ନୂଆଦିଲ୍ଲୀ, ୧୬/୧୨ : ଜୋର୍ଡାନ ସହ ଭାରତର ବଡ଼ ଚୁକ୍ତି। ଆହୁରି ମଜବୁତ ହେଲା ଦ୍ଵିପାକ୍ଷିକ ସମ୍ଵନ୍ଧ। ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର୍ଡାନର ରାଜଧାନୀ ଅମ୍ମାନରେ କିଙ୍ଗ ଅବଦ୍ଦୁଲ୍ଲାଙ୍କ ସହ ଆଲୋଚନା କରିଛନ୍ତି। ଆତଙ୍କବାଦ, ଗାଜା ସହ ଆଞ୍ଚଳିକ ଘଟଣାକ୍ରମ ଏବଂ ଦ୍ଵିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ୫ଟି ବଡ଼ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ଆତଙ୍କବାଦ ଓ କଠୋରପନ୍ଥର ମୂଳପୋଛ, କୃଷି ଓ ସାର, ନବୀକରଣଯୋଗ୍ୟ ଉର୍ଜା ଏବଂ ପର୍ଯ୍ୟଟନ ଭଳି ସେକ୍ଟରରେ ସହଭାଗୀତା ହୋଇଛି। ପିଏମ୍ ମୋଦି ଆତଙ୍କବାଦ ଏବଂ ଉଗ୍ରବାଦର ମୁକାବିଲା କରିବା କ୍ଷେତ୍ରରେ କିଙ୍ଗ ଅବଦ୍ଦୁଲ୍ଲାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। 

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୩ ଦିନିଆ ବିଦେଶ ଗସ୍ତରେ ବାହାରି ସନ୍ଧ୍ୟାରେ ଜୋର୍ଡାନରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ଜୋର୍ଡାନ ପ୍ରଧାନମନ୍ତ୍ରୀ ଜାଫର ହସନ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ଦିନିଆ ଜୋର୍ଡାନ ଗସ୍ତରେ ଥିବା ମୋଦିଙ୍କୁ ରାଜଧାନୀ ଅମ୍ମାନରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ହୋଟେଲରେ ପହଞ୍ଚିବା ପରେ ମୋଦିଙ୍କୁ ଭାରତୀୟ ସମୁଦାୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମୁଦାୟ ଲୋକଙ୍କୁ ଭେଟିଥିଲେ । ଏହି ସମୟରେ କଳାକାରମାନେ ମୋଦିଙ୍କ ସମ୍ମୁଖରେ ସାଂସ୍କୃତିକ କଳା ପ୍ରଦର୍ଶନ କରିଥିଲେ । ପରେ ମୋଦି ଜୋର୍ଡାନ କିଙ୍ଗ ଅବଦୁଲ୍ଲାଙ୍କୁ ହୁସୈନିଆ ପ୍ୟାଲେସରେ ସାକ୍ଷାତ କରିଥିଲେ । ହୁସୈନିଆ ପ୍ୟାଲେସରେ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା । କିଙ୍ଗ୍‌ ଅବଦୁଲ୍ଲାଙ୍କ ନିମନ୍ତ୍ରଣରେ ମୋଦି ଜୋର୍ଡାନ ଗସ୍ତ କରିଛନ୍ତି । ଏହି ଅବସରରେ ସେ କିଙ୍ଗ୍‌ ଅବଦୁଲ୍ଲାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ମୋଦିଙ୍କ ଏହି ଗସ୍ତ ଭାରତଜୋର୍ଡାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ହୋଇଛି । ମୋଦି ୭ ବର୍ଷ ପରେ ଜୋର୍ଡାନ ଯାଇଛନ୍ତି । ଏହା ପୂର୍ବରୁ ୨୦୧୮ରେ ଏକ ଟ୍ରାଞ୍ଜିଟ୍‌ ଭିଜିଟ୍‌ରେ ମୋଦି ଜୋର୍ଡାନ ଯାଇଥିଲେ ।

ଦୁଇ ଦେଶ ମଧ୍ୟରେ ହୋଇଥିବା ୫ ଚୁକ୍ତି-

  • ନୂଆ ଏବଂ ନବୀକରଣଯୋଗ୍ୟ ଏନର୍ଜି ସେକ୍ଟରରେ ଟେକ୍ନିକାଲ ସହଯୋଗ
  • ଜଳ ସମ୍ପଦ ପ୍ରବନ୍ଧନ ଏବଂ ବିକାଶ ସେକ୍ଟରରେ ସହଯୋଗ
  • ପେଟ୍ରୋ ଏବଂ ଏଲୋରା ମଧ୍ୟରେ ଟ୍ଵିନିଂ ଏଗ୍ରିମେଣ୍ଟ
  • ୨୦୨୫-୨୯ ପାଇଁ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ରିନ୍ୟୁଆଲ୍
  • ଡିଜିଟାଲ ରୂପାନ୍ତରଣ ପାଇଁ କାର୍ଯ୍ୟକାରୀ ହୋଇଥିବା ସଫଳ ଡିଜିଟାଲ ସମାଧାନ ବାଣ୍ଟିବା ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆଗ୍ରହ ପତ୍ର

ମଙ୍ଗଳବାର ମୋଦି ଜୋର୍ଡାନ କିଙ୍ଗଙ୍କ ସହ ଭାରତଜୋର୍ଡାନ ବିଜନେସ ଇଭେଣ୍ଟକୁ ମିଳିତ ଭାବେ ସମ୍ବୋଧିତ କରିବେ । ଜୋର୍ଡାନ ଗସ୍ତ ଶେଷ କରି ମଙ୍ଗଳବାର ହିଁ ମୋଦି ସେଠାରୁ ଇଥିଓପିଆ ଯିବେ । ଆସନ୍ତା ୧୭ରୁ ୧୮ ସେ ସୁଲତାନ ହାଇଥାମ୍‌ ବିନ୍‌ ତାରିକଙ୍କ ନିମନ୍ତ୍ରଣ କ୍ରମେ ଓମାନ ଗସ୍ତ କରି ଦୁଇ ଦେଶ ପକ୍ଷରୁ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ ।