ନୂଆଦିଲ୍ଲୀ,୦୭/୦୭; ଘରୋଇ ଜିମ୍ବାୱେ ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଚଳିତ ବର୍ଷ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ଚୟନ କମିଟି ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରାଥମିକତା ଦେଇଛନ୍ତି । ଗତ ଆୟର୍ଲାଣ୍ଡ ଗସ୍ତ ଏବଂ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ରେ ସାମସନ ବିଫଳ ହୋଇଥିଲେ । ଅଭିଜ୍ଞ ବ୍ୟାଟର ରିଙ୍କୁ ସିଂହ ଓ ଯୁବ ପେସ୍ ବୋଲର ମୟଙ୍କ୍ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୟଙ୍କ୍ ପାଖାପାଖି ୨ବର୍ଷ ପରେ ଦଳକୁ ଫେରିଛନ୍ତି । ଅନ୍ୟ ପଟରେ ୱିକେଟ୍ କିପର ବ୍ୟାଟର ପ୍ରଭସିମରନ ସିଂହ, ପେସ୍ ବୋଲର ୟଶ୍ ଠାକୁର, ଅଶୋକ ଶର୍ମା ଓ ସ୍ପିନର ହର୍ଷ ଦୁବେ ପ୍ରଥମ ଥର ସୁଯୋଗ ପାଇଛନ୍ତି । ଆଇପିଏଲ୍ ଓ ଘରୋଇ କ୍ରିକେଟ୍ରେ ପ୍ରଭାବୀ ପ୍ରଦର୍ଶନ କରି ଏହି ୪ଖେଳାଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରେୟାସ୍ ଆୟର ଦଳର ନେତୃତ୍ୱ ନେବେ । ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ୩ଟି ଟି-ଟ୍ୱେଣ୍ଟି (ଜୁଲାଇ ୨୩, ୨୫, ୨୬ ତାରିଖ) ଖେଳିବ ।
ଏହା ବି ପଢନ୍ତୁ....ବୈଭବ ଓ ଅଭିଷେକ ଶର୍ମା ଇଣ୍ଡିଆର ଲଙ୍ଗ ଟର୍ମ ଓପନର ହୋଇ ପାରିବେ ନାହିଁ … ଏମିତି ବିବୃତ୍ତି କାହିଁକି ଦେଲେ ମହମ୍ମଦ କୈଫ୍ ?
ରିଙ୍କୁ ସିଂହଙ୍କ ଅପେକ୍ଷାର ଅନ୍ତ- ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି । ରିଙ୍କୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ଏବଂ ୨୦୨୬ ଏସୀୟ କ୍ରୀଡାରୁ ବଞ୍ଚିତ ହୋଇଥିଲେ । ବର୍ତ୍ତମାନ, ଚୟନକର୍ତ୍ତା ରିଙ୍କୁଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ରିଙ୍କୁଙ୍କୁ ଟି-୨୦ କ୍ରିକେଟରେ ଭାରତର ଶ୍ରେଷ୍ଠ ଫିନିସରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ଶେଷ ଓଭରଗୁଡ଼ିକରେ ଦ୍ରୁତ ସ୍କୋର କରିବାର କ୍ଷମତା ଅଛି । ତାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆର ମଧ୍ୟମ ଏବଂ ନିମ୍ନ କ୍ରମକୁ ମଜବୁତ କରିବ ବୋଲି ଆଶା କରାଯାଉଛି । ଭାରତୀୟ ଟି-୨୦ ଦଳର ସ୍ଥାନ ପାଇଁ ପ୍ରତିଯୋଗିତା ବଢୁଥିବାରୁ ରିଙ୍କୁଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହେବ । ତାଙ୍କୁ ମିଳିଥିବା ସୁଯୋଗର ଫାଇଦା ଉଠାଇବାକୁ ପଡିବ ।
ସଞ୍ଜୁ ବିଶ୍ରାମ, ପ୍ରଭସିମରନ ଇନ୍- ଜିମ୍ବାୱେ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ସଞ୍ଜୁ ସାମସନଙ୍କ ନାମ ନାହିଁ । ଦଳ ଚୟନକୁ ନେଇ ତାଙ୍କ ଅନୁପସ୍ଥିତି ସବୁଠାରୁ ବଡ଼ ଆଲୋଚନାର ବିଷୟ ହୋଇଛି । ଚୟନକର୍ତ୍ତାମାନେ ତାଙ୍କର ସ୍ଥିର କ୍ରିକେଟ୍ ଏବଂ କାର୍ଯ୍ୟଭାରକୁ ଧ୍ୟାନରେ ରଖି ଏହି ସିରିଜରୁ ସଞ୍ଜୁ ସାମସନଙ୍କୁ ବିଶ୍ରାମ ଦେଇଛନ୍ତି । ସଞ୍ଜୁ ବାଦ ପଡିବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ତାଙ୍କ ସ୍ଥାନରେ ପ୍ରଭସିମରନଙ୍କୁ ୱିକେଟକିପରି ବ୍ୟାଟର ଭାବେ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିଛି । ୨୦୨୩ରେ ଏସୀୟ କ୍ରୀଡିରେ ଭାରତୀୟ ଦଳରେ ସାମିଲ ଥିଲେ କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳିଥିଲେ ।
ମୟଙ୍କ ଯାଦବଙ୍କ କମବ୍ୟାକ୍- ନିଜ ବିସ୍ଫୋରକ ଗତିରେ ନିଜର ଛାପ ସୃଷ୍ଟି କରିଥିବା ମୟଙ୍କ ଯାଦବ ଭାରତୀୟ ଦଳକୁ ଫେରିଛନ୍ତି । ସେ ଶେଷ ଥର ପାଇଁ ଅକ୍ଟୋବର ୨୦୨୬ରେ ଭାରତ ପାଇଁ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ପରେ, ଫିଟନେସ୍ ଏବଂ ଆହତ ସମସ୍ୟା ତାଙ୍କୁ ଦୀର୍ଘ ସମୟ ପାଇଁ ଦଳରୁ ବାହାରେ ରହିଥିଲେ । ଏବେ, ଚୟନକର୍ତ୍ତାମାନେ ପୁଣି ଥରେ ଜିମ୍ବାୱେ ଗସ୍ତ ପାଇଁ ମୟଙ୍କଙ୍କ ଉପରେ ଭରସା କରିଛନ୍ତି । ସମଗ୍ର ସିରିଜରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଭବିଷ୍ୟତରେ ଭାରତୀୟ ଟି-ଟ୍ୱେଣ୍ଟି ଦଳର ଦ୍ରୁତ ବୋଲିଂ ଆକ୍ରମଣର ଏକ ପ୍ରମୁଖ ଅଂଶ ହୋଇପାରିବେ ।
ଭାରତୀୟ ଦଳ: ଶ୍ରେୟାସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା (ଉପଅଧିନାୟକ), ଇଶାନ କିଷନ, ଶିବମ ଦୁବେ, ସୂର୍ୟାଂଶ ସେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ୍ ଠାକୁର, ଅଶୋକ ଶର୍ମା, ମୟଙ୍କ୍ ଯାଦବ, ପ୍ରଭସିମରନ ସିଂହ ।