମୀରର ବାସିନ୍ଦା ଆତଙ୍କୀ ବଶୀର  ଅହମ୍ମଦ ପୀର୍‌ ଓରଫ ଇମ୍‌ତିଆଜ ଆଲମକୁ ଅଜଣା ଆକ୍ରମଣକାରୀମାନେ ଗୁଳିକରି ପାକିସ୍ତାନରେ ହତ୍ୟା  କରିଥିଲେ । ସେ ହିଜବୁଲ ମୁଜାହିଦ୍ଦିନ ସହ ଜଡ଼ିତ ଥିଲା । 

ଅଣ୍ଡରୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମ ଏବେ  ପାକିସ୍ତାନରେ ରହିଛି । ଅନେକ ଦେଶରେ ଆତଙ୍କୀ  ଆକ୍ରମଣ, ଆତଙ୍କବାଦ ପାଣ୍ଠି ଚାଲାଣ, ନିଶା କାରବାର  ଭଳି ଅପରାଧରେ ସେ ସମ୍ପୃକ୍ତ । ୧୯୯୩ ମାର୍ଚ୍ଚରେ  ଦାଉଦ ଇବ୍ରାହିମ ଓ ତା’ର ସହଯୋଗୀମାନେ  ମୁମ୍ବାଇରେ ସିରିଜ ବୋମା ବିସ୍ଫୋରଣ କରିଥିଲେ ।  ଏଥିରେ ୨୫୭ ଲୋକ ପ୍ରାଣ ହରାଇଥିଲା ବେଳେ ୧  ହଜାରରୁ ଅଧିକ ଆହତ ହୋଇଥିଲେ । ଏହାପରେ  ଦାଉଦ ଇବ୍ରାହିମ ଭାରତରୁ ପଳାୟନ କରିଥିଲା ।  ୨୦୦୩ରେ ଜାତିସଂଘ ତାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ  ଘୋଷଣା କରିଥିଲା । କରାଚୀରେ ସେ ରହିଆସୁଛି । 

ଏହାବ୍ୟତୀତ ପାକିସ୍ତାନରେ ବିଶ୍ୱର ଅନେକ  ଭୟାନକ ଆତଙ୍କବାଦୀ ଆଶ୍ରୟ ନେଇଛନ୍ତି । ତା’ଛଡ଼ା  ପାକିସ୍ତାନରେ ୧୫୦ରୁ ଅଧିକ ଆତଙ୍କବାଦୀ ସଙ୍ଗଠନ  ରହିଛି । ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜୋ  ବାଇଡେନ୍‌ ପାକିସ୍ତାନକୁ ବିଶ୍ୱର ସବୁଠୁ ଭୟଙ୍କର  ଦେଶ ବୋଲି ବିବେଚନା କରିଥିଲେ । ଏହାକୁ ନେଇ  ପାକିସ୍ତାନ ନିରାଶ ହୋଇଥିଲା । ଜାତିସଂଘ ପାକିସ୍ତାନର  ୧୫୦ରୁ ଅଧିକ ଆତଙ୍କୀ ସଂଗଠନ ଓ ଆତଙ୍କୀଙ୍କୁ  ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିଛି ।