ନୂଆଦିଲ୍ଲୀ,୦୨/୦୬: ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ସାମରିକ ଅଭିଯାନ  ଅପରେସନ ସିନ୍ଦୂରକୁ ନେଇ ନିକଟରେ କିଛି ଘଟଣା  ସାମ୍‌ନାକୁ ଆସିଛି । ଯାହାକି ଭାରତ ଓ ପାକିସ୍ତାନ  ଭିତରେ ସମ୍ପର୍କକୁ ଆହୁରି ତିକ୍ତ କରିବା ସମ୍ଭାବନା  ରହିଛି । ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀଙ୍କ  ବିରୋଧରେ ଭାରତ ଅପରେସନ-୨ ଆରମ୍ଭ କରିବ ।  ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ଜାତୀୟ  ସ୍ତରୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ପ୍ରତିରକ୍ଷା  ସୂତ୍ରରୁ ଏଭଳି ସଙ୍କେତ ମଧ୍ୟ ମିଳିଛି । 

ଅପରେସନ ସିନ୍ଦୂର-୨ ହେଉଛି ଭାରତର  ଆତଙ୍କବାଦ ବିରୋଧୀ ରଣନୀତିର ଏକ ମଜଭୁତ  ପଦକ୍ଷେପ । ତେବେ ଅପରେସନ ସିନ୍ଦୂର-୨କୁ ନେଇ ଏବେ ସାର୍ବଜନୀକ ଭାବେ କିଛି କୁହାଯାଇନାହିଁ କିମ୍ବା  ସରକାର ସ୍ପଷ୍ଟ କରିନାହାନ୍ତି । କିନ୍ତୁ ସରକାର ବାରମ୍ବାର  କହୁଛନ୍ତି ଯେ ଅପରେସନ ସିନ୍ଦୂର ସମ୍ପୂର୍ଣ୍ଣ ଭାବେ ବନ୍ଦ  ହୋଇନାହିଁ, କେବଳ ଏହାକୁ ସ୍ଥଗିତ ରଖାଯାଇଛି । ଏଥିରୁ  ଗୋଟିଏ କଥା ସ୍ପଷ୍ଟ ଯେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ  ହେବ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଅପରେସନ- ୨ ହେବ ଏକ ଗୁପ୍ତ, ରଣନୀତିକ ତଥା ଟେକ୍ନୋଲୋଜି ଆଧାରିତ ଅତ୍ୟାଧୁନିକ ସାମରିକ ଅଭିଯାନ । ଏହାର  ଉଦ୍ଦେଶ୍ୟ ହେଉଛି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ  ନିପାତ କରିବା ସହ ସେମାନଙ୍କ ଠିକଣାକୁ ଧ୍ୱଂସ କରିବା ।  ଏହି କ୍ରମରେ ପାକିସ୍ତାନ ସଂଲଗ୍ନ ସୀମାନ୍ତବର୍ତ୍ତୀ ରାଜ୍ୟରେ  ନାଗରିକ ସୁରକ୍ଷା ଅଭିଯାନ ମକଡ୍ରିଲ ଅପରେସନ ସିଲ୍ଡ କରାଯାଇଥିଲା ବେଳେ ଦେଶର ବିଭିନ୍ନ ଭାଗରେ ଭାରତୀୟ  ସେନା ପକ୍ଷରୁ ସାମରିକ ଅଭ୍ୟାସ ମଧ୍ୟ ଜାରି ରହିଛି । 

ପାକିସ୍ତାନର ଯେଉଁସବୁ ସ୍ଥାନରେ ଆତଙ୍କୀ ଠିକଣା  ରହିଛି ତାକୁ ଟାର୍ଗେଟ କରିବା ଲାଗି ଅପରେସନ  ସିନ୍ଦୂର-୨ ଆରମ୍ଭ ହେବ । ନିକଟରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ  ତାର ଆତଙ୍କବାଦ ବିରୋଧୀ ଲଢ଼େଇ ସହ କୌଣସି  ପ୍ରକାର ସାଲିସ କରିବ ନାହିଁ । ଅର୍ଥାତ ଆତଙ୍କବାଦୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଭବିଷ୍ୟତରେ  କୌଣସି ଆତଙ୍କୀ ହିଂସାର ଉପଯୁକ୍ତ ଜବାବ ଦିଆଯିବ ।  ଭାରତ ତାର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ  କରିବା ସହ ନୂଆ କୌଶଳ ମଧ୍ୟ ଅବଲମ୍ବନ କରିଛି ।  ପ୍ରତିରକ୍ଷା ମନ୍ତ୍ରୀ ଓ ସେନାମୁଖ୍ୟଙ୍କ ମଧ୍ୟରେ ନିୟମିତ  ବୈଠକ ହେଉଛି । ସମ୍ଭବତଃ ଅପରେସନ ସିନ୍ଦୂର୨କୁ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି । ସୀମାରେ  ସୈନ୍ୟ ସଂଖ୍ୟା ବଢ଼ାଯାଇଥିଲାବେଳେ ବାୟୁସେନାକୁ  ମଧ୍ୟ ହାଇଆଲର୍ଟରେ ରଖାଯାଇଛି । 

ଭାରତର ଆତଙ୍କବାଦ ବିରୋଧୀ ନୀତି ଉପରେ  ସମଗ୍ର ବିଶ୍ୱର ନଜର ରହିଛି । ଭାରତର କାର୍ଯ୍ୟାନୁଷ୍ଠାନକୁ  ଆମେରିକା, ରୁଷ, ଫ୍ରାନ୍ସ ସମେତ ଅନେକ ଦେଶ  ସମର୍ଥନ କରିଛନ୍ତି । ଆଉ କିଛି ଦେଶ ସଂଯମ ଆଚରଣ  କରିବାକୁ ପରାମର୍ଶ ଦେଇଛନ୍ତି । ଆତଙ୍କବାଦ ବିରୋଧୀ  ଲଢ଼େଇ ପାଇଁ କୂଟନୈତିକ ସମର୍ଥନ ହାସଲ କରିବାକୁ  କେନ୍ଦ୍ର ସରକାର ୭ଟି ସର୍ବଦଳୀୟ ସଂସଦୀୟ ପ୍ରତିନିଧି  ମଣ୍ଡଳୀ ଗଠନ କରିଛନ୍ତି । ଏହି ଟିମ୍‌ ଏବେ ବିଭିନ୍ନ  ଦେଶର ଗସ୍ତରେ ଅଛନ୍ତି । ସେମାନେ ୫୦ରୁ ଅଧିକ  ଦେଶ ଗସ୍ତ କରିବେ ଏବଂ ଆତଙ୍କବାଦ ବିରୋଧରେ  ଭାରତର ଲଢ଼େଇ ଓ ପାକିସ୍ତାନର ଆତଙ୍କୀ ଚେହେରାକୁ  ଉଜାଗର କରିବେ । ଅପରେସନ ସିନ୍ଦୂର-୨ ପାଇଁ ଯେଉଁ  ପ୍ରସ୍ତୁତି ଚାଲିଛି ତାହା ଗୋଟିଏ କଥା ଦର୍ଶାଉଛି ଯେ ଭାରତ  ଆତଙ୍କବାଦ ବିରୋଧରେ ନିଜର ଆଭିମୁଖ୍ୟରେ କୌଣସି  ପ୍ରକାର ଢ଼ିଲା ଦେବାକୁ ଚାହୁଁନାହିଁ । ଏହି ଅପରେସନ  ସମ୍ପର୍କରେ ସରକାରୀ ଭାବେ କିଛି କୁହାଯାଇନାହିଁ । କିନ୍ତୁ  ପ୍ରତିରକ୍ଷା ପ୍ରସ୍ତୁତି, ବୈଠକ ଓ ରାଜନୈତିକ ବୟାନରୁ ଏହାର ସଙ୍କେତ ମିଳୁଛି ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ । 

ଆଗାମୀ ଅପରେସନରେ ଭାରତ ନୂଆ ଧରଣର  ଯୁଦ୍ଧାସ୍ତ୍ର ବ୍ୟବହାର କରିବାର ସମ୍ଭାବନା ରହିଛି । ସେଥିମଧ୍ୟରେ ମେଟିଓର ମିସାଇଲ, ସ୍କାଏ ଷ୍ଟ୍ରାଇକର  ଡ୍ରୋନ, ସ୍ପାଇସ ୨୦୦୦ ଗ୍ଲାଇଡ ବୋମା, ଏକ୍ସକାଲିବର  ଆର୍ଟିଲେରି ସେଲ୍‌, ହାମର ଓ ସ୍କାଲ୍‌ପ ମିସାଇଲ । ମେଟିଓର ହେଉଛି ଏକ ଅଲ୍‌ଟ୍ରା ଦୂରଗାମୀ ଆକାଶରୁ  ଆକାଶମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମିସାଇଲ । ଏହାକୁ ରାଫେଲ ଯୁଦ୍ଧବିମାନରୁ ଛଡାଯାଇପାରିବ । ଏହି ମିସାଇଲ ଶତ୍ରୁର ବିମାନକୁ ୧୫୦ କି.ମି ଦୂରରୁ ଧ୍ୱଂସ କରିପାରିବ । ସ୍କାଏ ଷ୍ଟ୍ରାଇକର ଡ୍ରୋନ ହେଉଛି  ଏକ ଆତ୍ମଘାତୀ ଡ୍ରୋନ । ଏହାକୁ ହଣ୍ଟର ଡ୍ରୋନ ମଧ୍ୟ କୁହାଯାଏ । ଶତ୍ରୁର କ୍ୟାମ୍ପ, ରାଡାର, ଯୋଗାଯୋଗ  ପ୍ରତିଷ୍ଠାନ ଉପରେ ଏହା ସଠିକ ଟାର୍ଗେଟ କରି ତାକୁ  ଧ୍ୱଂସ କରିବା ସହ ନିଜେ ମଧ୍ୟ ଧ୍ୱଂସ ହୋଇଯାଏ ।  ସ୍ପାଇସ୍‌ ୨୦୦୦ ଗ୍ଲାଇଡ ବୋମା ହେଉଛି ସାଟେଲାଇଟ  ଗାଇଡେଡ ବୋମା । ଏହା ଶତ୍ରୁର ସୀମା ଭିତରେ ୭୦  କି.ମି ଦୂରରେ ଟାର୍ଗେଟକୁ ଧ୍ୱଂସ କରିପାରିବ । ବାଲାକୋଟ  ଏୟାରଷ୍ଟ୍ରାଇକ୍‌ ବେଳେ ଏହାର ବ୍ୟବହାର ହୋଇଥିଲା ।  

ସେହିଭଳି ଏକ୍ସକାଲିବର ଆର୍ଟିଲେରୀ ସେଲ୍‌  ହେଉଛି ପ୍ରିସିସନ ଗାଇଡେଡ ଟ୍ୟାଙ୍କ ଓ ତୋପର  ଗୋଳା । ଏଲ୍‌ଓସିରେ ଭାରତୀୟ ସେନା ଏହାର ବ୍ୟବହାର  କରିଥାନ୍ତି । ଏହି ସେଲ୍‌ ସହାୟତାରେ ଶତ୍ରୁପକ୍ଷର ବଙ୍କର,  ଲଞ୍ଚପ୍ୟାଡ ଓ ଟନେଲକୁ ଧ୍ୱଂସ କରିହେବ । ସେହିଭଳି  ହାମର ଓ ସ୍କାଲ୍‌ପ ମିସାଇଲ ଅପରେସନ-୧ରେ  ବ୍ୟବହାର ହୋଇଥିଲା । ଏହାକୁ ରାଫେଲ ଯୁଦ୍ଧବିମାନରେ  ଲଗାଯାଇଥିଲା । ସ୍କାଲ୍‌ପ ହେଉଛି ଏହ ଦୂରଗାମୀ ମିସାଇଲ  ଯାହାକି ୫୦୦ କି.ମି ଦୂରରୁ ଲକ୍ଷ୍ୟଭେଦ କରିପାରିବ