ନୂଆଦିଲ୍ଲୀ,୧୯।୧୧: ଶଙ୍ଘାଇ ସହଯୋଗ ସଂଗଠନ ବା ଏସ୍ସିଓ ଶିଖର ସମ୍ମିଳନୀ ପରେ ଭାରତ-ଚୀନ୍ ସମ୍ପର୍କ ଧିରେ ଧିରେ ସୁଧୁରିବାରେ ଲାଗିଛି। ଏହା ଭିତରେ ଆମେରିକା କଂଗ୍ରେସର ପରାମର୍ଶଦାତା ସଂସ୍ଥା ଏବେ ଚୀନ୍ ଓ ପାକିସ୍ତାନକୁ ନେଇ ବଡ଼ ଖୁଲାସା କରିଛନ୍ତି। ୨୦୨୫ ରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ ବେଳେ ଭାରତ-ପାକିସ୍ତାନ ସେନା ଭିତରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଭାରତ ନିଜର ସୁଦର୍ଶନ ଚକ୍ର ଓ ବ୍ରହ୍ମୋସ ମିସାଇଲର ଶକ୍ତି ଦେଖାଇଥିଲା। ସେଭଳି ପାକିସ୍ତାନ ଦାବି କରିଥିଲା ସେ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନକୁ ମାରି ନଷ୍ଟ କରିଦେଇଥିଲା।
ଏବେ ଆମେରିକାର ରିପୋର୍ଟ ସ୍ପଷ୍ଟ କରିଛି ଯେ, ପାକିସ୍ତାନର ରାଫେଲ ନଷ୍ଟ କରିବାର ଦାବି ସମ୍ପୂର୍ଣ୍ଣ ମିଛ। ଏହାପଛରେ ଏକ ବଡ଼ ଷଡଯନ୍ତ୍ର ଥିଲା। ବୁଧବାର ଆମେରିକା-ଚୀନ୍ ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା କମିଶନ୍ ନିଜର ବାର୍ଷିକ ରିପୋର୍ଟରେ ଚୀନ୍ ଉପରେ ଗମ୍ଭୀର ଆରୋପ ଲଗାଇଛି। ରିପୋର୍ଟରେ କୁହାଯାଇଛି ଯେ, ‘ଅପରେସନ୍ ସିନ୍ଦୂର’ ପରେ ଭାରତ ବିରୋଧରେ ଚୀନ୍ ‘ଭୁଲ ସୂଚନା ଅଭିଯାନ’ ଚଳାଇଥିଲା। ଏହି ଅଭିଯାନରେ ଏଆଇରୁ ତିଆରି ନକଲି ଫଟୋ ଓ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ବହୁ ପରିମାଣରେ ବ୍ୟବହାର କରାଯାଇଥିଲା।
ରିପୋର୍ଟ ଅନୁସାରେ, ଚୀନ୍ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏଭଳି ଏଆଇ ଜେନେରେଟେଡ୍ ଫଟୋ ଭାଇରାଲ କରିଥିଲା। ଯେଉଁଥିରେ ଭାରତୀୟ ଓ ଫ୍ରାନ୍ସ ରାଫେଲ ବିମାନର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ଏହାକୁ ଚୀନ୍ ଦ୍ବାରା ତିଆରି ଅସ୍ତ୍ରଶସ୍ତ୍ରରେ ନଷ୍ଟ କରାଯାଇଥିବାର ଦେଖାଯାଇଥିଲା। ଏହାର ମୁଖ୍ୟ ଉଦେଶ୍ୟ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନକୁ ବିଶ୍ବ ବଜାରରେ କ୍ଷତି ପହଁଞ୍ଚାଇବା ଓ ନିଜର ଆଗାମୀ ପୀଢିର ଜେ-୩୫ ବିମାନକୁ ପ୍ରୋତ୍ସାହନ ଦେବାର ଯୋଜନା ଥିଲା। କମିଶନ୍ ଏହାକୁ ଚୀନ୍ର ବ୍ୟାପକ ‘ଗ୍ରେ ଜୋନ୍ ରଣନୀତି’ର ଅଂଶ ବୋଲି କହିଛନ୍ତି। ଯାହାକୁ ସିଧାସଳଖ ସାମରିକ ସଂଘର୍ଷ ବିନା ଭୂରାଜନୈତିକ ଲାଭ ପାଇବା ପାଇଁ କରାଯାଇଥାଏ।